ସୁଭଦ୍ରା ଯୋଜନା ବହୁ ଆଡ଼ମ୍ବରରେ ଲଘୁ କ୍ରିୟା: ବିଜେଡି

6
  •  ପାଞ୍ଚ ବର୍ଷରେ ୫୦,୦୦୦ ଅର୍ଥାତ ମାସକୁ ୮୩୩ ଟଙ୍କା ଓ ଦିନକୁ ୨୭ ଟଙ୍କା ଏକ ପ୍ରହସନ

  •  ଭତ୍ତାଧାରୀଙ୍କ ପରେ ସୁଭଦ୍ରାରେ ମହିଳାଙ୍କୁ ପ୍ରଵଂଚନା

ଭୁବନେଶ୍ୱର : ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖଭଵନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ କହିଲେ, ଆଜି ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ଏସଓପି ଆସିବା ପରେ ବିଜେପିର ସୁଭଦ୍ରା ଯୋଜନାକୁ ନେଇ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ଚଞ୍ଚକତା କରିଥିବା ଦେଖିବାକୁ ମିଳିଛି ଓ ସୁଭଦ୍ରା ଯୋଜନା ବହୁ ଆଡ଼ମ୍ବରରେ ଲଘୁ କ୍ରିୟାରେ ପରିଣତ ହୋଇଛି। ଉଲ୍ଲେଖଯୋଗ୍ୟ, ରାଜ୍ୟର ଭତ୍ତାଧାରୀ ମାନଙ୍କ ଭତ୍ତାକୁ ୩୦୦୦ ରୁ ୩୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ରାଜ୍ୟ ବଜେଟରେ କେବଳ ୮୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଓ ୮୦ ପ୍ରତିଶତରୁ ଉର୍ଦ୍ଧ ବିକଳାଙ୍ଗଙ୍କ ଭତ୍ତା ବୃଦ୍ଧି କରିଥିଲେ ହେଁ ରାଜ୍ୟର ପ୍ରାୟ ନବେ ପ୍ରତିଶତ ଭତ୍ତାଧାରୀ ମାନେ ଏହି ସୁଵିଧା ପାଇବାରୁ ବଞ୍ଚିତ ହୋଇଛନ୍ତି।
ଶ୍ରୀମତୀ ଦେଓ କହିଥିଲେ, ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷରେ ପଚାଶ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ବୋଲି, ବିଜେପି ତରଫରୁ କୁହାଯାଇଥିଲା। ଏହି ଯୋଜନାର ହିତାଧିକାରୀ ମାନେ, ଦୁଇ ବର୍ଷରେ ପଚାଶ ହଜାର ଟଙ୍କା ଅର୍ଥାତ ମାସିକ ପ୍ରାୟ ୨୧୦୦ ଟଙ୍କା ପାଇବେ ବୋଲି କୁହାଯାଇଥିଲା। କିନ୍ତୁ, ଆଜି ପ୍ରକାଶିତ ହୋଇଥିବା ଏସଓପିରେ ସ୍ପଷ୍ଟ ହୋଇଛି ଯେ, ଦୁଇ ବର୍ଷରେ ନୁହେଁ ବରଂ ପାଞ୍ଚ ବର୍ଷରେ ପଚାଶ ହଜାର ଟଙ୍କା ମିଳିବ ଯାହାର ଅର୍ଥ ହେଉଛି ମାସକୁ ୨୧୦୦ ଟଙ୍କା ନୁହେଁ ବରଂ ମାତ୍ର ୮୩୩ ଟଙ୍କା ମିଳିବ ବା ଦିନକୁ ମାତ୍ର ୨୭ଟଙ୍କା ମିଳିବ। ବିଜେପି ଶାସିତ ରାଜ୍ୟରେ ଯେଉଁଠି ଆଳୁ ଦର ଚାଳିଶ ଉପରେ ଓ ପିଆଜ ଦର ୫୫ ଟଙ୍କା ରହିଛି, ସେହି ସମୟରେ ମାତ୍ର ୨୭ ଟଙ୍କା ପ୍ରଦାନ ରାଜ୍ୟର ମହିଳାଙ୍କ ଦୁଃଖ ଦୂର କରିବାରେ କେତେଦୂର ସହାୟକ ହେବ ବୋଲି ଶ୍ରୀମତୀ ଦେଓ ପ୍ରଶ୍ନ କରିଥିଲେ। ପ୍ରାୟ ରାଜ୍ୟର ଭତ୍ତାଧାରିଙ୍କ ପରି ମହିଳା ମାନେ ମଧ୍ୟ ବିଜେପିର ପ୍ରଵଂଚନାର ଶିକାର ହୋଇଛନ୍ତି।
ଶ୍ରୀମତୀ ଦେଓ ଆହୁରି କହିଥିଲେ, ଏହି ଏସଓପିରେ କୁହା ଯାଇଛି ଯେ ମାସିକ ୧୫୦୦ ଟଙ୍କା ସରକାରୀ ସହାୟତା ପାଉଥିବା ମହିଳା ମାନେ ମଧ୍ୟ ଏହି ଯୋଜନାରୁ ବଞ୍ଚିତ ହେବେ। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସିଆରପି, ଏମଵବିକେ, ପାଚିକା ଇତ୍ୟାଦି ଏହି ଯୋଜନାରୁ ବଞ୍ଚିତ ହେବେ। ଏସଓପି ପ୍ରକାଶ ପରେ ସ୍ପଷ୍ଟ ହୋଇଛି ଯେ ରାଜ୍ୟର ପ୍ରାୟ କୋଟିଏ ମହିଳା ଏହି ଯୋଜନାରୁ ବଞ୍ଚିତ ହେବେ।

Leave A Reply

Your email address will not be published.