– ଗାନ୍ଧୀ ଜୟନ୍ତୀ ଆସିଲେ ମନେପଡ଼େ ନିଶ୍ଚିନ୍ତକୋଇଲି ପଣସପଡ଼ିଆ ଗାନ୍ଧୀସ୍ମାରକୀ ପୀଠ କଥା l

0 2

 (ନିଶ୍ଚିନ୍ତକୋଇଲି – ଶାସକ ପ୍ରଶାସକ): ଆଜି ହେଉଛି ଜାତିର ପିତା ସ୍ୱାଧୀନତା ସଂଗ୍ରାମୀ ମହାତ୍ମାଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଉତ୍ସବ l ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ବଡ଼କ୍ଷୀର ପଞ୍ଚାୟତ ଗୋପପୁର ପଣସପଡ଼ିଆ ଗାନ୍ଧୀ ସ୍ମାରକୀ ପୀଠରେ ଏହି ଦିବସ ପାଳନ ପାଇଁ ଭିଡ଼ ଲାଗିବ । ହେଲେ ଏହି ପୀଠରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି , ଏହା ଉପରେ ଥିବା ଛାତ ଜରାଜୀର୍ଣ୍ଣ ହୋଇ ପଡ଼ି ରହିଥିବାବେଳେ ଏହାର ପରିସର ବିଭିନ୍ନ ଅନାବନା ଗଛଲତା ରେ ଭରପୁର ହୋଇ ଜଙ୍ଗଲ ସଦୃଶ ପାଲଟିଛି । ଗାନ୍ଧୀ ଜୟନ୍ତୀ ପୂର୍ବରୁ ପୀଠ ପରିସରକୁ ସଫା ସୁତୁରା କରିବା ,ଗାନ୍ଧି ପ୍ରତିମୂର୍ତି ମଣ୍ଡପକୁ ରଙ୍ଗ ଦେବା ଏବଂ ପ୍ରତିମୂର୍ତ୍ତି ରୂପରେଖକୁ ସଜାଡ଼ିବା ପାଇଁ ଗୁରୁତ୍ବଦେବା କାହାର ମନେପଡ଼ୁନଥିବା ବେଳେ ଗାନ୍ଧୀ ଜୟନ୍ତୀ ପାଳନ କରିବାକୁ ଏଠାକୁ ଆସୁଥିବା ବିଭିନ୍ନ ରାଜନୈତିକ ଦଳ , ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତିଙ୍କ ଏଥିପ୍ରତି ନଜର ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଚର୍ଚ୍ଚା ହେଉଛି । ଗାନ୍ଧୀ ଜୟନ୍ତୀରେ ଏହି ସ୍ମାରକୀ ପୀଠକୁ ମନେରଖିବା ପାଇଁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଯେଉଁମାନେ ଗାନ୍ଧୀଜୀଙ୍କୁ ଉପଯୁକ୍ତ ସମ୍ମାନ ଦେଉଥିବା ନେଇ ଗର୍ବ କରୁଛନ୍ତି ତାହା ସମ୍ମାନ ଦେବା ବଦଳରେ ଏକ ଲୋକ ଦେଖାଣିଆ ଗାନ୍ଧିଜୟନ୍ତୀ ପାଳନ ବୋଲି ଆଲୋଚନା ହେଉଛି। ଏହି ପୀଠର ଉନ୍ନତିକରଣ କିଭଳି ହେବ ସେଥ‌ିପ୍ରତି ପ୍ରଶାସନିକ ସ୍ତରରେ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଗତ ୧୯୩୪ ମସିହାରେ ସ୍ବାଧୀନତା ସଂଗ୍ରାମର ମୁଖ୍ୟ ପୁରୋଧା ମହାତ୍ମାଗାନ୍ଧୀ ଏହି ପଞ୍ଚାୟତର ପଣସପଡ଼ିଆ ନିକଟରେ ଥିବା ଏକ ଦଳିତ ସାହିରେ ରାତ୍ର ଯାପନ କରିଥିଲେ । ଏହାର ସ୍ମୃତିକୁ ମନେରଖ‌ିବା ପାଇଁ ପଣସପଡ଼ିଆକୁ ଗାନ୍ଧୀ ସ୍ମାରକୀ ପୀଠ ଭାବେ ନିଆଯାଇ ସେଠାରେ ଏକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି – ସ୍ଥାପନ କରାଯାଇଥିଲା ।

ପ୍ରତ୍ୟେକ ବର୍ଷ ଗାନ୍ଧୀ ଜୟନ୍ତୀ ଏବଂ ତାଙ୍କ ମହାପ୍ରୟାଣ ଦିବସରେ ଏହି ବ୍ଲକର ବିଭିନ୍ନ ସ୍ଥାନରୁ ବହୁ ରାଜନୈତିକ ଦଳ ଓ ଅନୁଷ୍ଠାନ ଏଠାକୁ ଆସି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥାନ୍ତି। ଏହି ପୀଠର ଉନ୍ନତିକରଣ କରିବା ପାଇଁ ସେମାନଙ୍କ ଭାଷଣରେ ପ୍ରତ୍ୟେକ ବର୍ଷ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହା ପରବର୍ତ୍ତି ସମୟରେ କୌଣସି କାର୍ଯ୍ୟରେ ପରିଣତ ହୁଏନାହିଁ । ଏହି ସ୍ମାରକୀପୀଠର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ପାଇଁ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯାଇନଥିବାରୁ ଏ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ସ୍ମାରକୀ ପୀଠର ସ୍ମୃତିକୁ ଅଧିକ ଉଜ୍ଜୀବିତ କରିବା ପାଇଁ ଏଠାରେ ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ କରାଯିବା ନିତ୍ୟାନ୍ତ ଆବଶ୍ୟକ ହୋଇପଡ଼ିଛି । ଏଥିପ୍ରତି ରାଜ୍ୟ ସରକାର ଗୁରୁତ୍ଵ ଦେଲେ ପୂଜ୍ୟ ପୂଜାର ମହତ୍ଵ ରକ୍ଷା କରାଯାଇପାରିବ ବୋଲି ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.