ଭୁବନେଶ୍ୱର : କିସ୍ ଫାଉଣ୍ଡେସନ୍ ଯୋଗୁଁ ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ରଘୁରାଜପୁର ଗ୍ରାମର ୪ ଅନାଥ ଭଉଣୀଙ୍କ ଭାଗ୍ୟ ବଦଳିଯାଇଛି । ସେମାନଙ୍କ ମୁହଁରେ ଆଜି ହସ ଫୁଟିଛି । ପୂର୍ବ ପ୍ରତିଶ୍ରୁତି ମୁତାବକ କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ଉକ୍ତ ୪ ଭଉଣୀଙ୍କ ମଧ୍ୟରୁ ୩ ଭଉଣୀଙ୍କୁ କିଟ୍ ଓ କିସରେ ନିଯୁକ୍ତି ପ୍ରଦାନ କରିଛନ୍ତି। ରଘୁରାଜପୁରର ଲକ୍ଷ୍ମୀଧର ମହାପାତ୍ର ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିବା ପରେ ସେମାନଙ୍କ ