ଜଗତସିଂହପୁର ତା-୨୪.୦୪.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଓ ଜଗତସିଂହପୁର ପଞ୍ଚାୟତ ସମିତି ଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ମାନ୍ୟବର ସମବାୟ ,ହସ୍ତତନ୍ତ,ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ କହିଲେ ତଳସ୍ତରରେ ଥିବା ଲୋକଙ୍କ ନିକଟରେ ବିଭିନ୍ନ ଯୋଜନା ପହଞ୍ଚାଇବା ଆମ ସମସ୍ତଙ୍କ ଗୁରୁଦାୟିତ୍ଵ । ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ଗାଁ ର ଉନ୍ନତି ହେଲେ ଦେଶର ଉନ୍ନତି ହୋଇ ପାରିବ। ଘର ନଥିବା ପ୍ରତ୍ୟେକ ଗରିବ ଲୋକଙ୍କୁ ଦଳମତ ନିର୍ବିଶେଷରେ ଅନ୍ତଦ୍ୟୋୟ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଇଛି। ଆୟୁଷ୍ମାନ ଯୋଜନାରେ ଗରିବ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲା କୁ ଏକ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ। ଏହି ଉତ୍ସବରେ ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଯୋଗଦେଇ କହିଲେ ଆଜି ସାରା ଦେଶ ସମସ୍ତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ପଞ୍ଚାୟତିରାଜ ଦିବସ ପାଳନ କରୁଛି। ସରକାରଙ୍କ ଉତ୍ତର ଦାୟିତ୍ଵ ହେଉଛି ଦେଶର ବିକାଶ କରିବା। ପଞ୍ଚାୟତକୁ ଏକ ୟୁନିଟ ଭାବେ ନେଇ ବିକାଶ କରାଯାଉଛି। ପଞ୍ଚାୟତର ବିକାଶ କହିଲେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କୁ ବୁଝାଇଥାଏ। ମହିଳାଙ୍କ ବିକାଶ ହେଲେ ପରିବାରର ବିକାଶ ହୋଇପାରିବ। ଚାଷୀର ଆୟ ଦ୍ଵିଗୁଣିତ ହେଲେ ଦେଶର ବିକାଶ ହୋଇ ପାରିବ। ସମଗ୍ର ଓଡ଼ିଶାରେ ଅର୍ଦ୍ଧାଧିକ ମହିଳା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସାମିଲ ହୋଇ ପାରିଛନ୍ତି। କେନ୍ଦ୍ର ସରକାର ପଞ୍ଚାୟତ ର ଉନ୍ନତି ପାଇଁ ପ୍ରତ୍ୟେକ ପଞ୍ଚାୟତ କୁ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଯୋଗାଇ ଦେଉଛନ୍ତି। ଏହି ଉତ୍ସବରେ ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ଯୋଗଦେଇ କହିଲେ ୧୯୫୯ ରେ ପଞ୍ଚାୟତିରାଜ ଦିବସ ଆରମ୍ଭ ହୋଇଥିଲା। ୧୯୯୨ ରେ ସମ୍ବିଧାନ ସଂଶୋଧନ କରାଯାଇ ପ୍ରତି ବର୍ଷ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। ପଞ୍ଚାୟତିରାଜ ବ୍ୟବସ୍ଥା ରେ ମହିଳା ମାନଙ୍କୁ ଅଧିକ କ୍ଷମତା ଦିଆଯାଇ ସେମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସ୍ବାବଲମ୍ବୀ କରାଯାଇ ପାରୁଛି। ଭାରତ ବର୍ଷ ବିଶ୍ଵ ଅର୍ଥନୀତିରେ ୫ମ ସ୍ଥାନ ଅଧିକାର କରିପାରିଛି। ଅର୍ଥନୀତି ସୁଦୃଢ କରିବାକୁ ହେଲେ ମା ମାନଙ୍କର ଅର୍ଥନୀତିକୁ ପ୍ରଥମେ ସୁଦୃଢ କରାଯିବା ଉଚିତ୍। ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀ କୁ ପ୍ରତି ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ମାର୍କେଟ କମ୍ପ୍ଲେକ୍ସ ଖୋଲାଯାଇ ବିକ୍ରି କରିବାକୁ ଜିଲ୍ଲା ପ୍ରଶାସନ କୁ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଅଧ୍ୟକ୍ଷତା କରି ପଞ୍ଚାୟତିରାଜ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ। ଉତ୍ସବରେ ଯୋଗଦେଇ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ କହିଲେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଏବେ ଦେଶର ବିକାଶ ରେ ମୁଖ୍ୟ ବିନ୍ଧାଣି ସାଜିଛନ୍ତି। ବର୍ତମାନ ଦେଶ ଧୀରେ ଧୀରେ ବିକାଶ ଆଡ଼କୁ ଅଗ୍ରଗତି କରି ପାରୁଛି। ବୈଠକ ଆରମ୍ଭରେ ପହେଲ ଗ୍ରାମରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରାରମ୍ଭରେ ଜଗତସିଂହପୁର ବି.ଡି.ଓ ଶ୍ରୀ ଆଶୁତୋଷ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଜୟ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କୁଜଙ୍ଗ ବ୍ଲକ୍ ର ନୂଆଗଡ ଗ୍ରାମ ପଞ୍ଚାୟତ ଓ ଏରସମା ବ୍ଲକ୍ ର ଏରସମା ଗ୍ରାମ ପଞ୍ଚାୟତ ର ସରପଞ୍ଚଙ୍କୁ କୁ ପ୍ରତ୍ୟେକ ୩ ଲକ୍ଷ ୮୬ ହଜାର ୪୭୩ ଟଙ୍କା ଆର୍ଥିକ ପୁରସ୍କାର ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ଜିଲ୍ଲାର ୫ ଜଣ ଲକ୍ଷପତି ଦିଦିଙ୍କୁ ପୁରସ୍କାର ପ୍ରଦାନ ସହ ୫ ଜଣ ହିତାଧିକାରୀଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ କରାଯାଇଥିଲା। ଜିଲ୍ଲାର ୫ ଟି ପଞ୍ଚାୟତ କୁ ଗୋଷ୍ଠି ବିନିମୟ ପାଣ୍ଠି ମାଧ୍ୟମରେ ୩୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,ସହର ର ବୁଦ୍ଧିଜୀବି, ସ୍ୱୟଂ ସହାୟକ ଗୋଷ୍ଠୀ ର ମା ମାନେ, ଗଣ ମାଧ୍ୟମ ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.