ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡାକୁ ପଂହଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ନିମନ୍ତ୍ରଣ ପତ୍ର

0

ନିମନ୍ତ୍ରଣ ପତ୍ର ନେଇ ଆସିଥିବା ସେବାୟତଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଲା ଜିଲ୍ଳା ପ୍ରଶାସନ

ରାୟଗଡା/୨୮/୧୨/୨୩: ଆସନ୍ତା ଜାନୁଆରୀ ୧୭ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପୁରୀ ଶ୍ରୀକ୍ଷେତ୍ରରୁ ରାୟଗଡା ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର ଓ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପହଂଚିଛି । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଂଜିଆ ସଉରା ନୃତ୍ୟ,ଡଙ୍ଗରିଆ ନୃତ୍ୟ,ସଂକୀର୍ତନ,ଶଙ୍ଖଧ୍ୱନି ଓ ହରିବୋଲ,ହୁଳହୁଳି ପକାଇ ନିମନ୍ତ୍ରଣ ଧରି ଆସିଥିବା ସେବାୟତଙ୍କୁ ରାୟଗଡା ଠାରେ ଜିଲ୍ଳା ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ରାୟଗଡା ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରର ଚତୁର୍ଦ୍ଧାମୂର୍ତିଙ୍କୁ ସେବାୟତମାନେ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏଥିସହ ମନ୍ଦିର ପରିଚାଳନା କମିଟି ତରଫରୁ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସେବାୟତ ବୃନ୍ଦଙ୍କ ସମେତ ରାୟଗଡା ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାସ୍କରଚନ୍ଦ୍ର ରଇତ,ତହସିଲଦାର ତଥା ଦେବତୋର ଅଧିକାରୀ ଶ୍ରୀମତି ପ୍ରିୟଦର୍ଶନୀ ସ୍ୱାଇଁ,ରାଜ ପୁରୋହିତ ବିରଂଚି ନାରାୟଣ ଦାସ, ମନ୍ଦିର ପରିଚାଳନା କମିଟି ସଦସ୍ୟ ସୁନୀଲଚନ୍ଦ୍ର ପଣ୍ଡା,ପ୍ରତାପ କୁମାର ତ୍ରିପାଠୀ, ସୁଜିତ ଚନ୍ଦ୍ର ପଣ୍ଡା ,ରଂଜନ ରଥ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ମା ମଝିଘରିଆଣୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ରାଧାକୃଷ୍ଣ ଦଳେଇ,ଇପିଲି ରାଜୁ,ଦେବ ବେହେରାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ପୁରୀରୁ ନିମନ୍ତ୍ରଣ ପତ୍ର ନେଇ ଆସିଥିବା ସେବାୟତ ଶିବଶଙ୍କର ରଣା,ସତ୍ୟସୁନ୍ଦର ଚ୍ୟାଉପଟ୍ଟନାୟକ,ସୁବାଷ ଚନ୍ଦ୍ର ମହାନ୍ତି ଏବଂ ପ୍ରଶାସନିକ ଅଧିକାରୀ ସ୍ୱରୁପ କୁମାର କରଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ଅତିଥିମାନେ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ । ସେବାୟତ ବୃନ୍ଦ ପକ୍ଷରୁ ରାଜ ପୁରୋହିତ ଶ୍ରୀ ଦାସଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇ ଆସନ୍ତା ଜାନୁଆରୀ ୧୭ତାରିଖରେ ଶ୍ରୀମନ୍ଦିର ବିଶ୍ୱ ଐତିହ୍ୟ କରିଡର ଲୋକର୍ପଣ ଉତ୍ସବରେ ସାମିଲ ହେବା ପାଇଁ ଅନୁରୋଧ କରାଯାଇଥିଲା । ପରେ ମନ୍ଦିରରୁ ମା ମଝିଘରିଆଣୀ ମନ୍ଦିର ପର୍ଯ୍ୟନ୍ତ ନଗର ପରିକ୍ରମା କରାଯାଇ ମା’ଙ୍କ ମନ୍ଦିରରେ ମଧ୍ୟ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା । ଗତ ଡିସେମ୍ବର ୨୬ ତାରିଖରେ ସେବାୟତ ବୃନ୍ଦ ନିମନ୍ତ୍ରଣ ପତ୍ର ଧରି ପ୍ରଥମେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିରରେ କାଳିଆ ଠାକୁରଙ୍କୁ ଦର୍ଶନ କରି ଭୁବନେଶ୍ୱରର ଶ୍ରୀ ଜଗନ୍ନାଥ ଏବଂ ଲିଙ୍ଗରାଜ ମନ୍ଦିରରେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ନିମନ୍ତ୍ରଣ ପତ୍ର ପ୍ରଦାନ କରିବା ପରେ ଗଜପତି ଜିଲ୍ଳାରେ ନିମନ୍ତ୍ରଣ ଦେଇ ରାୟଗଡା ଠାରେ ପଂହଚିଥିଲେ । ଓଡିଶା ଭିତରେ ସମୁଦାୟ ୧୩ ଟିମ୍ ଗଠନ କରାଯାଇ ରାଜ୍ୟର ୩୦ଟି ଜିଲ୍ଳାରେ ବୁଲି ନିମନ୍ତ୍ରଣ ପତ୍ର ବଂଟନ ପାଇଁ ସେବାୟତ ଟିମକୁ ବିଭକ୍ତ କରାଯାଇଛି ବୋଲି ସେବାୟତ ବୃନ୍ଦ ପ୍ରକାଶ କରିଥିବା ବେଳେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ରାଜ୍ୟବାସୀ ବେଶ୍ ପ୍ରଶଂସା କରିବା ସହ ଏହା ଓଡିଶାର ଗର୍ବ,ଗୈାରବ ଓ ଐତିହ୍ୟକୁ ଅଧିକ ରଦ୍ଧିମନ୍ତ୍ କରିବ ବୋଲି ମତ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.