“ବହୁମୂଖୀ ଅଂଶୀଦାର ମଞ୍ଚ ଓ ପ୍ରାକୃତିକ କୃଷି ହେବ ଆଗାମୀ ପିଢୀ ନିମନ୍ତେ ବିକାଶର ମାନଦଣ୍ଡ”

4
  • ସେବକର ୩୦ତମ ପ୍ରତିଷ୍ଠା ଦିବସରେ ପ୍ରାକୃତିକ କୃଷିର ବିକାଶ ଓ ମଲ୍ଟି ଏକ୍ଟର ପ୍ଲାଟଫର୍ମ ନିମନ୍ତେ ରୋଡମ୍ୟାପ ପ୍ରସ୍ତୁତି

  •  ପ୍ରଦର୍ଶିତ ହେଲା ୧୫୦ ରୁ ଉର୍ଦ୍ଧ ପ୍ରକାରର ବିଲୁପ୍ତ ପ୍ରାୟ ଦେଶୀ ବିହନ

  •  ମହୁଲଫୁଲ, ମିଳେଟ ରୁ ପ୍ରସ୍ତୁତ ସୁସ୍ଵାଦୁ ବ୍ୟଞ୍ଜନରେ ମହକିଲା ବିକାଶ ଭବନ

  •  ବ୍ଲକ ଓ ଜିଲ୍ଲା ସ୍ତରୀୟ ବହୁମୂଖୀ ଅଂଶୀଦାର ସମୂହ ମଞ୍ଚ ନିମନ୍ତେ ପ୍ରସ୍ତୁତ ହେଲା କାର୍ଯ୍ୟ ଖସଡା

