https://youtu.be/ZbzEZvxhUKA
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଜାତୀୟ ଉତ୍ସବରେ ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି , ମୈତ୍ରୀ , ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତାଙ୍କର ଅଭିଭାଷଣରେ
କଳା , ସାହିତ୍ୟ , ସଂସ୍କୃତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଆଦିଭୂମି , ଉତ୍କଳର ଅନ୍ୟତମ ପୁଣ୍ୟପୀଠ ହେଉଛି ଗଜପତି। ଏହି ଐତିହ ସଂପନ୍ନ ଅଞ୍ଚଳ କୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ଦେବା ଏବଂ ଉନ୍ନତି ପାଇଁ ଓଡିଶା ର ବରପୁତ୍ର , ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ବିଶେଷ ଅବଦାନ ଥିଲା। ଦକ୍ଷିଣ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଥିବା ଏହି ମାଟିର ପ୍ରତ୍ୟେକ ସ୍ଥାନ ଯେଭଳି ପବିତ୍ର ମହେନ୍ଦ୍ର ତନୟାର ଶୀତଳ ଜଳ ଧାରାର ସ୍ବର୍ଗରେ ସବୁଜିମା ଭରା , ଏହି ଭୂଖଣ୍ଡର ପ୍ରାଚୀନ ଇତିହାସ ମଧ୍ୟ ସେହିଭଳି ଗୌରବ , ରାଜନୀତି ଠାରୁ ଆରମ୍ଭ କରି କଳା , ସଙ୍ଗୀତ ଓ ନାଟ୍ୟ ଜଗତରେ ପ୍ରତିଭା ସମ୍ପନ୍ନ ଅନେକ ଯୋଗଜନ୍ମା ମହାମନୀଷ ମାନଙ୍କୁ ଏହି ମାଟି ଜନ୍ମ ଦେଇଛି।
୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ତା’ର ସ୍ବାଧୀନତା ଲାଭ କଲା। ଭାରତୀୟମାନେ ଇଂରେଜ ପ୍ରଣୀତ ସମ୍ବିଧାନ ଦ୍ବାରା ଶାସିତ ହେଉଥିଲେ। ସ୍ବାଧୀନତା ଲାଭର ପ୍ରାକ୍ କାଳରେ ସମ୍ବିଧାନ ପ୍ରଣୟନ ସଭାକୁ ଭାରତ ପାଇଁ ଏକ ନୂତ ସମ୍ବିଧାନ ପ୍ରଣୟନ ନିମିତ୍ତ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା। ସମ୍ବିଧାନ ପ୍ରଣେତା ଡ଼ଃ.ବି.ଆର୍ ଆମ୍ବେଦକର ଙ୍କ ନେତୃତ୍ବରେ ବହୁ ଶ୍ରମ ସ୍ବୀକାର କରି ୧୯୪୯ ଜାନୁୟାରୀ ୨୬ ରେ ସମ୍ବିଧାନ ପ୍ରସ୍ତୁତି ଶେଷ କଲେ। ୧୯୫୦ ଜାନୁୟାରୀ ୨୬ ତାରିଖରେ ଭାରତର ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେଲା। ଭାରତ ନିଜକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରରୂପେ ଘୋଷଣା କଲା। ଭାରତ ଇତିହାସରେ ଏହା ଏକ ସ୍ମରଣୀୟ ଦିବସ ରୂପେ ପରିଚିତ। ସ୍ବାଧୀନତାର ଏହି ମହାଯଜ୍ଞରେ ପାରଳାର ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ , ଉତ୍କଳମଣି ଗୋପବନ୍ଧୁ ଦାସ , ଉତ୍କଳ ଗୌରବ ମଧୁସୁଦନ ଦାସ ଥିଲେ ଅନ୍ୟତମ। ଆମ ଗଜପତି ର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସମେତ ନାରାୟଣ ପାତ୍ର , ବଳରାମ ପଣ୍ଡା , ଆପନ୍ନା ପାତ୍ର , ମାଧବ ରାଉତ , ରସିକ ଜେନା , ଯୁଗଳ କିଶୋର ପାଣିଗ୍ରାହୀ ଇତ୍ୟାଦି ଅସହଯୋଗ , ଆଇନ ଅମାନ୍ୟ ଓ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହା ଥିଲା ଦେଶ ମାତୃକା ପ୍ରତି ଗଜପତି ମାଟିର ସୁଯୋଗ୍ୟ ସନ୍ତାନଙ୍କ ଅବଦାନ।
ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା , ଆଦିବାସୀ ବହୁଳ ଏବଂ ସବୁ ଧର୍ମକୁ ସମନ୍ବୟ ରଖୁଥିବା ଏହି ଜିଲ୍ଲାର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେବା ସହ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯଥେଷ୍ଟ ଅନୁଦାନ ପ୍ରଦାନ କରିଛନ୍ତି।
ଆମ ଜିଲ୍ଲା ସମନ୍ବୟ ଆଦିବାସୀ ସଂସ୍ଥା , ସ୍ବତନ୍ତ୍ର ଉନ୍ନୟନ ପରିଷଦ ୫-ଟି ମହାବିଦ୍ୟାଳୟ ରୂପାନ୍ତରିତ , ଆମ ଓଡ଼ିଶା-ନବୀନ ଓଡ଼ିଶା , ମିଶନ ଶକ୍ତି , ଲକ୍ଷ୍ମୀ ଯୋଜନାର , ସ୍ବାସ୍ଥ୍ୟ ବିଭାଗର ଓ ପର୍ଯ୍ୟଟନ ବିଭାଗର ରାଜ୍ୟ ସରକାରଙ୍କ ଉନ୍ନତି ପାଇଁ ଏବଂ ଜିଲ୍ଲା ବାହାରୁ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କର ମନ ମୋହିବା ପାଇଁ ରାଜ୍ୟ ସରକାର ନିକଟ ଅତିତରେ ୨୦ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଅନୁମୋଦନ କରିଛନ୍ତି। ଏଥିରେ ରାଜ୍ୟ ସରକାର ୮ଗୋଟି ନୂଆ ପର୍ଯ୍ୟଟନ ସ୍ଥଳୀକୁ ଚିହ୍ନଟ କରି ତା’ର ଉନ୍ନତି ପାଇଁ ଯଥେଷ୍ଟ ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି।
ଏହି ଉତ୍ସବରେ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର, ପାରଳାଖେମୁଣ୍ଡି ବନ ଖଣ୍ଡ ଅଧିକାରୀ ଶ୍ରୀ ଏସ୍.ଆନନ୍ଦ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼. ଗୁଣନିଧି ନାୟକ , ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତ୍ରିପତି ରାଓ , ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ।
ଆଜିର ଏହି ଉତ୍ସବରେ ଖେଳରେ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା କ୍ରୀଡାବିତ ଓ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଜନସାଧାରଣଙ୍କୁ ସେବା ଯୋଗାଉଥିବା ବେଷ୍ଟ କର୍ମଚାରୀ ମାନଙ୍କୁ ମାନପତ୍ର ଓ ସିଲଡ୍ ଦେଇ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।
ଏହା ସହିତ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଚିତ୍ରାଙ୍କନ , ପ୍ରବନ୍ଧ , ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ହୋଇଥିଲା ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ମଧ୍ୟ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ସେପରି ଏନସିସି ବିଭାଗ ପ୍ୟାରେଡ ପ୍ରତିଯୋଗିତ ରେ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସିଭିଲିୟାନ୍ ରେ ସ୍ଵରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସେଣ୍ଟ ଜୋସେବ କନଭେଣ୍ଟ ସ୍କୁଲ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଦିବସରେ ୫ ଗୋଟି ବିଦ୍ୟାଳୟ ଓ ଗୁମ୍ମା ବ୍ଲକର ଲାଞ୍ଜିଆ ସଉରା ଆଦିବାସି ନୃତ୍ୟ ପରିବେଷଣ କରଯାଇଥିଲା।
ଏହି ପ୍ୟାରେଡରେ ଶ୍ରୀ ନିରଞ୍ଜନ ନାୟକ , ଆର୍.ଆଇ. ଅଫ୍ ପୋଲିସ୍ ପରିଚାଳନା କରିଥିଲେ। ଏହି ଉତ୍ସବକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଗୁଡ଼ିକ ସମ୍ପାଦିତ ହୋଇଥିଲା ଏବଂ ତାଙ୍କ ପରିଚାଳନାରେ ବିଭାଗୀୟ ବରିଷ୍ଠ କର୍ମଚାରୀ ସହଯୋଗ କରିଥିଲେ।