ଚୋରା ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

2
FILE PHOTO

ଭୁବନେଶ୍ୱର : ରାଜ୍ୟରେ ଚୋରା ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ରାଜ୍ୟ ତମାମ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱାକୁ ଜବତ କରାଯାଉଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ଗତ 7 ତାରିଖରୁ ପୋଲିସ ପକ୍ଷରୁ ଏହି ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ଆଜି ପର୍ଯ୍ୟନ୍ତ ସାରା ରାଜ୍ୟରେ ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ 456 ଟି ମାମଲା ରୁଜୁ କରାଯାଇଥିବା ବେଳେ 524 ଟି ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱାକୁ ଜବତ କରାଯାଇଛି । ଏହା ସହ 360 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ 1 ଶହରୁ ଅଧିକ ଲୋକଙ୍କୁ ନୋଟିସ ଦିଆଯାଇଛି ବୋଲି ଡିଜିପି ଶ୍ରୀ ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଧରପଗଡ଼ ଅଭିଯାନ ଲଗାତାର ଭାବେ ଚାଲିବ ବୋଲି ଡିଜିପି ମତବ୍ୟକ୍ତ କରିଛନ୍ତି । ବାଲି, ମୋରମ ଚୋରା କାରବାର ସମ୍ପର୍କରେ ସ୍ଥାନୀୟ ବ୍ୟକ୍ତିବିଶେଷ ପୋଲିସକୁ ସୂଚନା ମଧ୍ୟ ଦେଇପାରିବେ। ପୋଲିସର ଏହି ଅଭିଯାନ ଯୋଗୁଁ ରାଜ୍ୟରେ ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ଦୌରାତ୍ମ୍ୟ ନିଶ୍ଚିତ ଭାବେ କମିବ ବୋଲି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ , ରବିବାର ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର ପୋଲିସର ସ୍ୱତନ୍ତ୍ର ଟିମ ବିଭିନ୍ନ ଚୋରା ବାଲିଘାଟ ଉପରେ ଚଢାଉ କରି 91ଟି ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱା ଜବତ କରାଯାଇଛି। ଏହା ସହ 87 ଟି ମାମଲା ରୁଜୁ କରାଯାଇଥିବା ବେଳେ 96 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ଧରପଗଡ଼ ଲଗାତାର ଭାବେ ଚାଲିବ। ବାଲି, ମୋରମ ଚୋରା କାରବାର ସମ୍ପର୍କରେ ସ୍ଥାନୀୟ ବ୍ୟକ୍ତି ବିଶେଷ ପୋଲିସକୁ ସୂଚନା ମଧ୍ୟ ଦେଇପାରିବେ। ରାଜ୍ୟରେ ଚୋରା ବାଲି ଚାଲାଣ ରୋକିବାକୁ ଆଗାମୀ ଦିନରେ ମଧ୍ୟ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିବ ବୋଲି ଓଡିଶା ପୋଲିସ ପକ୍ଷରୁ ଏକ ପ୍ରେସ ରିଲିଜ ରେ କୁହାଯାଇଥିଲା | 

Leave A Reply

Your email address will not be published.