ଜଗତସିଂହପୁର,ତା-୩୦.୦୪.୨୦୨୫/ସୁମନ୍ତ କୁମାର ଦାସ:,ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କର୍ମକ୍ଷେତ୍ରରେ ମହିଳା ଯୌନ ନିର୍ଯାତନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଅଦାଲତର ସମୀଲଣି କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଦେୱାନୀ ବିଚାରପତି ରାକେଶ କୁମାର ମୁଦୁଳି ଯୋଗଦେଇ କହିଥିଲେ ଯେ ୧୯୯୭ ମସିହାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଭିଶାଖା ବନାମ ରାଜସ୍ଥାନ ମାମଲାର ଶୁଣାଣି କରି ଏକ ଐତିହାସିକ ରାୟ ପ୍ରକାଶ କରିଥିଲେ ଯାହାଦ୍ୱାରା ଭାରତରେ ମହିଳାମାନେ କର୍ମକ୍ଷେତ୍ରରେ କିପରି ଯୌନ ନିର୍ଯାତନାକୁ ମୁକାବିଲା କରିପାରିବେ ଏଥିପାଇଁ ଏକ ମାର୍ଗଦର୍ଶକା ଜାରି କରିଥିଲେ ଯାହା ପରବର୍ତ୍ତୀ ସମୟରେ ୨୦୧୩ ମସିହାରେ ଆଇନରେ ପରିଣତ ହୋଇଥିଲା । କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ଅନୁଯାଇ ଯଦି କୌଣସି ଉପରିସ୍ଥ ଅଧିକାରୀ ତାଙ୍କର ଅଧନସ୍ଥ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନ ଦିଅନ୍ତି ତେବେ ଏହି ଆଇନ ଅନୁଯାଇ ଦଣ୍ଡିତ ହେବେ । ସାଧାରଣତଃ ମହିଳା କର୍ମଚାରୀମାନେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନର ଶିକାର ହେଇଥାନ୍ତି । ଉପରିସ୍ଥ ଅଧିକାରୀମାନେ ଅଧନସ୍ଥ ମହିଳା କର୍ମଚାରୀମାନଙ୍କୁ ନିଯୁକ୍ତି, ଦରମା ବୃଦ୍ଧି, ପଦୋନ୍ନତି, ବଦଳି, ଛୁଟି ମଞ୍ଜୁର କରିବା ଏବଂ ଚାକିରି ସ୍ଥାଇ କରିବା ଭଳି ମିଛ ପ୍ରଲୋଭନ ଦେଖାଇ ଯୌନ ନିର୍ଯାତନ ଦେଇଥାନ୍ତି । ମହିଳାମାନେ ଏହି ମିଛ ପ୍ରଲୋଭନରେ ବଶୀଭୂତ ହୋଇ ନିର୍ଯାତନାର ଶିକାର ହୁଅନ୍ତି । କୌଣସି ମହିଳାଙ୍କୁ ସ୍ପର୍ଶ ନକରି ଅଶାଳୀନ ଶବ୍ଦ ଓ ଇଙ୍ଗିତ ମାଧ୍ୟମରେ ମଧ୍ୟ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଥାଏ । ଆତ୍ମବିଶ୍ୱାସର ଅଭାବ ଏବଂ ଲଜ୍ୟା ହେତୁ ମହିଳାମାନେ ଯୌନ ନିର୍ଯାତନାର ଘଟଣାଗୁଡ଼ିକ ରିପୋର୍ଟ କରିବାକୁ ଅନିଚ୍ଛୁକ ହୁଅନ୍ତି । ଏଥିପାଇଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟଙ୍କ ନିର୍ଦେଶ କ୍ରମେ ସମସ୍ତ କାର୍ଯ୍ୟାଲୟରେ ଅଭିଯୋଗ କମିଟି ଗଠନ କରାଯାଇଛି । ଯେଉଁ କାର୍ଯ୍ୟାଳୟରେ ୧୦ ରୁ କମ୍ ମହିଳା କର୍ମଚାରୀ କାର୍ଯ୍ୟ କରନ୍ତି ସେଠାରେ ଆଞ୍ଚଳିକ ଅଭିଯୋଗ କମିଟି ଏବଂ ୧୦ ରୁ ଉର୍ଦ୍ଧ କର୍ମଚାରୀଙ୍କ କ୍ଷେତ୍ରରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଏ । ମହିଳା କର୍ମଚାରୀମାନେ ଉକ୍ତ କମିଟିରେ ତାଙ୍କ ଅଭିଯୋଗ ଦାଖଲ କରିପାରିବେ । ଏହି କମିଟି ମାଧ୍ୟମରେ ଅଭିଯୋଗର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଯଦି କୌଣସି ମହିଳା କର୍ମଚାରୀ ଯୌନ ନିର୍ଯାତନାର ଶିକାର ହୁଅନ୍ତି ତେବେ ଏହି କମିଟିରେ ଅଭିଯୋଗ କରିବା ପାଇଁ ସଚେତନ କରାଇଥିଲେ । ସେହିପରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ଏହି କାର୍ଯ୍ୟକ୍ରମରେ ଅଧକ୍ଷତା କରି କହିଥିଲେ ଯେ ଜିଲ୍ଲା ସ୍ତରୀୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ । ଏହି କମିଟିରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଆଇନଜୀବୀ, ସମାଜସେବୀ ଏବଂ ଅଧାରୁ ଅଧିକ ମହିଳା ସଦସ୍ୟ ଅଛନ୍ତି । ଏହି କମିଟିରେ ଅଭିଯୋଗକାରେଣୀଙ୍କ ପରିଚୟ ଗୋପନ ରଖାଯାଇ ତଦନ୍ତ କରାଯାଏ । ଏହା ସହ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ସମ୍ପର୍କରେ ଆଲୋଚନା କରିବା ସହ ଯୌନ ନିର୍ଯାତନାର ଶିକାର ହେଉଥିବା ମହିଳା କିପରି ଆଇନର ଆଶ୍ରୟ ନେଇପାରିବେ ଏହି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଉଦାହରଣ ମାଧ୍ୟମରେ ମହିଳା କର୍ମଚାରୀଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଦାଲତର ମିହିଲା କର୍ମଚାରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.