ଦେଶର ପ୍ରତ୍ୟେକ ନାଗରିକ ବାପୁଜୀଙ୍କ ଅହିଂସା ମନ୍ତ୍ରରେ ଉଦ୍ବୁଦ୍ଧ ହୋଇ ରାଷ୍ଟ୍ରର ସାର୍ବଭୌମତ୍ୱ,ସଂହତି ଓ ଜାତୀୟ ସମ୍ମାନକୁ ଅକ୍ଷୁଣ୍ଣ ରଖିବା ନିମନ୍ତେ ସଙ୍କଳ୍ପବଦ୍ଧ ହେବା ଉଚିତ : ଅତନୁ
ଜଗତସିଂହପୁର/ ସୁମନ୍ତ ଦାସ : ଆଜି ପୂର୍ବାହ୍ନ ରେ ଜଗତସିଂହପୁର ଜିଲ୍ଲା ସଦର ମହକୁମା ର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ୭୫ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ର ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ। ସାଧାରଣତନ୍ତ୍ର ଦିବସରେ ସମସ୍ତ ଜିଲ୍ଲାବାସୀ ଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ, ଆଜି ସବୁ ଭାରତୀୟ ଙ୍କ ପାଇଁ ଏକ ଗୌରବ ର ଦିବସ । ଦେଶର ସ୍ୱାଧୀନତାପ୍ରାପ୍ତି ପରେ ଯେଉଁ ମହାନ ଉପଲବ୍ଧି ଆମେ ହାସଲ କରିଥିଲୁ ତାହା ହେଲା ଦେଶକୁ ଗଣତନ୍ତ୍ର ରାଷ୍ଟ୍ର ଭାବେ ଗଢ଼ିତୋଳିବା ଓ ଆଜି ଆମେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଗୌରବ ଅର୍ଜ୍ଜନ କରିପାରିଛୁ ।ସେଥିପାଇଁ ୨୬ ଜାନୁୟାରୀ ୧୯୫୦ ମସିହା ଆମପାଇଁ ସ୍ମରଣୀୟ ଦିବସ। ଗଣତନ୍ତ୍ରର ଆତ୍ମା ହେଉଛି ସମ୍ବିଧାନ ଏବଂ ସମ୍ବିଧାନରେ ପ୍ରତିଟି ନାଗରିକ ହେଉଛି ସର୍ବୋପରି ।ଏପରି ଏକ ଧର୍ମ ନିରପେକ୍ଷ, ସାର୍ବଭୌମ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ଗଠନ ନିମନ୍ତେ ମାନ୍ୟବର ମନ୍ତ୍ରୀ ଜାତିର ପିତା ମହାତ୍ମାଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଅବୁଲ କଲାମ ଆଜାଦ, ବାଲ ଗଙ୍ଗାଧର ତିଲକ, ଡ. ଭୀମରାଓ ଆମ୍ବେଦକର, ରାଜେନ୍ଦ୍ର ପ୍ରସାଦ, ଗୋପବନ୍ଧୁ ଦାସ, ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ବିର୍ସା ମୁଣ୍ଡା, ବିଜୁ ପଟ୍ଟନାୟକ ଙ୍କ ଠାରୁ ଆରମ୍ଭ କରି , ଜଗତସିଂହପୁରର ବରପୁତ୍ର ଗୋପବନ୍ଧୁ ଚୌଧୁରୀ, ମା’ ରମାଦେବୀ, ସରଳାଦେବୀ, ମାଳତୀ ଚୌଧୁରୀ, ପ୍ରାଣକୃଷ୍ଣ ପଢ଼ିହାରୀ, ଅନ୍ନପୂର୍ଣ୍ଣା ମହାରଣା, ନବକୃଷ୍ଣ ଚୌଧୁରୀ, ଭାଗୀରଥି ମହାପାତ୍ର, ନିତ୍ୟାନନ୍ଦ କାନୁନ୍ଗୋ, ରାଜକୃଷ୍ଣ ବୋଷ, ହରେକୃଷ୍ଣ ବିଶ୍ୱାଳ, ଗୌରାଙ୍ଗ ଚରଣ ଦାସ ଓ ଗୌରୀଶ୍ୟାମ ନାୟକ ,ଜାତୀୟ କବି ବୀରକିଶୋର ଦାସ ପ୍ରଭୃତି ସଂଗ୍ରାମୀଗଣ ଙ୍କ ଉଦ୍ଦେଶ୍ଯରେ ନିଜର ସମ୍ମାନ ଜଣାଇବା ସହ ଜିଲ୍ଲାରେ ହୋଇଥିବା ଅଳକାଶ୍ରମ ପ୍ରତିଷ୍ଠା, ଲବଣ ସତ୍ୟାଗ୍ରହ ଓ ଭାରତଛାଡ଼ ଆନ୍ଦୋଳନ ପରି ମହାନ୍ ପର୍ବ ର ସ୍ମୃତି ଚାରଣ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଓଡ଼ିଶାକୁ ବିଶ୍ବ ଦରବାରରେ ଅନନ୍ୟ ପରିଚିତି ପ୍ରଦାନ କରିଛି l ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ଇ- ପାଉତି’ ପୋର୍ଟାଲ ଓ ମୋବାଇଲ ଆପ୍ ‘ମୋ ସରକାର’ ପୋର୍ଟାଲ ମାଧ୍ୟମରେ ବିଭିନ୍ନ ପ୍ରକାର ପ୍ରମାଣପତ୍ର ହାସଲ ସହଜସାଧ୍ୟ ହୋଇଛି ।