-
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ହେଲେ କେନ୍ଦ୍ରାଞ୍ଚଳ ଓ ଉତ୍ତରାଞ୍ଚଳ ଆରଡିସି
-
ଜିଲ୍ଲାପାଳ ସମର୍ଥଙ୍କୁ ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଦାୟିତ୍ୱ
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ପ୍ରମୁଖ ଭାବେ ଶ୍ରୀମନ୍ଦିର ପ୍ରକଳ୍ପ ଉଦ୍ଘାଟନ ସମ୍ପନ୍ନ ହେବାପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ସମର୍ଥଙ୍କୁ ଜିଲ୍ଲାପାଳ ପଦରୁ ହଟାଇ ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଅବସ୍ଥାପିତ କରିଥିବା ମୁଖ୍ୟ ପ୍ରଶାସକ ଥିବା ରଞ୍ଜନ କୁମାର ଦାସଙ୍କୁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଭାବେ ଅବସ୍ଥାପିତ କରିଛନ୍ତି ସରକାର । ଏହା ସହିତ ତାଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି | ପ୍ରକ୍ଷିତ ବିଜ୍ଞପ୍ତିରେ ୩୮ଜଣ ଆଇଏଏସ୍ ଓ ୩ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି ହୋଇଛି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଦକ୍ଷିଣାଂଚଳ ଆରଡିସି ୨୦୦୦ ବ୍ୟାଚ୍ ଆଇଏଏସ୍ ତେମଜେନୱାପଙ୍ଗ.ଆଓଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ସଚିବ ଭାବେ ବଦଳି ହୋଇଛି । ସେହିପରି ପଂଚାୟତିରାଜ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ସମ୍ବଲପୁର ଆରଡିସି, ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ୨୦୦୭ ବ୍ୟାଚ୍ ଆଇଏଏସ୍ ରଞ୍ଜନ କୁମାର ଦାସଙ୍କୁ କେନ୍ଦ୍ରାଂଚଳ ଆରଡିସି ଭାବେ ବଦଳି ହୋଇଛି ଓ ସେ ଅତିରିକ୍ତ ଭାବେ ଦକ୍ଷିଣାଂଚଳ ଆରଡିସି ଦାୟିତ୍ୱରେ ରହିବେ । ସେହିପରି ୨୦୧୧ ବ୍ୟାଚ୍ ଆଇଏଏସ୍ ସମର୍ଥ ବର୍ମାଙ୍କୁ ପୁରୀ ଜିଲ୍ଲାପାଳ ପଦରୁ ହଟାଇ ଦିଆଯାଇଛି । ତାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଛି ।
ସେହିପରି କେନ୍ଦୁଝର ଜିଲ୍ଲାରେ ଦୀର୍ଘ ୫ବର୍ଷରୁ ଅଧିକ ସମୟ ଧରି ଜିଲ୍ଲାପାଳ ଥିବା ୨୦୧୧ ବ୍ୟାଚ୍ ଆଇଏଏସ୍ ଆଶୀଷ ଠାକରେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଦାୟିତ୍ୱ ମିଳିଛି । ରାଜନୀତିକ କାରଣରୁ ଖୋର୍ଦ୍ଧା ଜିଲ୍ଲାପାଳ ଆଇଏଏସ୍ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭୁବନେଶ୍ୱରସ୍ଥିତ କ୍ଷୁଦ୍ର ମିନେରାନ୍ସ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ମୟୂରଭଞ୍ଜ ଜିଲ୍ଲାପାଳ ଆଇଏଏସ୍ ଭିନିତ୍ ଭରଦ୍ୱାଜଙ୍କୁ କଟକ ଜିଲ୍ଲାପାଳ, କଟକ ମହାନଗର ନିଗମ କମିଶନର ଆଇଏଏସ୍ ନିଖିଳ ପୱନ କଲ୍ୟାଣଙ୍କୁ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ, ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ତଥା ୨୦୧୨ ବ୍ୟାଚ୍ ଆଇଏଏସ୍ ବିଜୟ କୁମାର ଦାଶଙ୍କୁ ପୁରୀ ଜିଲ୍ଲାପାଳ, ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କୁ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ, ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ, ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ନୟାଗଡ଼ ଜିଲ୍ଲାପାଳ, ଅନୁଗୁଳ ଜିଲ୍ଲାପାଳ ଶ୍ରୀଧର ଶଙ୍କର ସ୍ୱାଇଁଙ୍କୁ କଟକ ମହାନଗର ନିଗମ କମିଶନର, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଂଚାୟତିରାଜ ବିଭାଗର ଯୁଗ୍ମ ସଚିବ, କୋରାପୁଟ ଜିଲ୍ଲାପାଳ ଅବଦଲ ଅଖତରଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ସେହିପରି ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଆଇଏଏସ୍ ଲିଙ୍ଗରାଜ ପଣ୍ଡାଙ୍କୁ ସମବାୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଶ୍ରମ କମିଶନର, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଯୁଗ୍ମ ସଚିବ, ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂହଙ୍କୁ କେନ୍ଦୁଝର ଜିଲ୍ଲାପାଳ, ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ରଙ୍କୁ ଯାଜପୁର ଜିଲ୍ଲାପାଳ , ଗଞ୍ଜାମ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଆଇଏଏସ୍ କୀର୍ତ୍ତି ଭାସନଙ୍କୁ କୋରାପୁଟ ଜିଲ୍ଲାପାଳ, ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ବ୍ରହ୍ମପୁର ମହାନଗର ନିଗମର କମିଶନର ଜୋ.ସୋନାଲଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ସେହିପରି ୨୦୧୯ ବ୍ୟାଚ୍ ଆଇଏଏସ୍ ତଥା ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କୁ ସମ୍ବଲପୁର ଜିଲ୍ଲାପାଳ, ବରଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦିତ୍ୟ ଗୋଏଲଙ୍କୁ ବରଗଡ଼ ଜିଲ୍ଲାପାଳ, ନବରଙ୍ଗପୁର ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍ୟା ଦାସଙ୍କୁ ସୋନପୁର ଜିଲ୍ଲାପାଳ, ମନୋଜ କୁମାର ମହାଜନଙ୍କୁ ରାୟଗଡ଼ା ଜିଲ୍ଲାପାଳ, ପାୱାର ସଚିନ ପ୍ରକାଶଙ୍କୁ ମାଲକାନଗିରି ଜିଲ୍ଲାପାଳ, ଗୌରବ ଶିବାଜୀ ଈଶାଲ୍ୱରଙ୍କୁ ବଲାଙ୍ଗିର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ୨୦୨୦ ବ୍ୟାଚ୍ ଆଇଏଏସ୍ ମଧୁମିତାଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନର, ଆଇଏଏସ୍ ବିଭୂତି ଭୂଷଣ ନାୟକଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ସେହିପରି ୨୦୨୧ ବ୍ୟାଚ୍ ଆଇଏଏସ୍ ଧୀନାହ ଦସ୍ତଗରଙ୍କୁ ଗଞ୍ଜାମ ଉପଜିଲ୍ଲାପାଳ, ରୀନା ପ୍ରଧାନଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ, ପ୍ରଥମେଶ ଅରବିନ୍ଦ ରାଜସିକ୍ରେଙ୍କୁ ବାଲେଶ୍ୱର ଉପଜିଲ୍ଲାପାଳ, କିରନଦୀପ କୌର ସାହୋଟାଙ୍କୁ ଗୁଣୁପୁର ଉପଜିଲ୍ଲାପାଳ, ରେହାନ କ୍ଷତ୍ରୀଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ, ଧୀମନ ଚକମାଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି । ସେହିପରି ସୋନପୁର ଜିଲ୍ଲାପାଳ ଓଏଏସ୍ ବିମଳେନ୍ଦୁ ରାୟଙ୍କୁ ଇପିଏମ୍ ନିର୍ଦ୍ଦେଶକ, ବୌଦ୍ଧ ଜିଲ୍ଲାପାଳ ଓଏଏସ୍ ନୃସିଂହ ଚରଣ ସ୍ୱାଇଁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଓଏଏସ୍ ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳରୁ ହଟାଇ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି ।