ପୁରୀ,(ଅନିମେଶ ପଟ୍ଟନାୟକ): ସରିଲା ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଗୋସାଣୀ ଯାତ୍ରା । ମାଆ ‘ଙ୍କୁ ବିଦାୟ ଦେବା ପୂର୍ବରୁ ସୋମବାର ସଂଧ୍ଯାରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦେବୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ଗୋସାଣୀ ଯାତ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପତନି ଆସି ଦେବୀ ମାନଙ୍କୁ ଲାଗି କରାଯାଇଥିଲା । ଶ୍ରୀମନ୍ଦିର ମହାଦୀପ ଉଠିବା ପରେ ଦେବୀ ମାନଙ୍କ ବିସର୍ଜନ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଅପରାହ୍ନରେ ବିଭିନ୍ନ ମଣ୍ଡପରୁ ଠାକୁରାଣୀ ମାନେ ନିଜ ନିଜ ଆସ୍ଥାନ ଛାଡି ସିଂହଦ୍ଵାରକୁ ଆଗମନ କରିଥିଲେ । ପୂଜା କମିଟିର ତତ୍ତ୍ଵାବଧାନରେ ସାହି ବାସିନ୍ଦାଙ୍କ ଗହଣରେ ମୃଣ୍ମୟୀ ମୂର୍ତ୍ତି ଦେବୀ ମାନଙ୍କ ଶୋଭାଯାତ୍ରା ବାହାରିଥିଲା । ପାରମ୍ପରିକ ବାଦ୍ଯ, ଘଣ୍ଟ, ଓ ମାଦଳର ଧ୍ବନିରେ କମ୍ପିଥିଲା ସାହି ଗଳିକନ୍ଦି । ଦେବୀ ମାନଙ୍କ ମୃଣ୍ମୟୀ ପ୍ରତିମା ମୂର୍ତ୍ତିଗୁଡ଼ିକ ସିଂହଦ୍ଵାର ସମ୍ମୁଖରେ ବିଜେ ହୋଇଥିଲେ । ବାରବାଟୀ ଜାଗା ମଣ୍ଡପରୁ ମା ବାରବାଟୀ , ଦୋଳମଣ୍ଡପ ସାହି ମଣ୍ଡପରୁ ମା ଜହ୍ନି ଖାଇ, ମା ଭୋଗଯାଗା, ମା ଶୂନ୍ଯଗୋଷାଣୀ ,ବାଲିସାହିରୁ ମା ଜହ୍ନିଖାଇ, ଗୌଡବାଡ ସାହିରୁ ମା ଜହ୍ନିଖାଇ, ମା ଶୂନ୍ଯଗୋଷାଣୀ, ମା ମହତେଶ୍ବରୀ, ମା ହଜୁରୀ ଗୋଷାଣୀ, ମା ଚକ୍ରକୋଟ, ମା ବନଦୁର୍ଗା, ମା ଚାମୁଣ୍ଡା,ମା ଗେଲବାଇ, ମା ବେଲବାଇ ଆଦି ଦେବୀଙ୍କ ପ୍ରତିମା ସିଂହଦ୍ଵାର ଦେବୀ ସଭାରେ ଏକତ୍ରୀତ ହୋଇ ବିରାଜମାନ କରିଥିଲେ । ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଦେବୀ ମାନଙ୍କୁ ଦର୍ଶନ କରିବା ସହ ପ୍ରାର୍ଥନା କରିବା ଦେଖିବାକୁ ମିଳିଥିଲା । ଦେବୀ ସଭାରେ ଅନନ୍ଯ ଆକର୍ଷଣ ହୋଇଥିଲା ଛୋଟ ବଡ ନାଗାମୂର୍ତ୍ତି । ନାଗା ଠାଣି,ଚାହାଣି ଓ ପାହୁଲ ଦେଖିବାକୁ ବେଶୀ ଭିଡ ଜମିଥିଲା । ଶୋଭାଯାତ୍ରାର ତାଳେ ତାଳେ ପୁରୀ ଜାଗା ଭେଣ୍ଡିଆଙ୍କ ନାଗା ଭଳି ସାମରିକ କଳା କୌଶଳ ଦେଖିବାକୁ ମିଳିଥିଲା । ଏଥିସହ ୨୫ ରୁ ଉର୍ଦ୍ଧ୍ବ ଶ୍ରୀଗଣେଶ, ରାବଣ ଅଷ୍ଟମଲ୍ଲ, ସଂପାତି, ବୁଢାବୁଢୀ, ପାଳଭୂତ ପର୍ଶୁରାମଙ୍କ ପ୍ରତିମା ମେଳଣ ସ୍ଥାନରେ ଶୋଭା ପାଇଥିଲେ । ସୋଲ, ଜରି, ଜମ୍ବୁରାରେ ପ୍ରସ୍ତୁତ ଆକର୍ଷଣୀୟ ମେଢରେ ଠାକୁରାଣୀଙ୍କୁ ସୁସଜ୍ଜିତ କରାଯାଇଥଲା । ହରଚଣ୍ଡୀ ସାହି ,ବାଲିସାହି, ମାଜଣା ଜାଗା, ବାସେଳୀ ସାହି ନରେନ୍ଦ୍ରକୋଣ ଆଦି ସ୍ଥାନରୁ ପୂଜା ପାଉଥିବା ନାଗାମୂର୍ତ୍ତି ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଥିଲେ । ଶ୍ରୀମନ୍ଦିର ମହାଦୀପ ଉଠିବା ପରେ ମୃଣ୍ମୟୀ ପ୍ରତିମା ମାନଙ୍କୁ ଟ୍ରାକ୍ଟର ଓ ଅନ୍ଯ ଗାଡିରେ ରଖି ଶୋଭାଯାତ୍ରାରେ ମଙ୍ଗଳାଘାଟ ବାଇପାସ ନିକଟ ଅସ୍ଥାୟୀ ବିସର୍ଜନ ସ୍ଥଳକୁ ନିଆଯାଇଥିଲା । ସେଠାରେ ଦେବୀ ଓ ଅନ୍ଯ ଦେବତାମାନଙ୍କୁ ଆଶ୍ରୁଳ ବିଦାୟ ଦେଇ ପୂଜା ମଣ୍ଡପ କର୍ମକର୍ତ୍ତା ମାନେ ଫେରିଥିଲେ । ଭସାଣୀ ଉତ୍ସବରେ ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳା ରକ୍ଷା ନିମନ୍ତେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ କରାଯାଇଥିଲା । ବଡଦାଣ୍ଡର ମାର୍କେଟ ଛକ ଠାରୁ ଗାଡି ମୋଟର ଆଗକୁ ଛଡା ଯାଇ ନଥିଲା । ଲୋକମାନେ ଚାଲି ଚାଲି ଯାଇ ଦେବୀ ସଭା ବୁଲି ଫେରିଥିଲେ ।
Sign in
Sign in
Recover your password.
A password will be e-mailed to you.