ଓଡ଼ଗାଁ,୩୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ୨୦୧୭ ମସିହା ଅଗଷ୍ଟ ୧୬ ତାରିଖରୁ ସ୍ଥାପନ ହେଇଥିଲେ ସୁଧା ଓଡ଼ଗାଁ ଏନ୍ଏସିର ଓ୍ବାଡ ଏବଂ ସଂରକ୍ଷଣକୁ ନେଇ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ମାମଲା ବିଚାରାଧୀନକୁ ନେଇ ଦୀର୍ଘ ୮ ବର୍ଷ ଧରି ଏଠାରେ ନିର୍ବାଚନ ସମ୍ଭବପର ହୋଇନଥିଲା । ତେବେ ବର୍ତ୍ତମାନ ମାମଲାର ବିଚାର ସରିବା ପରେ ଏବେ ନିର୍ବାଚନ ପାଇଁ ବାଟ ଖୋଲିଯାଇଛି । ଏହି ଘଟଣା ପ୍ରଚାର ହେବାପରେ ଓଡ଼ଗାଁ ଅଞ୍ଚଳରେ ରାଜନୈତିକ ଉତ୍କଣ୍ଠା ପ୍ରକାଶ ପାଇଛି । ଦୀର୍ଘଦିନ ଧରି ଅପେକ୍ଷାରେ ଥିବା ଆଶାୟୀ କାଉନସିଲର ଏବଂ ଚେୟାରମ୍ୟାନ ପ୍ରାର୍ଥୀମାନେ ଚଳଚଞ୍ଚଳ ହୋଇପଡିଛନ୍ତି । ପ୍ରଥମ ନିର୍ବାଚିତ ପ୍ରତିନିଧିମାନେ ଓଡ଼ଗାଁ ଏନ୍ଏସିର ବିକାଶ ପାଇଁ କିଭଳି ପଦକ୍ଷେପ ଗ୍ରହଣ କରିବେ ସେନେଇ ଅଞ୍ଚଳବାସୀ ଅପେକ୍ଷା କରି ରହିଛନ୍ତି । ଓଡ଼ଗାଁ ଏନ୍ଏସିକୁ ୧୫ଟି ୱାଡରେ ବିଭକ୍ତ କରାଯାଇଥିଲା । କିନ୍ତୁ ଓ୍ବାଡ ନମ୍ବର ୬ ଏବଂ ୧୧ ସୀମା ନିର୍ଦ୍ଧାରଣ ସହିତ ଆସନ ସଂରକ୍ଷଣରେ ତୃଟି ଦର୍ଶାଇ ନବକିଶୋର ପାଣିଗ୍ରାହୀ କୋର୍ଟରେ ସଂଶୋଧନ ପାଇଁ ଆବେଦନ କରିଥିଲେ । ମାମଲାଟି ଦୀର୍ଘଦିନ ଧରି ମାନ୍ୟବର ହାଇକୋର୍ଟଙ୍କ ନିକଟରେ ବିଚାରାଧୀନ ଥିବାରୁ ଏନ୍ଏସି ନିର୍ବାଚନ ଅଟକି ରହିଥିଲା । ୮ବର୍ଷ ମଧ୍ୟରେ ଶୁଣାଣି ପ୍ରକ୍ରିୟା ଚାଲିଥିବା ସମୟରେ ଆବେଦନ କାରି ପାଣିଗ୍ରାହୀ ମାମଲାକୁ ଆଗକୁ ବଢ଼ାଇବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ତଦନୁଯାୟୀ ନୟାଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଆବେଦନ ମାଧ୍ୟମରେ ଓ୍ବାଡ ନମ୍ବର ୬ ଏବଂ ୧୧ର ବିଦ୍ୟମାନ ସୀମା ସ୍ଥିତିକୁ ବିଚାର କରି ଜିଲ୍ଲା ମାଜିଷ୍ଟ୍ରେଟ ନୟାଗଡ଼ଙ୍କ ଦ୍ବାରା ନୂତନ ଭାବରେ ବିଜ୍ଞପ୍ତି ପ୍ରକାଶ କରାଗଲେ, ତାଙ୍କର କୈାଣସି ଆପତ୍ତି ରହିବ ନାହିଁ ବୋଲିି ଆବେଦନକାରୀ ନବକିଶୋର ପାଣିଗ୍ରାହୀଙ୍କ ତରଫରୁ ପ୍ରତିନିଧିତ୍ଵ କରୁଥିବା ଅଧିବକ୍ତା ଆସଫ ଅଲି ଅହେମଦ ଲିଖିତ ଭାବେ କୋର୍ଟକୁ ଜଣାଇଥିଲେ । ଏହାକୁ ଜିଲ୍ଲା ମାଜିଷ୍ଟ୍ରେଟ ଗ୍ରହଣ କରିଥିଲେ । ଶୁଣାଣି ସମୟରେ ସମସ୍ତ ଅଂଶୀଦାର ଜିଲ୍ଲା ନଗର ଉନ୍ନୟନ ପ୍ରକଳ୍ପ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଏବଂ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ । ଫଳରେ ନିର୍ବାଚନ ପ୍ରକ୍ରିୟା ନେଇ ରହିଥିବା ପ୍ରତିବନ୍ଧକ ହଟି ଯାଇଥିବାରୁ ନିର୍ବାଚନ ପାଇଁ ଆଉ ସମସ୍ୟା ରହିବ ନାହିଁ ବୋଲିି ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.
Next Post