ଏକାଦଶ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବର ଦ୍ବିତୀୟ ରଜନୀର ନାଟକ “ଭିନ୍ନ ଏକ ସହଯାତ୍ରୀ” ମଞ୍ଚସ୍ଥ

5

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକାଦଶ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବର ଦ୍ବିିିତୀୟ ରଜନୀରେ ଭୂବନେଶ୍ୱରର ପଞ୍ଚଧ୍ୱନୀ ନାଟ୍ୟପରିଷଦର ନାଟକ “ଭିନ୍ନ ଏକ ସହଯାତ୍ରୀ” ମଞ୍ଚସ୍ଥ ହୋଇ ଯାଇଛି।
ଦ୍ବିିିତୀୟ ରଜନୀରେ ମୁଖ୍ୟ ଅତିଥି ଭାବେ ଡ . ତିରୁପତି ପାଣିଗ୍ରାହୀ , ଅଧ୍ୟକ୍ଷ , ହାଇଟେକ୍ ଗ୍ରୁପ୍ ଯୋଗ ଦେଇ ଥିବା ସମ୍ମାନିତ ସ୍ଥିତି ରୂପେ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ , ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ, ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ନବକିଶୋର ଶବର ସଭାପତି, ଭାରତୀୟ ଜନତା ପାର୍ଟି, ଗଜପତି , ଶ୍ରୀଯୁକ୍ତ ପ୍ରଦୀପ ନାୟକ , ଜିଲ୍ଲା ସଭାପତି, ବିଜୁ ଜନତା ଦଳ , ଶ୍ରୀଯୁକ୍ତ ନୃସିଂହ ଚରଣ ପଟ୍ଟନାୟକ ସଭାପତି, କ୍ରିଏଟିଭ୍ ଆର୍ଟସ୍, ଗଜପତି , ଆଦର୍ଶ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।
ନାଟକ ଉତ୍ସବ ଆୟୋଜନ କରି ସାରା ଜିଲ୍ଲା ପାଇଁ ସୁନାମ ଅର୍ଜନ ସହ ନାଟ୍ୟ କଳା କୁ ବଞ୍ଚାଇ ରଖିଥିବା ପାଇଁ ଆୟୋଜକଙ୍କୁ ଅତିଥି ମାନେ ପ୍ରଶଂସା କରିଥିଲେ। ଆୟୋଜକ ମାନଙ୍କ ପକ୍ଷରୁ ସଂସ୍କୃତି ଭବନ ସଠିକ ସ୍ଥାନ ରେ ନିର୍ମାଣ ନିମନ୍ତେ ପୁଣି ଦାବୀ ଉଠିଥିଲା।
ଅନୁଷ୍ଠାନ ର ସମ୍ପାଦକ ମନୋଜ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ ଓ ସଂପାଦକ ଅମୁଲ୍ୟ ପାଣିଗ୍ରାହୀ
ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଭୂବନେଶ୍ୱର ର ବିଶିଷ୍ଟ ନାଟ୍ୟକାର , ନିର୍ଦ୍ଦେଶକ ଓ ଅଭିନେତା ଶ୍ରୀଯୁକ୍ତ ପଞ୍ଚାନନ ଦାଶ ଙ୍କୁ ନାଟ୍ୟ ନିର୍ଦ୍ଦେଶକ ସ୍ବର୍ଗତ ପ୍ରବୀଣ ପଣ୍ଡାଙ୍କ ସ୍ମୃତିରେ ରାଜ୍ୟ ସ୍ତରୀୟ ପାରଳା ନାଟ୍ୟ ସମ୍ମାନ – ୨୦୨୫ରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଦ୍ବିତୀୟ ପର୍ଯ୍ୟାୟରେ ଭୂବନେଶ୍ୱର ର ପଞ୍ଚଧ୍ୱନୀ ନାଟ୍ୟପରିଷଦର ନାଟକ “ଭିନ୍ନ ଏକ ସହଯାତ୍ରୀ” ପରିବେଷଣ କରିଥିଲେ।
ମଣିଷ ତା’ ଜୀବନ ଯାତ୍ରାରେ ସବୁବେଳେ ସହଜ , ସରଳ , ସୁବିଧା ରାସ୍ତାକୁ ଆପଣେଇ ଥାଏ । କୌଣସି ଜଟିଳତା , ଆହ୍ୱାନକୁ ଆପଣେଇ ହାର , ଜିତ୍ ର ଅନିଶ୍ଚିତତା ଭିତରେ ଘାଣ୍ଟି ହବା ଅପେକ୍ଷା , ଏକ ଆରାମପ୍ରଦ ସୀମିତ ବଳୟ ମଧ୍ୟରେ ନିରାପଦରେ ଜୀବନ କାଟିବାକୁ ଶ୍ରେୟ ମନେ କରିଥାଏ । ସମସ୍ତେ ଖୋଜି ବସନ୍ତି; ନିଜକୁ ସୁହାଇଲାପରି ଚାକିରୀଟିଏ , ବୃତ୍ତି ତା ବ୍ୟବସାୟଟିଏ । ବିବାହ କ୍ଷେତ୍ରରେ ମଧ୍ୟ ପୁଅ ବା ଝିଅର ଶିକ୍ଷା , ଚାକିରୀ ବ୍ୟବହାର ଓ ଆଚରଣ ସହ ଖାପ୍ ଖାଇଲା ପରି ପାତ୍ରଟିଏ ଖୋଜାଯାଏ ଏବଂ ତଦନୁଯାୟୀ ତା’ର ମାନଦଣ୍ଡ ପୂର୍ବରୁ ସ୍ଥିରୀକୃତ ହୋଇଯାଇଥାଏ । ତେଣୁ ପ୍ରାୟ ଅଧିକାଂଶ କ୍ଷେତ୍ରରେ ଆମେ ସମାନ ବୃତ୍ତିଧାରୀ ଦମ୍ପରିଙ୍କୁ ଦେଖିବାକୁ ପାଉ । ଯଥା :- ଅଧ୍ୟାପକ-ଅଧ୍ୟାପିକା , ଡାକ୍ତର ଡାକ୍ତରାଣୀ ଦମ୍ପତ୍ତି ବା ଜଣେ ଆଇ.ଟି. ପୁଅ ଆଇ.ଟି. ଝିଅକୁ ବାହା ହେବା ଇତ୍ୟାଦି।
କିନ୍ତୁ ଶୈଳେନ୍ଦ୍ର ପରି ଜଣେ ଶାନ୍ତ , ସରଳ , ଅତି ସହଣୀୟ , ନମ୍ର ସ୍ୱଭାବର ସ୍ଵଚ୍ଛ ବେତନଭୋଗୀ ସାଧାରଣ ସ୍ୱାସ୍ଥ୍ୟ ଥିବା ଯୁବ ଅଧ୍ୟାପକଙ୍କ ସହ ଖେଳ , ଦୌଡ଼ , କୁସ୍ତିରେ ନିପୁଣା , ଅତି ସୁଦକ୍ଷା ଓ ସାହାସରେ ପୁରୁଷାଧିକ ଜଣେ ସ୍ୱାସ୍ଥ୍ୟବତୀ ମହିଳା ପୋଲିସ୍ ଇନ୍ସପେକ୍ଟରଙ୍କୁ ଯଦି ବାହା କରି ଦିଆଯାଏ ତେବେ ତାର ପରିଣତି ସେହି ଦମ୍ପତ୍ତି , ପରିବାର ଓ ସମାଜ ପ୍ରତି ଶୁଭଙ୍କର ହେବ ତ ? ସତରେ ଆଜିର ନାରୀର ମନୋବଳ , ପାରଦର୍ଶିତା ଓ ଆକ୍ରମଣାତ୍ମକ ପ୍ରତିମୂର୍ତ୍ତି ଦେଖିଲେ ପୁରୁଷ ପଛରେ ପଡ଼ିଗଲା ପରି ମନେହୁଏ । ସମୟ ଆସିଗଲାଣି , ଆଜିର ନାରୀ ସହ ପାଦ ମିଳାଇ ଚାଲିବାକୁ ହେଲେ ପୁରୁଷ ସଶକ୍ତିକରଣ ବା ପୁରୁଷର ସ୍ୱଶକ୍ତିକରଣ ଆବଶ୍ୟକ ।
ଏମିତି ଏକ ବାସ୍ତବମୁଖୀ ଭାବନା ଓ ପରୀକ୍ଷାମୂଳକ ପ୍ରୟୋଗକୁ ନେଇ ନାଟକ ‘ଭିନ୍ନ ଏକ ସହଯାତ୍ରୀ’ ନାଟକ ମଞ୍ଚସ୍ଥ ହୋଇଥିଲା।
ନାଟକ କୁ ପଞ୍ଚାନନ ଦାଶ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ମଳୟ ମହାନ୍ତି , ସଙ୍ଗୀତ ରେ ମାନସ କୁମାର ପରିଡା , ଆଲୋକରେ ରାକେଶ କୁମାର ଶତପଥି , ସନ୍ତୋଷ କୁମାର ପଟ୍ଟନାୟକ, କେ. ଚନ୍ଦ୍ରଶେଖର ସୁବୁଦ୍ଧି ମଞ୍ଚ ପରିଚାଳନା କରିଥିବା ବେଳେ ଅଜୟ ଖୁଣ୍ଟିଆ ମଞ୍ଚସଜ୍ଜା କରିଥିଲେ।
ବିରଞ୍ଚି କୁମାର ଦାଶ , ମଳୟ କୁମାର ମହାନ୍ତି , କରୁଣାକର ସାମଲ , ପ୍ରଦୀପ କୁମାର ପାଇକରାୟ , କାହ୍ନୁଚରଣ ପ୍ରଧାନ, ଜ୍ୟୋତି ରଂଜନ ରାୟ , ରାଜେଶ ମଲ୍ଲିଆ , ଅନନ୍ୟା ମହାପାତ୍ର ନାଟକରେ ଅଭିନୟ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଞ୍ଚ ସମ୍ମୁଖରେ ବାନ୍ଧି ରଖିବା ସହ ମନ ଜିଣିଥିଲେ।

Leave A Reply

Your email address will not be published.