ଦଗାଦିଆ କେନ୍ଦ୍ର ସରକାର !!!!!

0

ମହାନଦୀ ଜଳବିବାଦରେ ପୁଣି ବିଶ୍ୱାସଘାତକତା କଲେ : ପ୍ରସନ୍ନ ଆଚାର୍ଯ୍ୟ 

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ପ୍ରସଂଗରେ କେନ୍ଦ୍ର ସରକାର ପୁଣିଥରେ ଓଡ଼ିଶାବାସୀଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି । କେବଳ ସେତିକି ନୁହେଁ, ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଦେଇଥିବା ପ୍ରତିଶ୍ରୁତିର ମଧ୍ୟ ଉଲ୍ଲଂଘନ କରିଛନ୍ତି । ରାଜ୍ୟ ସରକାର ଏ ସଂପର୍କରେ ଟ୍ରିବୁନାଲ ଗଠନ କରିବା ପାଇଁ ବର୍ଷ ତଳୁ କେନ୍ଦ୍ରକୁ ଆବେଦନ କରିଥିଲେ । ଜଳ ବିବାଦ ଆଇନ୍‍ର ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଆବେଦନ କରିବାର ବର୍ଷକ ମଧ୍ୟରେ କେନ୍ଦ୍ର ସରକାର ଏ ସଂପର୍କରେ ନିଷ୍ପତ୍ତି ନେବାର ଆବଶ୍ୟକତା ଥିଲା । କେନ୍ଦ୍ର ଆଇନ୍‍ ବ୍ୟବସ୍ଥାର ମଧ୍ୟ ଉଲ୍ଲଂଘନ କରିଛନ୍ତି । ଟ୍ରିବୁନାଲ ଗଠନ ସଂପର୍କରେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ ଦେଇଥିବା ପ୍ରତିଶ୍ରୁତି ଭଙ୍ଗ କରିଛନ୍ତି । ଏ ସଂକ୍ରାନ୍ତୀୟ ଆଇନ୍‍ରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ କରିଛନ୍ତି, ସଂଘୀୟ ବ୍ୟବସ୍ଥା ପ୍ରତି ପୁଣିଥର କୁଠାରଘାତ କରିଛନ୍ତି ଏବଂ ଓଡ଼ିଶାର ଜନସାଧାରଣଙ୍କ ପ୍ରତି ପୁନର୍ବାର ବିଶ୍ୱାସଘାତକତା କରିଛନ୍ତି ବୋଲି ଦଳର ଉପ-ସଭାପତି ତଥା ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ ଦୃଢ଼ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ଦାୟିତ୍ୱସଂପନ୍ନ ଭୂମିକା ଗ୍ରହଣ ନକରି ଏବଂ ବୃହତ୍ତର ଦୃଷ୍ଟିକୋଣରୁ ଘଟଣାର ବିଚାର ନକରି, ସଂପୂର୍ଣ୍ଣ ଭାବରେ ଦଳୀୟ ଦୃଷ୍ଟିକୋଣ ଓ ରାଜନୈତିକ ସ୍ୱାର୍ଥକୁ ଆଖିରେ ଆଗରେ ରଖି ଆଚରଣ ପ୍ରଦର୍ଶନ କରୁଛନ୍ତି । ଛତିଶଗଡ଼ର ମନମୁଖି ଏବଂ ଆଇନ୍‍ ବିରୋଧୀ କାର୍ଯ୍ୟକ୍ରମକୁ ପ୍ରତିହତ କରିବା ବଦଳରେ ଦଳୀୟ ଦୃଷ୍ଟିକୋଣରୁ ବିଚାର କରି ଛତିଶଗଡ଼ ସରକାରଙ୍କ ଅସଂଗତ ଆଇନ୍‍ ବିରୋଧୀ ଏବଂ ଓଡ଼ିଶା ରାଜ୍ୟ ସ୍ୱାର୍ଥ ବିରୋଧୀ କାର୍ଯ୍ୟକୁ ବାରମ୍ବାର ସମର୍ଥନ ଜଣାଇ ସଂଘୀୟ ବ୍ୟବସ୍ଥା ପ୍ରତି କୁଠାରଘାତ କରୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଗୁରୁତର ଅଭିଯୋଗ କରିଛନ୍ତି । କୌଣସି ଏକ ନିର୍ଦ୍ଧିଷ୍ଟ ଦଳର ସରକାର କେନ୍ଦ୍ରରେ ଥାଇପାରେ, କିନ୍ତୁ କେନ୍ଦ୍ର ସରକାର ହେଉଛନ୍ତି ସଂଘୀୟ ବ୍ୟବସ୍ଥାର ପ୍ରଥମ ରକ୍ଷକ । ଏ କ୍ଷେତ୍ରରେ କେନ୍ଦ୍ର ରକ୍ଷକ ହେବା ପରିବର୍ତ୍ତେ ଭକ୍ଷକ ସାଜିଛନ୍ତି ଏବଂ ତାଙ୍କର ଅଦୂରଦର୍ଶୀ ମନୋବୃତ୍ତି ଏବଂ ସୂକ୍ଷ୍ମ ରାଜନୈତିକ ଦୃଷ୍ଟିଭଙ୍ଗୀ ଦ୍ୱାରା କେବଳ ଓଡ଼ିଶାର କ୍ଷତି କରୁନାହାନ୍ତି, ସମଗ୍ର ରାଷ୍ଟ୍ରର କ୍ଷତି କରୁଛନ୍ତି । ଓଡ଼ିଶାର ଜନସାଧାରଣ ମହାନଦୀକୁ ସୁରକ୍ଷା ଦେବା ପାଇଁ ସଂପୂର୍ଣ୍ଣ ସଂକଳ୍ପବଦ୍ଧ । ଏହା ଓଡ଼ିଶାର ୪କୋଟିରୁ ଉର୍ଧ୍ଵ  ଲୋକଙ୍କର ଜୀବନ ଜୀବିକାର ସମସ୍ୟା, ଭାଗ୍ୟ ଓ ଭବିଷ୍ୟତର ପ୍ରଶ୍ନ । ଏହି ସମସ୍ୟା ସହିତ ଯେଉଁମାନେ ଖେଳ ଖେଳିବେ ଓଡ଼ିଶାର ଲୋକେ ତାଙ୍କୁ ଆଦୌ କ୍ଷମା ଦେବେନି । ମହାନଦୀର ସୁରକ୍ଷା ପାଇଁ ଆମର ସଂଗ୍ରାମ ଚାଲିଛି ଏବଂ ଆଗକୁ ଚାଲିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିବା ଏକ ପ୍ରେସ୍‍ ବିଜ୍ଞପ୍ତି ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.