  •  ସବୁଜ ସ୍ମୃତି ଅଭିଜାନ, ବିହନ ବଳ ପ୍ରସ୍ତୁତିକୁ ବ୍ୟାପକ କରିବା ନିମନ୍ତେ ଗୁରୁତ୍ଵାରୋପ

ସୁନ୍ଦରଗଡ଼: ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ” ର ୩୦ ତମ ପ୍ରତିଷ୍ଠା ଦିବସ ସୁନ୍ଦରଗଡ଼ ବିକାଶ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ଉପଲକ୍ଷେ ସେବକର ତିନି ଦଶକ ଧରି ଜନସେବା, ଗରିବ, ଅବହେଳିତ, ନିଷ୍ପେସିତ ଲୋକଙ୍କ ଆଜୀବିକାର ବିକାଶ, ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସୁରକ୍ଷା, ପ୍ରାକୃତିକ କୃଷିର ବିକାଶ ଓ ଜଳବାୟୁ ପରିବର୍ତ୍ତନକୁ ରୋକିବା ସଙ୍ଗେ ସଙ୍ଗେ ସର୍ବସାଧାରଣ ସମ୍ପତ୍ତିର ସଂରକ୍ଷଣ ନିମନ୍ତେ ବହୁମୂଖୀ ଅଂଶୀଦାର ସମୂହ ମଞ୍ଚ ଗଠନ ଓ ସଶକ୍ତିକରଣ ନିମନ୍ତେ ଏକ ଦୃଢ଼ ମଞ୍ଚ ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ବିସ୍ତୃତ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଗଲା।
ଉଦଘାଟନୀ ଉତ୍ସବରେ ସର୍ବପ୍ରଥମେ ସେବକର ଅଧ୍ୟକ୍ଷ ଅମିୟକାନ୍ତ ନାଏକ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହ ସେବକର ଅଭ୍ୟୁଦୟ ସଙ୍ଗେ ସଙ୍ଗେ ଗରିବ, ଅବହେଳିତ ଲୋକଙ୍କ ଉନ୍ନତି ନିମନ୍ତେ ୩୦ ବର୍ଷର ନିରନ୍ତର ଯାତ୍ରାର ଉପସ୍ଥାପନ ରଖିଥିଲେ। ଏହାପରେ ସେବକର ସମ୍ପାଦକ ପ୍ରଦୀପ କୁମାର ବ୍ରହ୍ମା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ପ୍ରାକୃତିକ କୃଷି, ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ନିରନ୍ତର ଉଦ୍ୟମ ଜାରି ରହିବ ବୋଲି ପରିପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସୁନ୍ଦରଗଡ ଜିଲ୍ଲାର ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଶ୍ରୀ ସୁକାନ୍ତ କୁମାର ନାଏକ ସେବକ ପରିବାରକୁ ଅଭିନନ୍ଦନ ଜଣାଇବା ସହିତ ପ୍ରାକୃତିକ କୃଷିକୁ ଆଗେଇବା ନିମନ୍ତେ ସେବକର ପ୍ରୟାସର ଭୂୟସୀ ପ୍ରଶଂସା କରିବା ସହିତ ଭବିଷ୍ୟତର ପିଢୀ ପାଇଁ ପ୍ରାକୃତିକ କୃଷି ହିଁ ଚିରସ୍ଥାୟୀ ବିକାଶ ହୋଇପାରିବ ବୋଲି ମତ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ କୃଷି ଜିଲ୍ଲା ଅଧିକାରୀ ରଜତ କୁମାର ମିଶ୍ର ଯୋଗଦାନ କରି ପ୍ରାକୃତିକ କୃଷିର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ୧୫୦ ରୁ ଉର୍ଦ୍ଧ ବିଲୁପ୍ତ ପ୍ରାୟ ଧାନ, ଡାଲି ଜାତୀୟ, ପନିପରିବା ମଞ୍ଜିକୁ ନେଇ ଏକ ଦେଶୀ ବିହନ ମେଳାର ଆୟୋଜନ କରାଯାଇଥିଲା । ଏଥି ସହିତ ମହୁଲ ଫୁଲ ଓ ମିଲେଟ୍ ଆଧାରିତ ପରମ୍ପରାଗତ ଖାଦ୍ୟ ଦ୍ରବ୍ୟମାନଙ୍କର ପ୍ରଦର୍ଶନୀ ଓ ବିତରଣ ମଧ୍ୟ ଅଂଶଗ୍ରହଣ କାରୀଙ୍କ ମନ ମୋହିଥିଲା।
କାର୍ଯ୍ୟକ୍ରମର ପ୍ରଥମ ସତ୍ରରେ ‘ପ୍ରାକୃତିକ କୃଷି ମାଧ୍ୟମରେ ସ୍ଥାୟୀ କୃଷି – ଜଳବାୟୁ, ମାଟି ଓ ଜୀବିକା’ ବିଷୟରେ ଆନ୍ତକ୍ରିୟାତ୍ମକ ସଂଳାପ ସହ ମଞ୍ଚ ଆଲୋଚନାର ଆୟୋଜନ କରାଯାଇଥିଲା। ଏହି ସତ୍ରଟିକୁ ଜ୍ଞାନରଞ୍ଜନ ଷଡଙ୍ଗୀ ସଂଚାଳନା କରିଥିବା ବେଳେ ବିଭିନ୍ନ ସ୍ତରର ପ୍ରାକୃତିକ କୃଷିର ବିଶେଷଜ୍ଞ, ଅଭିଜ୍ଞ ଓ ଅନୁଭବୀ ଅତିଥିମାନଙ୍କ ମଧ୍ୟରେ ପ୍ରାକୃତିକ କୃଷିର ଜାତୀୟ ସ୍ତରୀୟ ବିଶେଷଜ୍ଞ ଶ୍ରୀ ସଭାପତି ଖାଡଙ୍ଗା, ନ୍ୟାସନାଲ କୋଆଲିସନ ଫର ନ୍ୟାଚୁରାଲ ଫାର୍ମିଂର ଡ଼. ଇମ୍ରାନ ଅଲି, ଅବସରପ୍ରାପ୍ତ ପ୍ରଫେସର ଡ଼. ଅଶୁତୋଷ ନାୟକ, ଶ୍ରୀ ଅମୁଲ୍ୟ ଲାକ୍ରା, କୃଷି ବିଜ୍ଞାନ କେନ୍ଦ୍ରର ଡ଼. ଦିବ୍ୟେନ୍ଦୁ ମଣ୍ଡଳ, ମହିଳା ଚାଷୀ ଶ୍ରୀମତୀ ସୁଷମା ଭୋଇ ପ୍ୟାନେଲ ସଭ୍ୟଭାବରେ ଯୋଗଦାନ କରିବା ସହିତ ମନୁଷ୍ୟ ସମାଜ ଓ ପ୍ରକୃତିର ସୁରକ୍ଷା ପାଇଁ ପ୍ରାକୃତିକ କୃଷିର ଅବସ୍ଥିତିର ଆବଶ୍ୟକତା, ଡିଜିଟାଳ କ୍ୟାମ୍ପେନ, ପ୍ରାକୃତିକ କୃଷିର ଅଭ୍ୟାସ, ମାଟି, ମଞ୍ଜିର ସଂରକ୍ଷଣ, ସ୍ଵଦେଶୀ ଜ୍ଞାନ କୌଶଳ, ଗୋପାଳନ ଉପରେ ଆଲୋଚନା କରିବା ସହ ଚାଷୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଦ୍ୱିତୀୟ ସତ୍ରରେ ସେବକର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିଗାମ୍ବର ଉପାଧ୍ୟାୟ ‘ମଲ୍ଟି ଏକ୍ଟର ପ୍ଲାଟଫର୍ମ’ ବା ବହୁମୂଖୀ ଅଂଶୀଦାର ସମୁହ ମଞ୍ଚ ମାଧ୍ୟମରେ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ଉପରେ ଉପସ୍ଥାପନା କରିଥିଲେ। ଏହି ସତ୍ରରେ ସ୍ଵଶାସନ, ଜଳ, ଜମି, ଜଙ୍ଗଲର ସୁପରିଚାଳନା, ଜଳବାୟୁ ପରିବର୍ତ୍ତନର ମୁକାବିଲା -ଜୀବିକାର ସୁଯୋଗ ଉପରେ ଆଲୋଚନା କରାଯାଇଥିଲା। ଅନ୍ୟ ସତ୍ରରେ ବିହନ ବଲ୍ କ୍ୟାମ୍ପେନ୍, ଗ୍ରିନ୍ ମେମୋରୀ ଅଭିଯାନ ଓ ସୌର ଶକ୍ତି ପ୍ରଚାର ଉପରେ ବେଦବ୍ୟାସ ଧୃଆ, ସ୍ନେହଳତା ନାଏକ, ପ୍ରଦୀପ ବ୍ରହ୍ମ ଉପସ୍ଥାପନା କରିଥିଲେ।
କାର୍ଯ୍ୟକ୍ରମର ସମାପନ ସତ୍ରରେ ଦିଗାମ୍ବର ଉପାଧ୍ୟାୟ ସଂପୂର୍ଣ୍ଣ କାର୍ଯ୍ୟକ୍ରମର ମୁଖ୍ୟ ନିଷ୍କର୍ଷ ଓ ସାରାଂଶ ଉପସ୍ଥାପିତ କରିଥିବା ବେଳେ ସେବକର ଯୋଜନା ଓ ରଣନୀତି ନିର୍ଦ୍ଦେଶକ ଦୀପକ ତ୍ରିପାଠୀ ସେବକର ଆଗାମୀ ବର୍ଷର ରୋଡ ମ୍ୟାପ ଉପରେ ଆଲୋଚନା କରିଥିଲେ । ସେବକର ଅଧ୍ୟକ୍ଷ, ସମ୍ପାଦକ ଓ ନିର୍ଦ୍ଦେଶକ (ମାନବ ସଂସାଧନ ଓ ଅର୍ଥ) ତାଙ୍କର ମତ ଦେଇଥିଲେ ଓ କାର୍ଯ୍ୟକ୍ରମ ଶେଷରେ ସେବକର ସଞ୍ଜୁ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.