ଏନ୍‌ଆଇଟିର ୧୬ତମ ସମାବର୍ତ୍ତନ ଉତ୍ସବ  ୧୯ରେ : ମୁଖ୍ୟଅତିଥି ଭାବେ ଯୋଗଦେବେ ବିଶିଷ୍ଟ ଶିଳ୍ପପତି କୁମାର ମଙ୍ଗଳମ୍‌ ବିର୍ଲା 

0

ରାଉରକେଲା/ ସୁଶାନ୍ତ ବେହେରା : ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ-ଏନ୍‌ଆଇଟିର ୧୬ତମ ସମାବର୍ତ୍ତନ ଉତ୍ସବ ୧୯ ତାରିଖରେ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଶିଳ୍ପପତି ତଥା ଆଦିତ୍ୟ ବିର୍ଲା ଗୋଷ୍ଠୀ ଶିଳ୍ପାନୁଷ୍ଠାନର ଅଧ୍ୟକ୍ଷ ଡ କୁମାର ମଙ୍ଗଳମ୍‌ ବିର୍ଲା ଯୋଗଦେବେ। ଏ ନେଇ ଅନୁଷ୍ଠାନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସୂଚନା ମୁତାବକ ଚଳିତ ବର୍ଷ ମୋଟ ୧୧ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବର୍ଗ ପାଇଁ ସ୍ୱର୍ଣ୍ଣ ପଦକ ପାଇବେ। ସେହିଭଳି ଚଳିତ ବର୍ଷ ୫୮୫ ଜଣ ବି-ଟେକ୍‌  ଡିଗ୍ରୀ, ୧୩୫ ଜଣ ବିଟେକ୍‌ ଓ ଏମ୍‌ ଟେକ୍‌ ଡୁଆଲ୍‌ ଡିଗ୍ରୀ ୨୨ ଜଣ ବି ଆର୍କ୍‌ ଡିଗ୍ରୀ, ୭୫ଜଣ ସମନ୍ୱିତ ଏମ୍‌ଏସ୍‌ସି ଡିଗ୍ରୀ, ୪୧୭ ଜଣ ଏମ୍‌ ଟେକ୍‌, ୧୨୬ଜଣ ଏମ୍‌ଏସ୍‌ସି ଡିଗ୍ରୀ, ୩୮ ଜଣ ଏମ୍‌ବିଏ ଡିଗ୍ରୀ ପାଇବା ସହିତ ୧୨୬ ଜଣ ପିଏଚ୍‌ଡି ଡିଗ୍ରୀ ପାଇବେ। ଏହି ଅବସରରେ ଏନ୍‌ଆଇଟି ବିଭିନ୍ନ ବିଶ୍ୱସ୍ତରୀୟ ଅନୁଷ୍ଠାନ ଓ ସଂସ୍ଥା ଦ୍ୱାରା ସମ୍ମାନନୀୟ ସ୍ଥାନ ହାସଲ କରିବା ସମ୍ପର୍କରେ ସୂଚନା ଦିଆଯାଇଥିଲା। ସେହିଭଳି ଗତ ବର୍ଷକ ମଧ୍ୟରେ ଏନଆଇଟିର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ସହିତ ୨୧୨ଟି କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇଥିବା ନେଇ ମଧ୍ୟ ସୂଚନା ଦିଆଯାଇଥିଲା। ଗତ ବର୍ଷକ ମଧ୍ୟରେ ଏନ୍‌ଆଇଟିର ପାଠ୍ୟକ୍ରମ ଓ ଗବେଷଣା କ୍ଷେତ୍ରରେ ବିଭିନ୍ନ ବିଶ୍ୱସ୍ତରୀୟ ମାଇଲଖୁଣ୍ଟ ହାସଲ କରିବା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା। ଏହା ସହିତ ଏନ୍‌ଆଇଟିର ପୁରାତନ ଛାତ୍ରଛାତ୍ରୀମାନଙ୍କର ଉଲ୍ଲେଖନୀୟ ସଫଲତା ସହିତ ୧୬ତମ ସମାବର୍ତ୍ତନ ଉତ୍ସବରେ ଡ ସ୍ୱାତୀ ମହାନ୍ତି, ସୋମା ମଣ୍ଡଳ, ଡ ଓମ୍‌ ଅଗ୍ରୱାଲ୍‌ ଓ ସଞ୍ଜୟ ମହାନ୍ତିଙ୍କ ପରି ବିଶିଷ୍ଟ ପୂରାତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ରଭାବେ ସମ୍ମାନୀତ କରାଯିବ ବୋଲି ସୂଚନା ଦିଆଯାଇଛି। ସେହିଭଳି ଭୁବନେଶ୍ୱରରେ ସ୍ଥାପିତ ଅନୁଷ୍ଠାନର ପରିବର୍ଦ୍ଧିତ କେନ୍ଦ୍ର ମାଧ୍ୟମରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ  ସମ୍ପର୍କରେ ମଧ୍ୟ ସୁଚନା ଦିଆଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଥାନର ନିର୍ଦ୍ଦେଶକ ପ୍ରଫେସର୍‌ ଅନିମେଶ ବିଶ୍ୱାସ, କୁଳସଚିବ ପ୍ରଫେସର୍‌ ଏସ୍‌ କେ ପଟେଲ୍‌, ବରୀଷ୍ଠ ପ୍ରାଧ୍ୟାପକ ପ୍ରଫେସର୍‌ କମଳାକାନ୍ତ ମହାପାତ୍ର ଓ ଲୋକ ସମ୍ପର୍କ ଅଧିକାରୀ ଇତିଶ୍ରୀ ସିଂହ ରାଠୋର ପ୍ରମୁଖ ଉପସ୍ଥିତ ଥିଲେ। 

 

Leave A Reply

Your email address will not be published.