ରାଜ୍ୟ ସରକାରଙ୍କ ଦକ୍ଷ ନୀତି ଯୋଗୁଁ ଭିତ୍ତିଭୂମି ବିକାଶ ଦିଗରେ ଜଗତସିଂହପୁର ଜିଲ୍ଲାରେ ସେତୁ ନିର୍ମାଣ, ଟ୍ରକ ଟର୍ମିନାଲ ନିର୍ମାଣ କାର୍ଯ୍ୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ପ୍ରସାରଣ କାର୍ଯ୍ୟ, ୩୦୭ ଟି ଧର୍ମାନୁଷ୍ଠାନ ଓ ଗୋଷ୍ଠୀକେନ୍ଦ୍ର ରୂପାନ୍ତରୀକରଣ, ଶିକ୍ଷାର ଉନ୍ନତିକରଣ ନିମନ୍ତେ ଜିଲ୍ଲାର ୨୫୩ ଟି ଉଚ୍ଚ ବିଦ୍ୟାଳୟକୁ ୫ – ‘ଟି’ ଅନ୍ତର୍ଗତ ରୂପାନ୍ତରୀକରଣ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରାବାସ ନିର୍ମାଣ,ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା ଅନ୍ତର୍ଗତ ୫-‘ଟି’ ରେ ଜିଲ୍ଲାର ୬୭ ଟି ଡିଗ୍ରୀ ଓ +୨ କଲେଜ ରୂପାନ୍ତରୀକରଣ କାର୍ଯ୍ୟ,ନୂଆ-ଓ କ୍ରୀଡ଼ା ପ୍ରତିଯୋଗିତା ଜରିଆରେ ମହାବିଦ୍ୟାଳୟ ଗୁଡିକର ଯୁବ ଛାତ୍ରଛାତ୍ରୀ ମାନଙ୍କର କ୍ରୀଡ଼ା ଦକ୍ଷତା ବିକାଶ, ନୂଆ-ଓ ଜିଲ୍ଲା ଫେସ୍ଟିଭାଲ ଜରିଆରେ ଜିଲ୍ଲାର ୧୦ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଙ୍କର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ, ଜିଲ୍ଲାର ବାଲିକୁଦା, ଏରସମା ଓ ନାଉଗାଁ ବ୍ଲକର ବୃହତ ପାନୀୟ ଜଳ ପ୍ରକଳ୍ପ, ଜଗତସିଂହପୁର ପୌରପାଳିକା ଅନ୍ତର୍ଗତ ଯୋଗଧାରୀ ଠାରେ ଉନ୍ନତ ଆଦର୍ଶ ବସ୍ ଟର୍ମିନାଲ, ଧଳତଙ୍ଗଗଡ ଜୈବ ବିବିଧତା ସୁରକ୍ଷା ଓ ଇକୋ ଟୁରିଜିମ୍ ପ୍ରକଳ୍ପ କାର୍ଯ୍ୟ,ପର୍ଯ୍ୟଟନର ବିକାଶ ନିମନ୍ତେ ଶିଆଳି ବେଳାଭୂମି ଓ ବାଲିକୁଦା ଠାରେ ପର୍ଯ୍ୟଟନ ବିକାଶସ୍ଥଳୀ, ମା ଶାରଳା ମନ୍ଦିର କନକପୁର ଏବଂ ଅନ୍ୟ ମନ୍ଦିର ର ସମନ୍ଵିତ ବିକାଶ ପ୍ରକଳ୍ପ, କାର୍ଯ୍ୟ ଉପରେ ମାନ୍ୟବର ମନ୍ତ୍ରୀ ଆଲୋକପାତ କରିଥିଲେl ଜଗତସିଂହପୁର ଜିଲ୍ଲାରେ ପୁସ୍ତକମେଳା, ଉନ୍ନତ କୃଷି ଯନ୍ତ୍ରପାତି ମେଳା, ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ମେଳା, ପଲ୍ଲୀଶ୍ରୀ ମେଳା, କଳିଙ୍ଗ ବାଲିଯାତ୍ରା ଇତ୍ୟାଦି ଆଞ୍ଚଳିକ ବ୍ୟବସାୟକୁ ଅଧିକ ପ୍ରୋତ୍ସାହିତ କରିଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ। ପରିଶେଷରେ ସ୍ୱାଭିମାନ ଓ ସଂକଳ୍ପର ସାଧାରଣତନ୍ତ୍ର ଦିବସ ରେ ଦେଶର ପ୍ରତ୍ୟେକ ନାଗରିକ ବାପୁଜୀଙ୍କ ଅହିଂସା ମନ୍ତ୍ରରେ ଉଦ୍ବୁଦ୍ଧ ହୋଇ ରାଷ୍ଟ୍ରର ସାର୍ବଭୌମତ୍ୱ,ସଂହତି ଓ ଜାତୀୟ ସମ୍ମାନକୁ ଅକ୍ଷୁଣ୍ଣ ରଖିବା ନିମନ୍ତେ ସଙ୍କଳ୍ପବଦ୍ଧ ହେବାପାଇଁ ସେ ଆହ୍ଵାନ ଦେଇଥିଲେ।
ଆଜି ଦିବସ ର ପ୍ରାରମ୍ଭ ରେ ମୁଖ୍ୟ ଅତିଥି ସହର ରେ ଅବସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଏହି ଉତ୍ସବରେ ମାନ୍ୟବର ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍ ମୁଖ୍ୟ ଅତିଥି ଙ୍କୁ ପତାକା ସ୍ତମ୍ଭ ନିକଟକୁ ପାଛୋଟି ଆଣିଥିଲେ। ସମ୍ମିଳିତ ପ୍ୟାରେଡ ରେ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଉମାକାନ୍ତ ବେହେରା ଙ୍କ ନେତୃତ୍ଵରେ ୨୯ଟି ଦଳ ଭାଗ ନେଇଥିଲେ ଓ ସେମାନଙ୍କ ମଧ୍ୟରୁ ୟୁନିଫର୍ମ ରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ଜଗତସିଂହପୁର ଗାଇଡ୍,ସିନିୟର ସିଭିଲିଆନ ରେ ଡ୍ରିମ୍ ଇଣ୍ଡିଆ ସ୍କୁଲ, ଜଗତସିଂହପୁର ଓ ଜୁନିଅର ସିଭିଲିଆନ ରେ ଶୁଦ୍ଧାନନ୍ଦ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଙ୍କ ଠାରୁ ସିଲ୍ଡ ଗ୍ରହଣ କରିଥିଲେ। ଜିଲ୍ଲା ସ୍ତରୀୟ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ ଓ ଜଣା ଅଜଣା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଓ ବୈଷୟିକ ଶିକ୍ଷା ରେ ଜିଲ୍ଲା ରେ ସର୍ବୋଚ୍ଚ ନମ୍ବର ରଖିଥିବା ୟୁନୋପସ ଶିଳ୍ପ ତାଲିମ କେନ୍ଦ୍ର, ତିର୍ତ୍ତୋଲ ର ଛାତ୍ର ସୌମ୍ୟ ରଞ୍ଜନ ସ୍ଵାଇଁ ଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ପରେପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପ୍ୟାରେଡ୍ ପରେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଓ ଆଳିପିଙ୍ଗଳ ଜେଲ ର ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯାଇଥିଲା। ଏହି ସମାରୋହରେ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ, ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ,ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜଗତସିଂହପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର କର୍ଣ୍ଣ ,ବିଭିନ୍ନ ବିଭାଗର ଅଧିକାରୀ, ସହରର ବୁଦ୍ଧିଜୀବୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।