ସେବିକାମାନଙ୍କର ନିଷ୍ଠାପର ସେବା ଅତୁଳନୀୟ: ସୋଆ ଉପସଭାପତି

4

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ-୨ରେ ବିଶ୍ୱ ନର୍ସେସ୍ ଦିବସ ପାଳିତ

ଭୁବନେଶ୍ୱର, ମଇ ୧୨: ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେବିକାମାନଙ୍କ ନିଷ୍ଠାପର ସେବା ସମାଜ ନିମନ୍ତେ ଆଶାର ଆଲୋକ ବର୍ତିକା ସାଜିପାରିଛି । ମାନବ ସେବା ହିଁ ମାଧବ ସେବା ଏଭଳି ଚିନ୍ତାଧାରାରେ ଯେଉଁମାନେ ଅତି କଠିନ ଓ ପ୍ରତିକୂଳ ପରିସ୍ଥିତିରେ ନିରବଚ୍ଛିନ୍ନ ଭାବେ ସେବା ଦେଇ ଆସୁଛନ୍ତି ସେମାନଙ୍କୁ ମନେ ପକାଇବା ପାଇଁ ବିଶ୍ୱ ନର୍ସେସ ଦିବସ ପାଳନ କରାଯାଉଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ କହିଛନ୍ତି ।
ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୨, ଫୁଲନଖରା, ପକ୍ଷରୁ ଆନ୍ତର୍ଜାତିକ ନର୍ସେସ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ ନର୍ସମାନଙ୍କର ସେବା ପରାୟଣତା-ପ୍ରଶଂସନୀୟ ବୋଲି କହିବା ସହ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏହି ଦିବସ ପାଳନ କରାଯାଉଥିବା ଅବସରରେ ଏହା ବିଶ୍ୱ ଯୁଦ୍ଧର ବିଭୀଷିକା ମନେ ପକାଇଦିଏ ବୋଲି କହିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କର ଅଦମ୍ୟ ସାହସ ଓ ସେବା ଯୋଗୁଁ ଅନେକ ଜୀବନ ରକ୍ଷା ପାଇଥିଲା । ତେଣୁ ସେବିକାମାନଙ୍କର ନିଷ୍ଠାପର କର୍ମ ଅତୁଳନୀୟ ବୋଲି ସେ କହିଛନ୍ତି ।
ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସନ୍ଜୀତ ମହାନ୍ତି କହଥିଲେ ଯେ ନର୍ସିଂ ହେଉଛି ଏକମାତ୍ର ବୃତି ଯେଉଁଥିରେ ସମାଜକୁ ଶତ ପ୍ରତିଶତ ସେବା ପ୍ରଦାନ କରାଯାଇଥାଏ ।
କାର୍ଯ୍ୟକ୍ରମରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ର ଡିନ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଏବଂ ଆଡିସ୍ନାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ତାପସୀ ପତି ନର୍ସମାନଙ୍କୁ ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ ବୋଲି କହିବା ସହ ସେମାନଙ୍କ ବିନା ସହଯୋଗରେ ଡାକ୍ତରମାନେ କାର୍ଯ୍ୟ କରିବା କଷ୍ଟକର ହେବ ବୋଲି କହିଛନ୍ତି ।
କାର୍ଯ୍ୟକ୍ରମରେ ହସ୍ପିଟାଲର ନର୍ସିଂ ସୁପରଟେଣ୍ଡେଂଟ ଶ୍ରୀମତି କମଳିନୀ ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡେପୁଟି ନର୍ସିଂ ସୁପରିଟେଣ୍ଡେଂ ଶ୍ରୀମତି ସୁଚିସ୍ମିତା ଜେନା ବାର୍ଷିକ ରିପୋର୍ଟ ପ୍ରଦାନ କରିଥିଲେ ଏବଂ ଶ୍ରୀମତି ପ୍ରଣତି ରାଣୀ ବେହେରା ଫ୍ଲୋରେନ୍ସ ନାଇଟିଙ୍ଗେଲ ଶପଥ ପାଠ କରାଇଥିଲେ । ସେହିପରି କାର୍ଯ୍ୟକ୍ରମ ଶେଷରେ ଡିଏନ୍ଏସ୍ ଶ୍ରୀମତି ପ୍ରିୟତମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.