ଅନ୍ତୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ପ୍ରଦାନକୁ ଦେଢ଼ମାସ ବିତିଲା, ହିତାଧିକାରୀଙ୍କୁ ମିଳି ନାହିଁ ପ୍ରଥମ କିସ୍ତି ୪୦ ହଜାର ଟଙ୍କା

4

ଓଡ଼ଗାଁ,୧୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକରେ ଅନ୍ତୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ପ୍ରଦାନକୁ ଦେଢ଼ମାସ ବିତିଯାଇଥିଲେ ସୁଧା ଏପର୍ଯ୍ୟନ୍ତ କୈାଣସି ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାବଦରେ ୪୦ ହଜାର ଟଙ୍କା ପାଇନଥିବାରୁ ସେମାନେ କେବଳ କାର୍ଯ୍ୟାଦେଶକୁ ଧରି ବସିଛନ୍ତି। ହେଲେ ଅର୍ଥ ଅଭାବରୁ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରୁ ନାହାନ୍ତି ।କାର୍ଯ୍ୟାଦେଶ ସହିତ ପ୍ରଥମ କିସ୍ତି ଟଙ୍କା ପାଇନଥିବାରୁ ଏବଂ ଯୋଜନାର କାର୍ଯ୍ୟକାରିତା ନେଇ ହିତାଧିକାରୀଙ୍କ ମନରେ ସନ୍ଦେହ ଉପୁଜୁଥିବାରୁ ସାମାନ୍ୟ ସମ୍ବଳ ଥିବା ହିତାଧିକାରୀ କାର୍ଯ୍ୟାଦେଶ ରଦ୍ଦ ହୋଇଯିବା ଭୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଏଣେ ନିର୍ଦ୍ଧାରୀତ ୧ ବର୍ଷ ଅବଧି ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ନସରିଲେ କାର୍ଯ୍ୟାଦେଶ ବାତିଲ ହୋଇଯିବ ବୋଲି କାର୍ଯ୍ୟାଦେଶରେ ଉଲ୍ଲେଖ ରହିଥିବାରୁ ଗୋଟିଏ ପଟେ ଅଭାବ ଅନାଟନ ଅନ୍ୟପକ୍ଷରେ ପ୍ରତିକୂଳ ପରିସ୍ଥିତିରେ କିପରି ବାସଗୃହ ନିର୍ମାଣ ହେବ ସେ ନେଇ ହିତାଧିକାରୀ ଚିନ୍ତାରେ ଅଛନ୍ତି। ସୂଚନା ଥାଉକି ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ୨୦୨୫ ମାର୍ଚ୍ଚ ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନ୍ତୋଦୟ ଗୃହ ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏବଂ ସେବେଠାରୁ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ତଦନୁଯାୟୀ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ୧୨୮ଜଣ ହିତାଧିକାରୀଙ୍କୁ ବ୍ଳକ ପ୍ରଶାସନ ତରଫରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଯୋଜନାର ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟାଦେଶ ସହିତ ହିତାଧିକାରୀଙ୍କ ବ୍ୟାଙ୍କ ଜମା ଖାତାରେ ପ୍ରଥମ କିସ୍ତି ୪୦ ହଜାର ଟଙ୍କା ଜମା ହେବା କଥା।ହେଲେ ବର୍ତ୍ତମାନ ସୁଦ୍ଧା ଉକ୍ତ ଟଙ୍କା କୈାଣସି ହିତାଧିକାରୀଙ୍କ ଜମା ଖାତାରେ ଜମା ହୋଇନାହିଁ। ଅପର ପକ୍ଷରେ ନିର୍ଦ୍ଧାରିତ ସମୟରେ ନିର୍ମାଣ କାର୍ଯ୍ୟ ସାରିଥିବା ହିତାଧିକାରୀଙ୍କୁ ୨୨ ହଜାର ୫ ଶହ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ସାଇଟ୍ ଖୋଲୁନଥିବାରୁ ଏ ପର୍ଯ୍ୟନ୍ତ ହିତାଧିକାରୀଙ୍କ ଜବ୍ କାର୍ଡ ଅପଡେଟ କାର୍ଯ୍ୟ ହୋଇପାରି ନାହିଁ। ପୂର୍ବ ସରକାରଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିବା ‘ମୋ କୁଡ଼ିଆ’ ଯୋଜନା ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ ନହେବା ପରି ଏହି ଯୋଜନାର କାର୍ଯ୍ୟକାରିତା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

Leave A Reply

Your email address will not be published.