ତିର୍ତ୍ତୋଲ ବ୍ଲକରେ ରାସନକାର୍ଡ ରାଜନୀତି : ଏଠି ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ରାସନକାର୍ଡ, ଏମ୍ ଆଇ ମାଲେମାଲ୍ !

0

ତିର୍ତ୍ତୋଲ/ ରମେଶ ମହାନ୍ତି 

ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ରାସନକାର୍ଡକୁ ନେଇ ଚାଲିଥିବା ହୀନ ରାଜନୀତି ଓ ଯୋଗାଣ ନିରୀକ୍ଷକ(ଏମ୍ ଆଇ)ଙ୍କ ପକ୍ଷପାତିତା ନିତି ଯୋଗୁଁ ବହୁ ଅଯୋଗ୍ୟ ହିତାଧିକାରୀ ରାସନକାର୍ଡ ପାଉଥିବା ବେଳେ ଗରିବ ଯୋଗ୍ୟ ହିତାଧିକାରୀ ରାସନକାର୍ଡ ପାଇପାରୁ ନାହାନ୍ତି ବୋଲି ଅଭିଯୋଗ ହେଉଛି । ଏହିପରି ଏକ ଘଟଣା ଉକ୍ତ ବ୍ଲକ ପିପ୍ପଳମାଧବ ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତ ଅରିଲୋ ଗ୍ରାମ ମଳିକସାହିର ଏକ ଦଳିତ ପରିବାର ରାଜେଶ ମଳିକ ମୂଲମଜୁରୀ କାମ କରି ପତ୍ନୀ ଓ ନିଜର ପାଞ୍ଚୋଟି ପିଲାଙ୍କ ସହିତ ବହୁ ଦୁଃଖ କଷ୍ଟରେ ଏକ ଛୋଟ ଚାଳ କୁଡ଼ିଆରେ ଜୀବନ ବିତାଉଛନ୍ତି।ରାସନକାର୍ଡଟିଏ ପାଇବା ପାଇଁ ବହୁବାର ଆବେଦନ କରିବା ସହିତ ବ୍ଲକ କାର୍ଯ୍ୟାଳୟକୁ ବର୍ଷାଧିକ କାଳ ଦୌଡ଼ିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ ବୋଲି ଦୁଃଖ ଭରା କଣ୍ଠରେ ସେ ପ୍ରକାଶ କରିଛନ୍ତି ।  ବ୍ଲକ ଯୋଗାଣ କାର୍ଯ୍ୟାଳୟଟି ଅଧିକାଂଶ ଦିନ ବନ୍ଦ ରହୁଛି ଓ ବେଳେ ବେଳେ ଖୋଲୁଛି ଏମିତିକି ବ୍ଲକ୍ ଯୋଗାଣ ନିରୀକ୍ଷକ (ଏମ୍ ଆଇ)  ଜଣଙ୍କ ମଧ୍ୟ କେତେବେଳେ କେମିତି ସନ୍ଧ୍ୟା ସମୟରେ ଆସୁଛନ୍ତି ବୋଲି ଶୁଣିବାକୁ ମିଳୁଛି। ଏମ୍ ଆଇ ଙ୍କର ଏପରି ମନମାନି ଯୋଗୁଁ ରାସନକାର୍ଡ ହୋଇନଥିବା ଗରିବ ଯୋଗ୍ୟ ହିତାଧିକାରୀ ମାନେ ଯୋଗାଣ କାର୍ଯ୍ୟାଳୟକୁ ବାରମ୍ବାର ଆସି ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି।ବ୍ଲକ ପରିସରରେ ଥିବା ଏହି ଯୋଗାଣ କାର୍ଯ୍ୟାଳୟର କାର୍ଯ୍ୟ କଳାପ ବିଷୟରେ ବିଡିଓ ଅବଗତ ନାହାଁନ୍ତି ନା ଆଉ କିଛି ବୋଲି ଚର୍ଚ୍ଚା ହେଉଛି। ଏମିତିରେ ଗରିବ ଯୋଗ୍ୟ ହିତାଧିକାରୀଙ୍କ ଦୁଃଖ ଶୁଣୁଛି କିଏ ? ହିନ ରାଜନୀତି କରୁଥିବା କିଛି କୁଜିନେତାଙ୍କ ସହିତ ହାତ ମିଳାଇ ତାଙ୍କଠାରୁ ମୋଟା ଅଙ୍କର ଗୁଞ୍ଜା ନେଇ ଯୋଗ୍ୟ ଅଯୋଗ୍ୟ ମାନଦଣ୍ଡକୁ ଆଖିବୁଜି ଦେଇ ତାଙ୍କ ଇଶାରାରେ କାର୍ଡ ହେଉଥିବା କୁହାଯାଉଛି। ସରକାର ଗରିବ ଲୋକଙ୍କ ନିମିତ୍ତ ଯୋଜନା ପରେ ଯୋଜନା କରିଚାଲିଛନ୍ତି କିନ୍ତୁ ଏପରି କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଏହି ଯୋଜନା ଗୁଡିକ ପଥଭ୍ରଷ୍ଟ ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।ଏଥିନେଇ ତିର୍ତ୍ତୋଲ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଗରିବ ଯୋଗ୍ୟ ହିତାଧିକାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତିର୍ତ୍ତୋଲ ଯୋଗାଣ କାର୍ଯ୍ୟାଳୟର କାର୍ଯ୍ୟକଳାପ ଉପରେ ଜଗତସିଂହପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

 

Leave A Reply

Your email address will not be published.