ଚିଲିକା:(ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିକୁଣ୍ଡ ବରଡ଼ି ଗ୍ରାମର ଝିଅ ସୌମ୍ୟାଶ୍ରୀ ବରାଳ ବଡ ସଫଳତା ହାସଲ କରିଛନ୍ତି। ଡ. ସୌମ୍ୟାଶ୍ରୀ ବରାଳ ନାସାରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଛନ୍ତି। ସୌମ୍ୟାଶ୍ରୀଙ୍କ ପିତା ନିଶାକର ବରାଳ ଜଣେ ଅବସରପ୍ରାପ୍ତ ଶିକ୍ଷକ ଥିବା ବେଳେ ମାତା ସଞ୍ଜୁକ୍ତା ବରାଳ ଜଣେ ଗୃହିଣୀ ଅଟନ୍ତି।ସୌମ୍ୟାଶ୍ରୀ ନାଚୁଣୀ ସରକାରୀ ଉଚ୍ଚ ବିଦ୍ୟାଳୟରୁ ୧୦ମ ଏବଂ ପରେ ନିରାକାରପୁରସ୍ଥିତ କେବିଡିଏଭି ସରକାରୀ ମହାବିଦ୍ୟାଳୟରୁ ଦ୍ଵାଦଶ ପାସ କରିଥିଲେ। ସେ ପଦାର୍ଥ ବିଜ୍ଞାନ (ସମ୍ମାନ) ରେ ବିଏସସି କରିଥିଲେ। ପରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଏମ.ଏସସି ପାଠ୍ୟକ୍ରମ ଶେଷ କରିଥିଲେ। ବିଏସସିରେ ପଢ଼ିବା ସମୟରେ ତାଙ୍କର ପଦାର୍ଥ ବିଜ୍ଞାନ ଏବଂ ଗବେଷଣା ପ୍ରତି ରୁଚି ବଢ଼ିଥିଲା। ଏହି ରୁଚି ଭିତରେ ତାଙ୍କର ସ୍ଵପ୍ନ ଲୁଚି ରହିଥିବା ସେ ହୃଦବୋଧ କରିବା ପରେ ଆଗକୁ ବଢ଼ିଚାଲିଥିଲେ। ବାଣୀବିହାରରେ ଏମ.ଏସସି ପରେ ସେ ଆଇଆଇଟି ପାଟନାରେ କମ୍ପ୍ୟୁଟେସନାଲ ଆଟୋମିକ ଫିଜିକ୍ସରେ ପିଏଚଡି କରିଥିଲେ।ପିଏଚ.ଡି ଶେଷ ହେବା ପରେ ତାଙ୍କୁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ଚାକିରି କରିବାକୁ ଅଫର ମିଳିଛି। ଯାହାକୁ ନେଇ ସେ ବେଶ୍ ଖୁସି ଥିବା କହିଛନ୍ତି ସୌମ୍ୟାଶ୍ରୀ। ପୋଷ୍ଟ ଡକ୍ଟରାଲ ରିସର୍ଚ୍ଚ ଆସୋସିଏଟ ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ଆମେରିକାର ଓ୍ବାଶିଂଟନ ଡିସିଠାରେ ଥିବା ନାସାର ଗୋଡାର୍ଡ ସ୍ପେଶ ଫ୍ଲାଇଟ ସେଣ୍ଟରରେ ସେ ବର୍ତ୍ତମାନ କାର୍ଯ୍ୟ କରିବେ। ନାସାର ଅନେକ ବଡ଼ ବଡ଼ ଗବେଷଣା କେନ୍ଦ୍ର ମଧ୍ୟରୁ ଏହି କେନ୍ଦ୍ର ଅନ୍ୟତମ।ସୌମ୍ୟାଶ୍ରୀ ନିଜେ ତାଙ୍କ ସ୍ଵପ୍ନକୁ ସାକାର କରିବାରେ ସଫଳ ହେବା ସହ ନିଜ ଜନ୍ମ ମାଟି ପାଇଁ ଗୌରବ ଆଣିଛନ୍ତି। ଗ୍ରାମାଞ୍ଚଳର ଜଣେ ଝିଅ ନାସାର ବୈଜ୍ଞାନିକ ଭାବେ କାର୍ଯ୍ୟ କରିବା ଏକ ବଡ ସମ୍ମାନର ବିଷୟ। ତେଣୁ ତାଙ୍କର ଏହି ସଫଳତା ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।ସୌମ୍ୟାଶ୍ରୀଙ୍କ ଏହି ସଫଳତା କେବଳ ଓଡ଼ିଶା ନୁହେଁ, ସାରା ଭାରତବର୍ଷ ପାଇଁ ଗୌରବର ବିଷୟ। ଏହି ଯାତ୍ରା ସାଧାରଣତଃ କଠିନ ଥିଲେ ହେଁ ସୌମ୍ୟାଶ୍ରୀଙ୍କ ନିରବଚ୍ଛିନ୍ନ ପ୍ରୟାସ ଏବଂ ଦୃଢ଼ ଇଚ୍ଛା ଶକ୍ତି ତାହାକୁ ସୁଗମ କରିଦେଇଛି।
Sign in
Sign in
Recover your password.
A password will be e-mailed to you.