ବିଶ୍ୱ ଜଳବାୟୁ ଦିବସ: ଜଳବାୟୁ ପରିବର୍ତନର ମୁକାବିଲା ନିମନ୍ତେ ଆହ୍ୱାନ

2

ଭୁବନେଶ୍ୱର, ଡିସେମ୍ବର ୯: ଜଳବାୟୁ ପରିବର୍ତନ ଏବେ ଆଉ ଗଳ୍ପ ନୁହେଁ, ଏହା ବାସ୍ତବ । ସାରା ପୃଥିବୀରେ ଏହାର ପ୍ରଭାବ ଅନୁଭୂତ ହେଉଛି । ଏହାକୁ ପ୍ରତିହତ କରିବା ନିମନ୍ତେ ବିଳମ୍ବ ନ କରି ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଏହି କ୍ଷେତ୍ରରେ ଅଭିଜ୍ଞତା ଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ଜଳବାୟୁ ପରିବର୍ତନ ଆଉ କାହାଣୀ ନୁହେଁ ଏହା ଏକ ଭୈାଗଳିକ ତଥା ପ୍ରତ୍ୟକ୍ଷ ଭାବେ ଅନୁଭୂତ ହେଉଥିବା ଘଟଣା ଯାହାର ସ୍ଥାନୀୟ ଭାବେ ଯଥେଷ୍ଟ ପ୍ରଭାବ ରହିଛି ବୋଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି ।
ପ୍ରଫେସର ରାଉଳ ରବିବାର ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ (ସୋଆ)ରେ ଆୟୋଜିତ ‘ଓଡ଼ିଶା କ୍ଲାଇମେଟ ଚେଞ୍ଜ କନ୍କ୍ଲେଭ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବକ୍ତବ୍ୟ ରଖିଥିଲେ । ଏହି କନ୍କ୍ଲେଭ୍କୁ ଶିକ୍ଷା ଓ ଅନୁସନ୍ଧାନ ଓ ଏଭର ଗ୍ରୀନ୍ ଫୋରମ୍ ଦ୍ୱାରା ବିଶ୍ୱ ଜଳବାୟୁ ଦିବସ ଉପଲକ୍ଷେ ଆୟୋଜିତ କରାଯାଇଥିଲା ।
ପ୍ରଫେସର ରାଉଳ କହିଥିଲେ ଯେ ଜଳବାୟୁ ପରିବର୍ତନର ପ୍ରଭାବ ସବୁଆଡେ଼ ପରିଲକ୍ଷିତ ହେଉଛି । ଏପରି ସମୟ ମଧ୍ୟକୁ ମାନବ ସମାଜ ପ୍ରବେଶ କରୁଛି ଯେତେବେଳେ କେବଳ ଦୁଇଟି ଋତୁ, ଶୁଷ୍କ ଓ ଆର୍ଦ୍ର ଭବିଷ୍ୟତରେ ଅନୁଭୂତ ହେବ । ଏହି ପରିବର୍ତନ ଫଳରେ ଓଡ଼ିଶାରେ ଗହମ ଚାଷ ହୋଇପାରୁ ନାହିଁ ଏବଂ ଭବିଷ୍ୟତରେ ସୋରିଷ ଚାଷ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ଦେଖାଦେଇଛି ବୋଲି ସେ କହିଥିଲେ ।
ଏହି କନ୍କ୍ଲେଭର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପୁନେ ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲୋଜିର ନିଦେ୍ର୍ଧଶକ ଡକ୍ଟର ଆର. କ୍ରିଷ୍ଣନ୍, ମିଜୋରାମର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବିଶ୍ୱାଳ, ସୋଆ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ଏଭର ଗ୍ରୀନ୍ ଫୋରମ୍ର ସଭାପତି ଡକ୍ଟର ପ୍ରକାଶ ଚନ୍ଦ୍ର ଜେନା ବକ୍ତବ୍ୟ ରଖିଥିଲେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ।
ଡକ୍ଟର କ୍ରିଷ୍ଣନ୍ ଜଳବାୟୁ ପରିବର୍ତନକୁ ମନୁଷ୍ୟକୃତ ବୋଲି ଅଭିହିତ କରି ଏହା ବାୟୁମଣ୍ଡଳ, ସମୁଦ୍ର ଓ ଭୂଭାଗକୁ ଉତପ୍ତ କରି ଚାଲିଛି ବୋଲି କହିଥିଲେ । ଆମେ ଯେଉଁ ପରିବର୍ତନ ଏବେ ଅନୁଭବ କରୁଛୁ ତାହା ଭବିଷ୍ୟତରେ ଆହୁରି ଅଧିକ ଅନୁଭୂତ ହେବ ବୋଲି ସେ କହିଥିଲେ ।
ଶ୍ରୀ ବିଶ୍ୱାଳ ମିଜୋରାମକୁ ଭାରତର ସବୁଠାରୁ ସ୍ୱଚ୍ଛ ରାଜ୍ୟ ବୋଲି ବର୍ଣ୍ଣନା କରି ବିଭିନ୍ନ କ୍ଷେତ୍ରରେ ଏହା ରାଜ୍ୟର ଜନସାଧାରଣଙ୍କ ମିଳିତ ଉଦ୍ୟମକୁ ପ୍ରଶଂସା କରିଥିଲେ ।
ପରିବେଶ ସଂରକ୍ଷଣ ନିମନ୍ତେ ଦୃଢ଼ ପଦକ୍ଷେପ ନ ନେଲେ ଜଳବାୟୁ ପରିବର୍ତନକୁ ପ୍ରତିହତ କରିହେବ ନାହିଁ ବୋଲି ମତ ପ୍ରକାଶ କରି ବିକାଶ ନିମନ୍ତେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ତଥା କୃଷିକ୍ଷେତ୍ରରେ ଅନୁସୃତ ହେଉଥିବା ପ୍ରଣାଳୀର ନକାରାତ୍ମକ ପ୍ରଭାବ ପଡ଼ୁଥିବା ବିଷୟ ସେ ଉଲ୍ଲେଖ କରିଥିଲେ ।
ଜଳ ସଂପଦର ଉଚିତ୍ ବ୍ୟବହାର ନ କଲେ ଓ ନବୀକରଣକ୍ଷମ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ନ ଦେଲେ ଜଳବାୟୁ ପରିବର୍ତନର ମୁକାବିଲା କରିବା ସହଜ ହେବ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ ।
ସ୍ଥାନୀୟ ଭାବେ ଉପଲବ୍ଧ ଜ୍ଞାନ କୁ ମଧ୍ୟ ଏହି ପ୍ରକାର ସମସ୍ୟାକୁ ପ୍ରତିହତ କରିବା ନିମନ୍ତେ ବ୍ୟବହାର କରିବା ଆବଶ୍ୟକ ବୋଲି କହି ଜନସାଧାରଣ ଏକ ହୋଇ ଏହାର ମୁକାବିଲା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ୧୯୫୮ ମସିହାରେ ମିଜୋରାମରେ ଉପୁଜିଥିବା ଦୁର୍ଭିକ୍ଷ ସମୟରେ ଭୀଷଣ ଖାଦ୍ୟାଭାବ ଘଟିଥିଲା । ମାତ୍ର ରାଜ୍ୟର ଲୋକମାନେ ସେମାନଙ୍କ ଠାରେ ଉପଲବ୍ଧ ଖାଦ୍ୟକୁ ସମସ୍ତଙ୍କ ସହ ଅଂଶୀ ହେବା ଫଳରେ ସମସ୍ତେ ବଂଚି ପାରିଥିଲେ ବୋଲି ସେ କହିଥିଲେ ।
ପ୍ରଫେସର ରାଉତ କହିଥିଲେ ଯେ ଜଳବାୟୁ ପରିବର୍ତନ କୃଷି କ୍ଷେତ୍ରରେ ବିଶେଷ ପ୍ରଭାବ ପକାଇଛି । ବୃଦ୍ଧି ପାଉଥିବା ଉତାପ, ବୃଷ୍ଟିପାତରେ ଅନିୟମିତତା ଏବଂ ବାରମ୍ବାର ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ କୃଷି ନିମନ୍ତେ ସମସ୍ୟା ସୃଷ୍ଟି କରୁଥିବା ବେଳେ ଉତ୍ପାଦନରେ ଏବଂ ମୃତିକାର ଗୁଣବତାରେ ହ୍ରାସ ଘଟୁଛି ।
ପ୍ରଫେସର ନନ୍ଦ କହିଥିଲେ ଯେ ଜଳବାୟୁ ପରିବର୍ତନ ଏକ ବିଶ୍ୱବ୍ୟାପୀ ଘଟଣା ହୋଇଥିବା ବେଳେ ଏହାକୁ ଏକ ସ୍ଥାନୀୟ ବିଷୟ ବୋଲି ସାଧାରଣ ଭାବେ ମନେ କରାଯାଉଥିଲା । ବିକାଶ ଉପରେ ଆମର ଦୃଷ୍ଟି ନିବଦ୍ଧ ହୋଇଥିବା ବେଳେ ଏହା ଦ୍ୱାରା ପରିବେଶ ଉପରେ ପଡ଼ୁଥିବା ପ୍ରଭାବକୁ ଆମେ ଅଣଦେଖା କରିଥିଲୁ । ଏବେ ପ୍ରକୃତି ଆମ ଉପରେ ଦାଉ ସାଧୁଛି ।
ଏହି କନ୍କ୍ଲେଭ୍ର ବିଭିନ୍ନ ଅଧିବେଶନରେ ସୋଆ ପରିଚାଳିତ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍ଚର (ସିସିଏସ୍ଏ)ର ଡିଷ୍ଟିଙ୍ଗୁଇସ୍ଡ ପ୍ରଫେସର ଉମା ଚରଣ ମହାନ୍ତି, ଇନ୍ଟରନ୍ୟାସ୍ନାଲ୍ ସୋସାଇଟି ଫର୍ ଏଗ୍ରିକଲ୍ଚରାଲ୍ ମେଟିଓରୋଲୋଜିର ସଭାପତି ଡକ୍ଟର ନବାଂଶୁ ଚଟ୍ଟୋପାଧ୍ୟାୟ, ଆଇଏମ୍ଡି ଭୁବନେଶ୍ୱରର ନିଦେ୍ର୍ଧଶକ ଡକ୍ଟର ମନୋରମା ମହାନ୍ତି, ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ରର ନିଦେ୍ର୍ଧଶକ ଡକ୍ଟର ଶରତ ଚନ୍ଦ୍ର ମହାନ୍ତି, ସିସିଏସ୍ଏର ନିଦେ୍ର୍ଧଶକ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ଆଇସିଏଆର-ଇଣ୍ଡିଆନ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ୱାଟର ମ୍ୟାନେଜମେଂଟ, ଭୁବନେଶ୍ୱରର ନିଦେ୍ର୍ଧଶକ ଡକ୍ଟର ପ୍ରମୋଦ କୁମାର ପଣ୍ଡା ଓ ସୋଆର ଡିନ୍ (ସ୍ପନ୍ସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ କନ୍ସଲ୍ଟାନ୍ସି) ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.