ବିକାଶ ଓ ଶାନ୍ତି ପାଇଁ ନୂଆ ଚେହେରା ଚାହୁଁଛି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ

0

ଏଥର ଟିକେଟ ମିଳିଲେ ବିରୋଧରେ ମତଦାନ କରିବାକୁ ଚେତାବନୀ

ଭୋଟ ଯେତିକି ପାଖଉଚି, ଢେଙ୍କାନାଳ ଜିଲ୍ଲାରେ ରାଜନୈତିକ ଉସ୍ମତା ସେତିକି ବଢ଼ିବାରେ ଲାଗିଛି | ଲୋକଙ୍କ ସ୍ୱାର୍ଥ ପ୍ରତି ବିମୁଖ ରହି ନିଜ ବ୍ୟବସାୟ ଓ ନିଜ ସ୍ୱାର୍ଥରେ ବ୍ୟସ୍ତ ଥିବା ପ୍ରାର୍ଥୀ ବା ବିଧାୟକଙ୍କୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଲୋକ ଏକ ପ୍ରକାର ମନସ୍ଥ କରିସାରିଛନ୍ତି | ଆମେ କହୁଛୁ କାମାକ୍ଷାନଗର ନିର୍ବାଚନମଣ୍ଡଳୀ କଥା | ଲୋକଙ୍କ କହିବା କଥା “ବିକାଶ ନହେଲା ନାଇଁ , ହେଲେ ଶାନ୍ତିରେ ତ ଟିକେ ବଂଚିବାକୁ ଦିଅ ! ହିଂସା , ହତ୍ୟା , ଗୁଳିକାଣ୍ଡ ଜନିତ ଆତଙ୍କରୁ ତ ଟିକେ ମୁକ୍ତି ଦିଅ |” ଅଧିକାଂଶ ଭୋଟର ଖୋଜୁଛନ୍ତି ପରିବର୍ତ୍ତନ ଅର୍ଥାତ ଏବେ ନୂଆ ମୁହଁ ଖୋଜୁଛନ୍ତି ଭୋଟର | ବିଧାୟକଙ୍କ କାର୍ଯ୍ୟଧାରାକୁ ନେଇ ଲୋକେ ଅତ୍ୟନ୍ତ କ୍ଷୁବ୍ଧ | ଶାନ୍ତି ଓ ବିକାଶ ଖୋଜୁଥିବା ଭୋଟର ମାନେ ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଲେ , ପାନେ ଦେବେ ବୋଲି ମନସ୍ଥ କରିଲେଣି | ପୁରୁଣା ପ୍ରାର୍ଥୀଙ୍କୁ ଲଦି ଦେଲେ ବିରୋଧରେ ଭୋଟ ଦେବେ ବୋଲି କହିଛନ୍ତି ଅନେକ ଭୋଟର |

ଭୁବନେଶ୍ବର /ଗିରିଜା ଦାଶ :  ରାଜ୍ୟରେ ନିକଟତର ହେବାରେ ଲାଗିଛି ସାଧାରଣ ନିର୍ବାଚନ ଯାହାକୁ ନେଇ ସରଗରମ ହେଲାଣି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ର ପରିବେଶ । ବିଭିନ୍ନ ରାଜନୈତିକ ଦଳର ନେତା ଓ ନେତ୍ରୀମାନେ ଗାଁ ଗାଁ ବୁଲି ନିଜର ଲୋକପ୍ରିୟତା ବଢ଼ାଇବାରେ ଲାଗି ପଡ଼ିଛନ୍ତି । ବିଭିନ୍ନ ଦଳର କର୍ମକର୍ତ୍ତା ମାନେ ମଧ୍ୟ ବେଶ୍ ଉତ୍ସାହର ସହ ନେତୃତ୍ବ ମାନଙ୍କ ସହିତ ପୁରପଲ୍ଲୀରେ ବୁଲୁଛନ୍ତି । ପ୍ରତ୍ୟେକ ନାଗରିକ ନିଜର ବହୁମୂଲ୍ୟ ମତ ଏଥର କାହାକୁ ଦାନ କରିବେ ବୋଲି ପରସ୍ପର ଆଲୋଚନା କରୁଛନ୍ତି । ନୂତନ ମତଦାତା ବିଶେଷକରି ୧୮ରୁ ୨୫ ବର୍ଷ ବୟସର ଛାତ୍ରଛାତ୍ରୀ ମାନେ ମତଦାନ କରିବାକୁ ବେଶ୍ ଉତ୍କଣ୍ଠା ପ୍ରକାଶ କରୁଛନ୍ତି । ଧାନ ଚାଷ କରୁଥିବା ସଂଖ୍ୟା ଗରିଷ୍ଠ ଚାଷୀମାନେ ବର୍ତ୍ତମାନ ଧାନ ଅମଳ କାମ ସାରି ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି । ଏଥର ସାଧାରଣ ନିର୍ବାଚନରେ ମହିଳାମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ପାରିପାର୍ଶ୍ବିକ ସ୍ଥିତିରୁ ଅନୁଧ୍ୟାନ କରାଯାଉଛି । ଏହି ନିର୍ବାଚନୀ ଋତୁରେ ଏକ ରୋଚକ କଥା ସାମ୍ନାକୁ ଆସିଛି ଯେ ଏଥର ବିଭିନ୍ନ ଦଳ ଜନତାଙ୍କ ପସନ୍ଦକୁ ନେଇ ଠିକ୍ କରିବେ ପ୍ରାର୍ଥୀ । ଏଥିପାଇଁ ପ୍ରତ୍ୟେକ ଦଳରୁ ପର୍ଯ୍ୟବେକ୍ଷକ ନିଯୁକ୍ତି ସହିତ ସ୍ବତନ୍ତ୍ର ଗୁଇନ୍ଦା ମଧ୍ୟ ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ନିଯୁକ୍ତ କରାଯାଇଛି । ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ସ୍ଥାନୀୟ କେଉଁ ନେତାଙ୍କ ଲୋକପ୍ରିୟତା ସର୍ବାଧିକ ରହିଛି ତାହା ତର୍ଜମା କରି ଦଳର ସୁପ୍ରିମୋଙ୍କୁ ତଥ୍ୟ ଦିଆଯାଉଛି । ସେହିପରି ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀ ଭଳି ବିଜେଡ଼ି ଗଡ଼ କୁହାଯାଉଥିବା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଭିନ୍ନ ଦଳର ଗୁଇନ୍ଦା ନିଯୁକ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଶାସକ ଦଳର ଛବି ମଳିନ ପଡ଼ିଯାଇଛି ଏବଂ ଏଭଳି ସ୍ଥିତି ପାଇଁ ବର୍ତ୍ତମାନର ସ୍ଥାନୀୟ ବିଧାୟକ ତଥା ରାଜ୍ୟର ପୂର୍ତ୍ତ ଓ ଖଣି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଦାୟୀ ବୋଲି ଅଧିକାଂଶ ଭୋଟର ମତବ୍ୟକ୍ତ କରିଛନ୍ତି । ଜନତାଙ୍କ ଯୋଗୁଁ ଲଗାତାର ଚାରିଥର ବିଧାୟକ ଏବଂ ରାଜ୍ୟର ବହୁ ଗୁରୁତ୍ୱପୁର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ଵ ସହିତ କ୍ୟାବିନେଟ୍ ମନ୍ତ୍ରୀ ହୋଇ ମଧ୍ୟ ଅଦ୍ୟାବଧି ନିଜ ନିର୍ବାଚନ ମଣ୍ଡଳୀ ପାଇଁଁ ସେହିଭଳି ଆଖି ଦୃଶିଆ କାମ କିଛି କରି ନାହାଁନ୍ତି ବୋଲି ଜନତା କୁହନ୍ତି । ରାଜ୍ୟର ଜଣେ ପ୍ରମୁଖ ପ୍ରଭାବଶାଳୀ ନେତା ହିସାବରେ ନିଜକୁ ପ୍ରତିପାଦିତ କରିବା ଛଡ଼ା ଆଉ କିଛି କରିନଥିବା କୁହାଯାଉଛି । ନିଜ ନିର୍ବାଚନ ମଣ୍ଡଳୀରେ ରୋଜଗାର ନପାଇ ଅନେକ ବେରୋଜଗାର ଯୁବକଯୁବତୀ ବାଧ୍ୟ ହୋଇ ଦାଦନ ଖଟିବାକୁ ରାଜ୍ୟ ଓ ଦେଶ ବାହାରକୁ ଯାଉଛନ୍ତି । ସରକାରଙ୍କ ଏତେ ଯୋଜନା ମଧ୍ୟରେ ଏବେବି ଏହି ନିର୍ବାଚନ ମଣ୍ଡଳୀରେ ଅନେକ ଅଞ୍ଚଳ ଅବହେଳିତ ଅବସ୍ଥାରେ ରହିଛନ୍ତି । ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଜନହିତକର ଯୋଜନାରେ ଅନୁମୋଦିତ ଅନୁଦାନ ବାଟମାରଣା ହେଉଛି । ଗମନାଗମନ ସୁବିଧା ପାଇଁ ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣ ହେଉଥିବା ସଡ଼କ ପଥ ଅତି ନିମ୍ନମାନର ହେଉଥିବାରୁ ତାହା ଖୁବ କମ୍ ଦିନରେ ମାଟିରେ ମିଶି ଯାଉଛି । ପ୍ରତ୍ୟେକ ଅଞ୍ଚଳରେ ମାଳମାଳ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି ହେଲେ ଜନସାଧାରଣ ଜଳ ଠିକ୍ ରେ ପାଇ ପାରୁ ନାହାଁନ୍ତି । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଭୁବନ ଓ କାମାକ୍ଷାନଗର ସହରରେ ଦୁଇଟି ଡାକ୍ତରଖାନା ଅବ୍ୟବସ୍ଥା ଘେରରେ ଚାଲିଛି । ଡାକ୍ତର ଅଭାବରୁ ଏହା ଉପରେ ନିର୍ଭର କରୁଥିବା ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବେଆଇନ ଖଣି କାରବାର ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ହତ୍ୟା ଓ ଗୁଳିକାଣ୍ଡ ଏଠି ବାର୍ଷିକ ରୁଟିନ କାର୍ଯ୍ୟକ୍ରମରେ ପରିଣତ ହୋଇଯାଇଛି | ନିକଟରେ କାମାକ୍ଷାନଗର ଅଞ୍ଚଳରେ ଅନେକ ହତ୍ୟାକାଣ୍ଡ ନଜରକୁ ଆସିଛି ଯାହାକୁ ନେଇ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ଦଳରୁ ଦୁଇ ତିନି ଗୋଷ୍ଠୀ ହୋଇ ହିଂସାକାଣ୍ଡ ଘଟାଇଲେ । ମଲ୍ଲିକ ବାବୁ ଏସବୁ ଜାଣି ନଜାଣିଲା ପରି ନିରବତା ଅବଲମ୍ବନ କରିଛନ୍ତି ଫଳରେ ଏନେଇ ଜନସାଧାରଣଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ବହୁ ପୁରୁଣା ଦଳୀୟ କର୍ମୀଙ୍କୁ ହତାଦର କରି କଣଠେସା କରି ରଖିବା ନେଇ ମଧ୍ୟ ପ୍ରତ୍ୟେକ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । ମନ୍ତ୍ରୀଙ୍କର ଏଭଳି ସ୍ବଭାବ ଯୋଗୁଁ ନିକଟରେ ବିଜେଡ଼ି ଦଳର ବହୁ ଦୃଢ଼ ସଙ୍ଗଠକ ନିଜ କର୍ମୀ ମାନଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ଶିଶିର ବେହେରା ( ସରପଞ୍ଚ, ରାୟନୃସିଂହପୁର ),ଶ୍ରୀ ଲଳିତ ସାହୁ (ପୁର୍ବତନ ସରପଞ୍ଚ ତଥା ବ୍ଲକ ସଭାପତି, ବିଜେଡ଼ି), ଶ୍ରୀମତୀ ଉର୍ବଶୀ ନାୟକ (ସଭାନେତ୍ରୀ, ବିଜେଡ଼ି), ଶ୍ରୀ ରାଜେନ୍ଦ୍ର ବରାଳ, ଦିଲୀପ କୁମାର ସାହୁଙ୍କ ଭଳି ଶତାଧିକ ବିଜେଡ଼ି ସଙ୍ଗଠକ ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଏହିଭଳି ଭାବେ ନିଜର ଲୋକପ୍ରିୟତା ହରାଇବା ସହିତ ଦଳର ଛବିକୁ ମଧ୍ୟ ମଳିନ କରିଦେଇଛନ୍ତି ଖଣିମନ୍ତ୍ରୀ ବୋଲି ଲୋକଓ କର୍ମୀଙ୍କ ମତରୁ ଜଣାପଡ଼ିଛି । ତାଛଡ଼ା ରାଜନୀତି ପାଇଁ ମଲ୍ଲିକ ବାବୁଙ୍କ ବୟସ ବାଧକ ହେବା ସହିତ ନିର୍ବାଚନ ମଣ୍ଡଳୀର ବିଜେଡ଼ି କର୍ମୀ ଓ ଜନସାଧାରଣ ତାଙ୍କ ନେତୃତ୍ଵରେ ଭରସା ହରାଇ ସାରିଛନ୍ତି । ସେହି ଦୃଷ୍ଟିରୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ପାଇଁଁ ନୂଆ ଚେହେରା ଖୋଜୁଛନ୍ତି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀବାସୀ । ନବୀନ ବାବୁଙ୍କୁ ଭଲପାଉଥିବା କାମାକ୍ଷାନଗରର ସଂଖ୍ୟାଧିକ ବିଜେଡ଼ି ପ୍ରେମୀ ମଧ୍ୟ ପ୍ରଫୁଲ୍ଲ ମଲ୍ଲିକଙ୍କ ବିକଳ୍ପ ଚାହୁଁଥିବା ଜଣାପଡିଛି । ଯଦି ଏହାକୁ ଗୁରୁତ୍ବ ନଦେଇ ଦଳ ପକ୍ଷରୁ ପୁନର୍ବାର ପ୍ରଫୁଲ୍ଲ ବାବୁଙ୍କୁ ଟିକେଟ ଦିଆଯାଏ ତେବେ ଏଥର ବିରୋଧରେ ମତଦାନ କରିବାକୁ ଚେତାବନୀ ଦେଇଛନ୍ତି ପୁରୁଣା କର୍ମୀ । ତେବେ ବିଧାୟକ ପ୍ରାର୍ଥୀ ପାଇଁ ଭୁବନ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଧର୍ମାନନ୍ଦ ବରାଳ ଆଶାୟୀ ଥିବାବେଳେ ସେ ଵିକଟ ପାଇଁ ଅନ୍ୟତମ ଆଶାୟୀ ଭାବେ ରହିଛନ୍ତି | ଅନ୍ୟତମ ଆଶାୟୀ ପ୍ରାର୍ଥୀ ଭାବେ ରାଜ୍ୟ ବିଜେଡ଼ି ସମ୍ପାଦକ ଶ୍ରୀ ତପନ କୁମାର ଦାସ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଲୋକଙ୍କ ସହିତ ସମ୍ପର୍କରେ ରହି ନିଜ ଲୋକ ସମ୍ପର୍କ ବୃଦ୍ଧି କରିବାରେ ନିରନ୍ତର ପ୍ରଚେଷ୍ଟା କରୁଥିବା ଶ୍ରୀ ତପନ ଦାସ ଲୋକପ୍ରିୟତାରେ ଅଧିକ ଗ୍ରହଣୀୟ ହୋଇପାରିଛନ୍ତି | ତେଣୁ ଦଳ ଯଦି ତାଙ୍କୁ ଟିକେଟ ଦିଏ ତେବେ ବିଜେଡ଼ି ବହୁମତରେ ବିଜୟ ହାସଲ କରିବ ବୋଲି ଅନୁମାନ କରାଯାଉଛି । କାରଣ ବିଧାୟକ ଚେହେରା ହିସାବରେ ନୂଆ ଓ ନିର୍ମଳ ସ୍ବଭାବ ଥିବା ଶ୍ରୀ ଦାସ ଏକମାତ୍ର ଯୋଗ୍ୟ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି । ନିର୍ବାଚନ ମଣ୍ଡଳୀରେ ଶ୍ରୀ ଦାସ ଜଣେ ଉଚ୍ଚ ଶିକ୍ଷିତ ଓ ତାଙ୍କ ପରିବାରର ଖ୍ୟାତି ଥିବାରୁ ସେ ଦୃଢ଼ ଦାବିଦାର ଅଟନ୍ତି ।ରାଜ୍ୟ ରାଜନୀତିରେ ୧୯୯୩ ମସିହାରୁ ସକ୍ରିୟ ରହିଥିବା ଏହି ଯୁବନେତାଙ୍କ ନାମରେ କେବେ କୋୖଣସି ଆପତ୍ତି ଅଭିଯୋଗ ବା ବିଶୃଙ୍ଖଳା ଦେଖିବା ତ ଦୂର କେବେ ଶୁଣିବାକୁ ମଧ୍ୟ ମିଳିନି । ରାଜ୍ୟରେ ଯାଦବ ସମାଜର ନେତୃତ୍ବ ନେଉଥିବା ଯାଦବ ନେତା ହିସାବରେ ମଧ୍ୟ ଶ୍ରୀ ଦାସ ପ୍ରତିଷ୍ଠା ଲାଭ କରିଛନ୍ତି । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ୫୦ ହଜାରରୁ ଊର୍ଦ୍ଧ୍ଵ ଯାଦବ ରହିଥିବା ବେଳେ ଏହି ଜାତିଗତ କାର୍ଡ ଶ୍ରୀ ଦାସଙ୍କ ସପକ୍ଷରେ ଯାଇପାରେ ବୋଲି ରାଜନୀତିକ ମହଲରେ ଚର୍ଚା ହେଉଛି । ତେବେ ଦେଖିବାକୁ ବାକି ରହିଲା ପରିବର୍ତ୍ତନ ପାଇଁ ଆଶାବାନ୍ଧି ବସିଥିବା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀବାସୀଙ୍କୁ ବିଜେଡି ପକ୍ଷରୁ ନୂଆ ଚେହେରା ଦିଆଯାଉଛି ନା ପୁନର୍ବାର ସେହି ମଲ୍ଲିକ ବାବୁଙ୍କୁ ଟିକେଟ ଦିଆଯାଉଛି ।

Leave A Reply

Your email address will not be published.