ଯୋଡା ଠାରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ

0

ଯୋଡା, ନଭେମ୍ବର ୧୫: ଆଜି ଯୋଡା ପୌରପାଳିକାର କଳାପାହାଡ ଛକରେ ସ୍ୱାଧୀନତା ସଂଗ୍ରାମୀ ତଥା କିମ୍ବଦନ୍ତୀ ଆଦିବାସୀ ନେତା ଭଗବାନ୍ ବିର୍ସା ମୁଣ୍ଡାଙ୍କ ଏକ ପ୍ରତିମୂର୍ତ୍ତି ଉଦ୍ଘାଟନ କରାଯାଇଛି। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଦ୍ୱାରା ସ୍ଥାପିତ ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୭ ଫୁଟ ଏବଂ ଏହା କଳା ଗ୍ରାନାଇଟ୍ ପଥରରେ ନିର୍ମିତ।
ଏହି ପ୍ରତିମୂର୍ତ୍ତିକୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ଚେୟାରମ୍ୟାନ୍ ନବୀନ ଜିନ୍ଦଲ, ବରିଷ୍ଠ ସାମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଏବଂ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶାଲୁ ଜିନ୍ଦଲ ଉନ୍ମୋଚନ କରିଥିଲେ ।
ଉପସ୍ଥିତ ଶତାଧିକ ଆଦିବାସୀ ତଥା ସ୍ଥାନୀୟ ଲୋକଙ୍କୁ ସମ୍ବୋଧିତ କରି ଶ୍ରୀ ଜିନ୍ଦଲ କହିଥିଲେ, “ମହାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ମୁଁ ଆଶା କରୁଛି ଦେଶ ଗଠନ ଏବଂ ଆଦିବାସୀ ସମାଜର ବିକାଶ ନିମନ୍ତେ ଏହି ପ୍ରତିମୂର୍ତ୍ତୀ ସର୍ବଦା ଆଜିର ଯୁବ ସମଜକୁ ଅନୁପ୍ରାଣିତ କରିବ । ସେ ଆହୁରି ମଧ୍ୟ କହିଥିଲେ ଯେ, “ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ସର୍ବଦା ସ୍ଥାନୀୟ ସଂସ୍କୃତି ଏବଂ ସମ୍ପ୍ରଦାୟର ବିକାଶରେ ବିଶ୍ବାସ କରିଥାଏ । ଆମେ ଆଦିବାସୀ ସମ୍ପ୍ରଦାୟର ବହୁମୁଖୀ ବିକାଶ ଚାହୁଁ ଏବଂ ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡା, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆମେ ଜନସାଧାରଣଙ୍କ ବିକାଶ ଉପରେ କାର୍ଯ୍ୟ କରୁଛୁ”।
ଯୋଡା ପୌରପାଳିକାର କଳାପାହାଡ ଛକର ନାମ ବୀର ବିର୍ସା ମୁଣ୍ଡାଙ୍କ ନାମରେ ନାମକରଣ କରିବାକୁ ପଦ୍ମଶ୍ରୀ ତୁଲାସୀ ମୁଣ୍ଡା ଆହ୍ବାନ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ଆଦିବାସୀ ପ୍ରମୁଖ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଜେଏସପି ର ମହତ୍ବପୂର୍ଣ ଅବଦାନ ରହିଛି ।
ସ୍ବାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ ଭଗବାନ୍ ବିର୍ସା ମୁଣ୍ଡାଙ୍କ ବୀରତ୍ୱକୁ ସ୍ମରଣ କରି ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲ ଦେଶର ଆଦିବାସୀ ପ୍ରମୁଖ ଅଞ୍ଚଳରେ ଉନ୍ନତି ଆଣିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଶିକ୍ଷା ତଥା ମାନବିକ ଅଧିକାର କ୍ଷେତ୍ରରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଅବଦାନକୁ ସେ ପ୍ରଶଂସା କରି କହିଥିଲେ ଯେ ଯୋଡା, ବଡବିଲ ଏବଂ ଦେଓଝର ଅଞ୍ଚଳରେ ସ୍ୱାସ୍ଥ୍ୟସେବା, ଉନ୍ନତ ଶିକ୍ଷା, ଦକ୍ଷତା ବିକାଶ ଏବଂ କ୍ରୀଡ଼ାର ବିକାଶ ପାଇଁ ଜେଏସପି ଫାଉଣ୍ଡେସନ ସର୍ବଦା ପ୍ରୟାସରତ ।
ଜନଜାତିୟ ଗୌରବ ଦିବସର ଏକ ଅଂଶ ଭାବରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ଆଦିବାସୀ ସଂଗଠନ ଆଦିବାସୀ ହୋ ସମାଜ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ଯୋଡା ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ସାହୁ, ଜେଏସପିରେ ସ୍ଲୁରି ଆଣ୍ଡ କଞ୍ଚାମାଲର ମୁଖ୍ୟ ଶ୍ରୀ ଆଶିଷ ପାଣ୍ଡେ, ସିଏସ୍ଆରର ସଭାପତି ତଥା ଗ୍ରୁପ୍ ହେଡ୍ ପ୍ରଶାନ୍ତ କୁମାର ହୋତା, ଜେଏସପି ବଡବିଲର ୟୁନିଟ୍ ହେଡ୍ ଶ୍ରୀ ପୁରୁଷୋତ୍ତମ ଏମ ଡି, କାସିଆ ମାଇନ୍ସର ୟୁନିଟ୍ ହେଡ୍ ଶ୍ରୀ ପ୍ରମୋଦ କୁମାର ପତ୍ର, ଟେନସା ମାଇନ୍ସର ୟୁନିଟ୍ ହେଡ୍ ଶ୍ରୀ କମଳକାନ୍ତ ନନ୍ଦ, ଏଚଆର ହେଡ୍ ଶ୍ରୀ ଆଶିଷ ମହାନ୍ତି, ଆଦିବାସୀ ହୋ ସମାଜର ସଭାପତି ଶ୍ରୀ ସଂଜୀବ ମୁଣ୍ଡା, ସାଧାରଣ ସଚିବ ଶ୍ରୀ ଜେନା ଗାଗରାଇ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
ଚୌଧୁରୀ ପ୍ରଣବ।ନନ୍ଦ ଦାସ, ଶ୍ରୀ ମୁକେଶ ଅଗ୍ରୱାଲ, ଶ୍ରୀ ଭର୍ଜିଲ ଲାକ୍ରା, ଶ୍ରୀ ରବିନାରାୟଣ ମହାପାତ୍ର, ଶ୍ରୀ ଜାଦୁମଣି ମହନ୍ତ ଏବଂ ଏବଂ ଅନ୍ୟମାନେ କାର୍ଯ୍ୟକ୍ରମର ସଫଳତା ପାଇଁ ଉଲ୍ଲେଖନୀୟ ସହଯୋଗ କରିଥିଲେ।

Leave A Reply

Your email address will not be published.