କିଟ୍ ଓ କିସ୍ରେ ସମ୍ବିଧାନ ଦିବସ ପାଳିତ
ଭୁବନେଶ୍ୱର: ଶିକ୍ଷା ହେଉଛି ସାର୍ବଭୌମିକ ମାନବାଧିକାର ବୋଲି ଇଣ୍ଟରନ୍ୟାସ୍ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ର ବିଚାରପତି ଡ. ଜଷ୍ଟିସ୍ ଦଲବୀର ଭଣ୍ଡାରୀ ପ୍ରକାଶ କରିଛନ୍ତି । ସମ୍ବିଧାନ ଦିବସ ପାଳନ ଅବସରରେ କିସ୍ ପରିସରରେ ଆୟୋଜିତ ଉତ୍ସବରେ ଡ. ଭଣ୍ଡାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଇଣ୍ଟରନ୍ୟାସ୍ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ର ଅନ୍ୟତମ ବିଚାରପତି ଜଷ୍ଟିସ୍ ଆଣ୍ଟୋନିଓ ଅଗସ୍ତୋ କନ୍କଡୋ ଟି୍ରନ୍ଡେଡ୍, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଚିବ ଡ. ଧନେଶ୍ୱର ମୁଲେ ଏବଂ ନରୱେରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଦେବରାଜ ପ୍ରଧାନ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କିସ୍ର ୨୭ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ଡ. ଭଣ୍ଡାରୀ କହିଲେ, ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ଶିକ୍ଷାର ଭୂମିକା ଅତୁଳନୀୟ । ଶିକ୍ଷା ହେଉଛି ଗୁରୁଙ୍କ ଗୁରୁ । ମଣିଷର ଏକ ସ୍ୱତନ୍ତ୍ର ଅଭିବ୍ୟକ୍ତି ହେଉଛି ଶିକ୍ଷା । ଶିକ୍ଷା ବିନା ମଣିଷ ପଶୁ ସହ ସମାନ ବୋଲି ଡ. ଭଣ୍ଡାରୀ କହିଥିଲେ । ମୁଁ ବିଶ୍ୱର ଅର୍ଦ୍ଧାଧିକ ଦେଶ ବୁଲି ସାରିଲିଣି, କିନ୍ତୁ କିସ୍ ଭଳି ଅନୁଷ୍ଠାନ କେଉଁଠି ଦେଖିବାକୁ ପାଇନାହିଁ । କିସ୍ ହେଉଛି ବିଶ୍ୱର ଏକ ଆଶ୍ଚର୍ଯ୍ୟ । ସେ କହିଥିଲେ, କିସ୍ରେ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାପକ ସୁଯୋଗ ରହିଛି । ଏହାର ସୁବିନିଯୋଗ କରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଶ୍ୱରେ କୌଣସି ଜିନିଷ ଅସମ୍ଭବ ନୁହେଁ । ଜଣେ ଚାହିଁଲେ ତାର ଲକ୍ଷ୍ୟ ହାସଲ୍ କରିପାରିବ । ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଜଷ୍ଟିସ୍ ଆଣ୍ଟୋନିଓ ତାଙ୍କ ଭାଷଣରେ କହିଥିଲେ ତୁମମାନଙ୍କୁ ଶିକ୍ଷା ପାଇଁ କିସ୍ରେ ଏକ ବଡ଼ ସୁଯୋଗ ମିଳିଛି ଯାହା କି ତୁମ ଜୀବନ ପାଇଁ ପ୍ରମୁଖ ଅଟେ । ଆମେ ଯେଉଁଠାରେ ବସବାସ କରୁଛେ, ଶିକ୍ଷା ମାଧ୍ୟମରେ ଆମ ଚତୁର୍ପାଶ୍ୱର୍ରେ ଥିବା ପୃଥିବୀକୁ ଆମେ ବୁଝି ପାରିବା । ଆମ ଜୀବନ କାଳ ଖୁବ୍ କମ୍ ସମୟ । ଆମେ ଏବଂ ଆମ ସହିତ ବସବାସ କରୁଥିବା ସମସ୍ତେ କିପରି ଶାନ୍ତିରେ ରହିପାରିବେ ସେଥିପାଇଁ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଥିଲେ । ସେହିପରି କିଟ୍ରେ ଆଇନ୍ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ଡ. ଭଣ୍ଡାରୀ କହିଲେ, ଉଚ୍ଚତର ଶିକ୍ଷା ହେଉଛି ବିକାଶ ପାଇଁ ପ୍ରେରଣା ଶକ୍ତି । ରାଷ୍ଟ୍ରର ଅଭିବୃଦ୍ଧି, ବିକାଶ ସବୁକିଛି ଶିକ୍ଷା ଉପରେ ହିଁ ନିର୍ଭର କରେ । ଶିକ୍ଷା ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ସମ୍ଭବ । ଏ କ୍ଷେତ୍ରରେ ମୁଁ ଡ଼ ସାମନ୍ତଙ୍କ ସହ ଶତପ୍ରତିଶତ ସହମତ । ବିଶ୍ୱବିଦ୍ୟାଳୟଗୁଡ଼ିକ ମାନବିକତା ଓ ସହିଷ୍ଣୁତା ଉପରେ ଦଣ୍ଡାୟମାନ । ତେଣୁ ବିଶ୍ୱବିଦ୍ୟାଳୟଗୁଡ଼ିକ ସର୍ବଦା ମାନବିକତା ଓ ସହିଷ୍ଣୁତାକୁ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଥିଲେ । ଏହି ଅବସରରେ କିଟ୍ ଲ ସ୍କୁଲ୍ ପକ୍ଷରୁ ଆୟୋଜିତ ଇଣ୍ଟରନ୍ୟାସ୍ନାଲ୍ କମର୍ସିଆଲ୍ ଆର୍ବିଟ୍ରେସନ୍ ଆଲୋଚନାଚକ୍ରରେ ନଟିଂହାମ୍ ଟ୍ରେଣ୍ଟ ବିଶ୍ୱବିଦ୍ୟାଳୟର ପ୍ରଫେସର ମାର୍ଟିନ୍ ହଣ୍ଟର, ଆଇନ୍ ଓ ନ୍ୟାୟ ମନ୍ତ୍ରାଳୟର ପୂର୍ବତନ ସଚିବ ପି. କେ. ମାଲହୋତ୍ରା ଏବଂ ଏସିଆନ୍ ଲିଗାଲ ଆଲାଏନ୍ସର ଅଧ୍ୟକ୍ଷ ପ୍ରଫେସର ଷ୍ଟିଭ୍ କେ. ଏନ୍ଗୋ ପ୍ରମୁଖ ଯୋଗଦେଇ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଇଣ୍ଟରନ୍ୟାସ୍ନାଲ୍ କମର୍ସିଆଲ୍ ଆର୍ବିଟ୍ରେସନ୍ର ଉପଯୋଗିତା ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ଆର୍ଏନ୍ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପଦ୍ମଶ୍ରୀ ଡା. ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, କୁଳସଚିବ ଡ. ସମ୍ମିତାରାଣୀ ସାମନ୍ତ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କୁଳସଚିବ ଜୁଲିଅସ୍ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ ।