ବାମରା,୧୮/୦୫/୨୫,(ଲିପନ ନାଏକ ) -ସମ୍ପତ୍ତି ଓ ଜମି ବାଡ଼ି ଭାଗ ବଣ୍ଟାକୁ କେନ୍ଦ୍ର କରି ସ୍ୱାମୀ ପରିତ୍ୟକ୍ତ। ନିଜର ମଝିଆ ଭଉଣୀକୁ ବଡ଼ ଭଉଣୀ ଓ ସାନ ଭାଇ ମିଶି ହତ୍ୟା କରିଥିଲେ । ଏହିଭଳି ଏକ ସମ୍ବେଦନଶୀଳ ତଥା ରକ୍ତର ସମ୍ପର୍କରେ ଦାଗ ଲଗାଇବା ଭଳି ଘଟଣା ସାମ୍ନାକୁ ଆସିଛି ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର ମଝି ପଡ଼ାରେ ।
ସୂଚନା ଅନୁସାରେ,ଗୋବିନ୍ଦପୁର ନିବାସୀ ବିନୋଦ ବିହାରୀ ସାହୁଙ୍କ ମଝିଆ ଝିଅ ଲିନା ସାହୁ ବିବାହ ପରେ ଗତ କିଛି ବର୍ଷ ହେବ ପରିବାର ସହ ନ ରହି ସମ୍ବଲପୁର ଅଞ୍ଚଳରେ ଏକୁଟିଆ କୌଣସି ଏକ ଜାଗାରେ ରହି କାମଧନ୍ଦା କରି ଚଳୁଥିଲେ । ଇତି ମଧ୍ୟରେ ନିଜର ପୈତୃକ ସମ୍ପତ୍ତି ଓ ଜମି ବାଡ଼ି ଭାଗ ବଣ୍ଟାକୁ ନେଇ ସେ କୋର୍ଟରେ କେଶ କରିଥିଲେ ,ଯାହାକୁ ନେଇ ପରିବାର ଭିତରେ ତିକ୍ତତା ବଢ଼ି ବଢ଼ି ଚାଲିଥିଲା । ସେ ବହୁ ଦିନ ଧରି ନିଜ ବାପା ଘରକୁ ଯିବା ଆସିବା କରୁ ନ ଥିବାବେଳେ, ରବିବାର ଦିନ ନିଜର ସମ୍ପର୍କୀୟ ବଡ଼ ବାପାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେବାକୁ ଆସିଥିଲେ । ପୂର୍ବାହ୍ନ ପ୍ରାୟ ୧୧ଟା୧୫ ସେ ନିଜ ସମ୍ପର୍କୀୟ ଭାଇ ଅରକ୍ଷିତ ସାହୁଙ୍କ କୋଠରୀ ଭିତରେ ଆରାମ କରୁଥିବା ବେଳେ, ଲିନା ସାହୁଙ୍କ ଅବିବାହିତା ବଡ଼ ଭଉଣୀ ପୁଷ୍ପାଞ୍ଜଳୀ ସାହୁ(୪୨)ଓ ସାନ ଭାଇ ଗୋଲକ ସାହୁ(୩୮)ହଠାତ ପଶି ଆସି ଲିନାକୁ ,”କାହିଁକି ଏଠାକୁ ଆସିଛୁ,ତତେ କିଏ ଡାକିଛି”ବୋଲି କହି ଗାଲି ଗୁଳଜ କରିଥିଲେ । ପରେ ବଚସା ଉଗ୍ର ରୂପ ନେବାରୁ,ଗୋଲକ ନିଜ ପାଖରେ ଲୁଚାଇ ରଖିଥିବା ଏକ ଛୁରୀରେ ଲିନାକୁ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଲିନା ଗୁରୁତର ଆହତ ହେବାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ନିକଟସ୍ଥ ଗୋବିନ୍ଦପୁର ଡାକ୍ତରଖାନାକୁ ନେଇଥିଲେ । ମାତ୍ର କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଗୋବିନ୍ଦପୁର ପୁଲିସ ପହଞ୍ଚି ଶବ ଜବତ କରିବା ସହ ଏକ ଅରକ୍ଷିତ ସାହୁଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଅବିବାହିତ ଥିବା ଉଭୟ ଅଭିଯୁକ୍ତ ବଡ଼ ଭଉଣୀ ଓ ସାନ ଭାଇକୁ ପୁଲିସ ଗିରଫ କରି କୁଚିଣ୍ଡା କୋର୍ଟ ଚାଲାଣ କରିଛି । ମାମଲାର ତଦନ୍ତ ପରିପ୍ରେକ୍ଷୀରେ କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାସ, ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରି ଫେରିଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ, ଘଟଣାରେ ତଦନ୍ତ ନିଜେ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ବେହେରା କରୁଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post