ସେଂଟ୍ ଜନ୍ ଆମ୍ବୁଲାନ୍ସର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର- ଯେକୌଣସି କାର୍ଯ୍ୟକ୍ରମର ସଫଳତା ପାଇଁ ଜନ ସହଭାଗିତା ଏକାନ୍ତ ଆବଶ୍ୟକ । କୌଣସି କାର୍ଯ୍ୟକ୍ରମର ସଫଳତା ପାଇଁ କେବଳ ସରକାରୀଙ୍କର ଦାୟିତ୍ୱ ବୋଲି ଭାବିଲେ ହେବ ନାହିଁ । ସବୁ କ୍ଷେତ୍ରରେ ସଫଳତା ପାଇଁ ଜନସାଧାରଣଙ୍କର ସହଯୋଗ ଆବଶ୍ୟକ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଚଳିତ ଅଗଷ୍ଟ ୧୪ ତାରିଖରେ ରାଜଭବନର ନିୟୁ ଅଭିଷେକ ହଲ୍ ଠାରେ ଅନୁଷ୍ଠିତ ସେଂଟ୍ ଜନ୍ ଆମ୍ବୁଲାନ୍ସର କାର୍ଯ୍ୟନିର୍ବହୀ କମିଟି ବୈଠକରେ ଉଦ୍ବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଉଦ୍ବୋଧନ ଛଳରେ ରାଜ୍ୟପାଳ ଶ୍ରୀ ଦାସ କହିଥିଲେ ଯେ ସେବା ଆମର ସଂସ୍କାର । ଯିଏ ଯେଉଁ କ୍ଷେତ୍ରରେ ଯେଉଁ ପଦ ପଦବୀରେ ଥିଲେ ମଧ୍ୟ ସେବା ମନୋଭାବ ରହିବା ଦରକାର । ଜନତାଙ୍କ ସେବା କରିବା ସମସ୍ତଙ୍କ ପାଇଁ ପରମ କର୍ତ୍ତବ୍ୟ ହେଉ । ସଡ଼କ ଦୁର୍ଘଟଣା ତଥା ଅନ୍ୟାନ୍ୟ ଦୁର୍ଘଟଣା, ଦୁର୍ବିପାକ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇବା, ଆହତ ଏବଂ ଦୁସ୍ଥଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଡାକ୍ତରଖାନାରେ ପହଂଚାଇବା ଏବଂ ପ୍ରାଥମିକ ଚିକିତ୍ସା ସେବା ସଂପର୍କରେ ସଚେତନତା ସୃଷ୍ଟି କରିବାରେ ସେଂଟ୍ ଜନ୍ ଆମ୍ବୁଲାନର ଭୂମିକା ଓ କାର୍ଯ୍ୟଧାରାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂପନ୍ନ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ସେଂଟ୍ ଜନ୍ ଆମ୍ବୁଲାନ୍ସର ଚେୟାରମ୍ୟାନ ଡ଼ାଃ ମୁକେଶ ମହାଲିଙ୍ଗ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସେଂଟ୍ ଜନ୍ ଆମ୍ବୁଲାନ୍ସର କାର୍ଯ୍ୟଧାରାକୁ ଅଧିକ କ୍ରିୟାଶୀଳ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେଂଟ୍ ଜନ୍ ଆମ୍ବୁଲାନ୍ସର ଅବୈତନିକ ସଚିବ ନିଧି ରାଉତରାୟ ବିବରଣୀ ଉପସ୍ଥାପନ କରିଥିଲେ । ବୈଠକରେ ଗତ ତା୧୬.୦୩.୨୦୨୪ରିଖରେ ଅନୁଷ୍ଠିତ ବୈଠକର ବିବରଣୀ ଦୃଢୀକରଣ କରାଯାଇଥିଲା ଏବଂ ବୈଠକର ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ପ୍ରସଙ୍ଗରେ ନିଆଯାଇଥିବା କାର୍ଯ୍ୟନୁଷ୍ଠାନ ସଂପର୍କରେ ଆଲୋଚନା କରାଯାଇଥିଲା । ଏହାପରେ କାର୍ଯ୍ୟଖସଡ଼ା ଅନୁଯାୟୀ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିଲା । ବିଶେଷତଃ ସେଂଟ୍ ଜନ୍ ଆମ୍ବୁଲାନ୍ସ ସଂସ୍ଥାର କର୍ମଚାରୀଙ୍କ ଅବସରକାଳୀନ / ମୃତୁ୍ୟଜନିତ ଗ୍ରାଚୁ୍ୟଇଟି ପ୍ରାପ୍ୟ ପ୍ରଦାନ, କର୍ମଚାରୀମାନଙ୍କର ସ୍ଥିତି, ନିଯୁକ୍ତି ପ୍ରକ୍ରିୟା, ସେବା ସର୍ତ୍ତାବଳୀ, ଦରମା ନିର୍ଦ୍ଧାରଣ କରିବା ପାଇଁ ଏକ କମିଟି କରାଯିବା ପ୍ରସ୍ତାବ ଗୃହୀତ ହୋଇଥିଲା । ଏତଦ୍ବ୍ୟତୀତ ସେଂଟ୍ ଜନ୍ ଆମ୍ବୁଲାନ୍ସ ବାଇ-ଲର ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା ।
ଶେଷରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ତଥା ସେଂଟ୍ ଜନ୍ ଆମ୍ବୁଲାନ୍ସର ଭାଇସ ଚେୟାରମ୍ୟାନ ଡ଼ଃ ସୁଧାଂଶୁ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟପାଳଙ୍କ ମୁଖ୍ୟ ପରାମର୍ଶଦାତା ସନ୍ତୋଷ କୁମାର ଶତପଥି, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍ ରାଜପୁତ୍ ବୈଠକରେ ଉପସ୍ଥିତ ଥିଲେ । ଏତଦ୍ବ୍ୟତୀତ ସେଂଟ୍ ଜନ୍ ଆମ୍ବୁଲାନ୍ସର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ/ସଦସ୍ୟା ଉକ୍ତ ବୈଠକରେ ଅଂଶ ଗ୍ରହଣ କରିଥିଲେ ।