ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଠିକଟା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି

0

ରାଉରକେଲା,(ବସନ୍ତ କୁମାର ଜେନା) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଠିକଟା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗଭାଲି ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଯୋଗଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ।

ଏହି ଜନଶୁଣାଣିରେ ମୋଟ ୧୧୫ ଟି ଅଭିଯୋଗ ଆସିଥିଲା।ସେଥିମଧ୍ୟରୁ ୬୦ଟି ବ୍ୟକ୍ତିଗତ ସମସ୍ୟା ଥିଲାବେଳେ ୫୫ ଗୋଟି ସାମୁହିକ ସମସ୍ୟା ଥିଲା। ସେଥିମଧ୍ୟରୁ ୧୯ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡ଼ିକର ତୁରନ୍ତ ବିଚାର କରାଯାଇ ଆଶୁ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଲାଠିକଟା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଲୋକମାନେ ବିଭିନ୍ନ ସମସ୍ୟା ଯେପରି ଆବାସ ଯୋଜନା ଅଧୀନରେ ଘର,ଜମି ଜାଗା, ରାସ୍ତା ଓ ଡ୍ରେନ ନିର୍ମାଣ, ପାନୀୟ ଜଳ, ବିଦ୍ୟୁତ, ରାସନ କାର୍ଡ, ସ୍ୱାସ୍ଥ୍ୟ, ଅଙ୍ଗନବାଡ଼ି ଏବଂ ସ୍କୁଲ ଆଦି ସମସ୍ୟା ବିଷୟରେ ଅଭିଯୋଗ ଆଣିଥିଲେ।

ଏହି ଅବସରରେ ୬ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଥିର୍କ ସହାୟତା ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ମନୋଜ ମହାଜନ, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ଲାଠିକଟା ବିଡିଓ ଚାରୁଲତା ସିଂହଙ୍କ ସମେତ ବିଭିନ୍ନ ବିଭାଗିୟ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.