ଭୁବନେଶ୍ୱର (୨୬/୮) : ଖ୍ୟାତନାମା ପରିବେଶବିତ୍ ତଥା ଗ୍ରୀନ ନୋବେଲ ବିଜେତା ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରାଙ୍କୁ ବରଗଡ଼ ଜିଲ୍ଲା ଭଟଲି କଲେଜରେ ଏକ ଆଲୋଚନା ଚକ୍ରରେ ଯୋଗଦେବା ଓ ପରେ ବରଗଡ଼ ସମତା ଭବନରେ କୃଷକ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପାଇଁ ଗତ ୨୩ ଅଗଷ୍ଟ ସକାଳେ ବରଗଡ଼ ରେଳ ଷ୍ଟେସନରେ ଓହ୍ଲାଇବା ପରେ ତାଙ୍କୁ ବିନା କାରଣରେ ପୋଲିସ ଅଟକ ରଖିବା ଘଟଣାକୁ ଗାନ୍ଧୀବାଦୀ ଗଣ ସଙ୍ଗଠନ ସମୁହଙ୍କ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ବିଶିଷ୍ଟ କୃଷକ ନେତା ଶ୍ରୀ ଲିଙ୍ଗରାଜ ଓ ତାଙ୍କ ସହକର୍ମୀମାନେ ବରଗଡ଼ ଷ୍ଟେସନରୁ ଶ୍ରୀ ସାମନ୍ତରାଙ୍କୁ ପାଛୋଟି ନେବା ପାଇଁ ଆସିଥିବା ବେଳେ ପୋଲିସ ଅଟକ ଘଟଣା ସମ୍ପର୍କରେ ଅବଗତ ହେବା ସହ ବଲାଙ୍ଗୀର ଜିଲ୍ଲାର ସୁକତେଲ ବିସ୍ଥାପିତଙ୍କ ଘଟଣାରେ ହୁଏତ ଶ୍ରୀ ସାମନ୍ତରା ସାମିଲ ହୋଇପାରନ୍ତି ବୋଲି ଅଵଧାରଣା ନେଇ ବଲାଙ୍ଗୀର ପୋଲିସ ସମ୍ବଲପୁର ରେଳ ଷ୍ଟେସନ ଠାରୁ ତାଙ୍କୁ ଅଟକ ରଖିବା ପାଇଁ ଉଦ୍ୟମ କରିଥିଲେ। ବରଗଡ଼ ଜିଲ୍ଲାରେ ଦୁଇଟି କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ଘଣ୍ଟ ବାବଦରେ ଶ୍ରୀ ଲିଙ୍ଗରାଜଙ୍କ ଠାରୁ ଅବଗତ ହେଲା ପରେ ପୁଲିସ ଶ୍ରୀ ସାମନ୍ତରାଙ୍କୁ ଛାଡିଥିଲା। ଉଦବେଗର ବିଷୟ ଏହିକି ସ୍ୱାଧୀନ ଭାରତରେ ଜଣେ ଖ୍ୟାତନାମା ପରିବେଶବିତ୍ କୌଣସି ଅଞ୍ଚଳକୁ ଗଲାବେଳେ ପୋଲିସର ବାରମ୍ବାର ଏତାଦୃଶ ଏକଛତ୍ରବାଦୀ ଭୂମିକାକୁ ନିନ୍ଦା କରିବା ସହ ରାଜ୍ୟର ବିଜେପି ସରକାର ଏଭଳି ହୀନ ଉଦ୍ୟମରୁ ବିରତ ରହିବା ପାଇଁ ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଲୋହିଆ ଏକାଡେମୀ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ ଓ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ପକ୍ଷରୁ ଶ୍ରୀମତୀ କୃଷ୍ଣା ମହାନ୍ତି, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଡଃ ବିଶ୍ଵଜିତ, ଦେବପ୍ରସାଦ ରାୟ, ଲକ୍ଷ୍ମୀପ୍ରିୟା ମହାନ୍ତି, ମିହିର ପ୍ରତାପ ଦାସ, ଜୟନ୍ତ କୁମାର ଦାସ, ଆର୍ଯ୍ୟଭଟ୍ଟ ମହାନ୍ତି, ସୂର୍ଯ୍ୟ ନାରାୟଣ ନାଥ, ମାନସ ପଟ୍ଟନାୟକ ପ୍ରମୁଖ ଏକ ମିଳିତ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି।