https://youtu.be/Cx0DWNMUkgk
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ – ୨୦୨୪ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପାରଳା ପୌର ପରିଷଦ ଅଞ୍ଚଳରେ ରହିଥିବା ୧୬ ଗୋଟି ୱାର୍ଡ ରେ ରହିଥିବା ବରପୁତ୍ର ଓ ମହାପୁରୁଷ ଯଥା:- ଓଡ଼ିଶାର ପ୍ରଥମ ନାଟ୍ୟକାର କବିଚନ୍ଦ୍ର ରଘୁନାଥ ପରିଚ୍ଛା , କଳହଂସ ଭକ୍ତକବି ଗୋପାଳ କୃଷ୍ଣ ପଟ୍ଟନାୟକ , ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ , ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ନବ ଉତ୍କଳର ନିର୍ମାତା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ , ଜାତିର ପିତା ମହାତ୍ମାଗାନ୍ଧୀ , ପଣ୍ଡିତ ଜବାହର ଲାଲ ନେହେରୁ , ସମ୍ବିଧାନ ପ୍ରଣେତା ବାବା ସାହେବ୍ ଡ଼ଃ ବି ଆର୍. ଆମ୍ବେଦକର ଓ ଅନ୍ୟ ବରପୁତ୍ର ଓ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀ ଉପରେ ପୌର ଉପାଧ୍ୟକ୍ଷ ଓ କାଉନସିଲର ମାନେ ପୁଷ୍ପମାଲ୍ୟ ପକାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।
ଏହି ଅବସରରେ ଅନୁଷ୍ଠିତ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଉଦବୋଧନ ଦେଇ ପୌର ପରିଷଦ ଅଞ୍ଚଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସବୁ ଆଗେଇ ଚାଲିଥିବା ବେଳେ କେତେକ ହେବାକୁ ଅଛି , ସେଥିପାଇଁ ପାରଳା ପୌର ପରିଷଦ ବାସୀ ଭାଇଚାରା ମନୋଭାବ ରଖି ଉନ୍ନୟନ କାର୍ଯ୍ୟରେ ସହଯୋଗ କରି ପୌର ପରିଷଦକୁ ରାଜ୍ୟରେ ଏକ ଅଗ୍ରଣୀ ପୌରପରିଷଦ ଭାବେ ଗଢିତୋଳିବା ରେ ସହାୟକ ହେବାକୁ ଆହ୍ବାନ କରିଥିଲେ।
ସେହିଭଳି ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ପୌରପରିଷଦ ଅଞ୍ଚଳ ରେ କାର୍ଯ୍ୟକାରୀ ହୋଇଥିବା ଏବଂ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇ ଘରେ ବାହାରୁଥିବା ଅଳିଆ ଆବର୍ଜନାକୁ ନାଳରେ କି ଏଣେ ତେଣେ ନ ପକାଇ ତାକୁ ଅଲଗା ରଖି ପୌର ପରିଷଦର ଆସୁଥିବା ଅଳିଆ ସଂଗ୍ରହକାରୀ ଗାଡ଼ିରେ ପକାଇବାକୁ କହିବା ସହ ପଲିଥିନ ମୁକ୍ତ ସମାଜ ଗଠନ କରିବା ଏବଂ ପାରଳା ସହରକୁ ସବୁଜ ଓ ସୁନ୍ଦର ରଖିବାରେ ସହାୟକ ହେବାକୁ ଆହ୍ବାନ କରିଥିଲେ।
କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ମଧୁସ୍ମିତା ଦାସ ଏହି ଅବସରରେ ସମାଜରେ ନାରୀ ସୁରକ୍ଷା ଓ ନାରୀକୁ ସମ୍ମାନ ଦେବା ସହ “ସୁଭଦ୍ରା” ଯୋଜନା ଉପରେ କହି ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ପୌର ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁଙ୍କ ନେତୃତ୍ୱରେ କାଉନସିଲର ମାନେ ସ୍ଥାନୀୟ କୁଷ୍ଟାଶ୍ରମ ଯାଇ ସେଠାକାର ଅନ୍ତେବାସୀ ମାନଙ୍କ ଫଳାହାର ବଣ୍ଟନ କରିଥିଲେ।
ଏହି ଅବସରରେ ପୌର ପରିଷଦ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ଯୋଜନାରେ ହୋଇଥିବା ୨ଟି ଶିଶୁ ପାର୍କ , ଗୌରବ ମୟ ପାରଳା ପାର୍କ ଓ ଆଧୁନିକ ଶ୍ମଶାନ କ୍ଷେତ୍ର ପ୍ରଭୃତି ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ। ଏହି ଅବସରରେ ସନ୍ଧ୍ୟାରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟରେ ମୁଖ୍ୟଅତିଥି ଭାବେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ ଦେଇଥିବା ବେଳେ ଜିଲ୍ଲାପାଳ ବିଜୟ କୁମାର ଦାଶ , ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଡ଼.ଗୁଣନିଧି ନାୟକ , ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ , ପୌର ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁ ଙ୍କ ସମେତ ସମସ୍ତ କାଉନସିଲର ମଞ୍ଚାସୀନ ଥିଲେ।
ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ମଞ୍ଚାସୀନ ଅତିଥି ଙ୍କ ଦ୍ବାରା ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।
ପରେ ପାରଳାର ଅଗ୍ରଣୀ ସାଂସ୍କୃତିକ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର , ପଦାମୃତ ନୃତ୍ୟାୟନ , ସମଲେଇ ନୃତ୍ୟକଳା ପରିଷଦ , କ୍ରିଏଟିଭ୍ ଆର୍ଟସ୍ , ମିରାକେଲ୍ ଡେନ୍ସ ଷ୍ଟୁଡ଼ିଓ , ଡ୍ରିମ୍ ଡେନ୍ସ , ଗଜପତି ଡେନ୍ସ ତେଲେଣ୍ଟ ର କଳାକାରମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସମସ୍ତ କାର୍ଯ୍ୟକ୍ରମକୁ ପୌର ପରିଷଦର ଏମଇ . ସୁନିଲ ଚମ୍ପତ୍ତି , କନିଷ୍ଠ ଯନ୍ତ୍ରୀ ଏମ୍. ଯୁଧିଷ୍ଠିର ଙ୍କ ସମେତ ମନୋଜ ଶତପଥୀ , ସୁରେଶ ପାଣିଗ୍ରାହୀ , ବିରଞ୍ଚି ମିଶ୍ର , ଘନଶ୍ୟାମ ବେହେରା , ରାଜେଶ ବେବର୍ତ୍ତା , ଇନ୍ଦିରା ଗୌଡ , ସ୍ଵଚ୍ଛାସାଥି ଏବଂ ପୌର ପରିଷଦର ଅନ୍ୟାନ୍ୟ କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ।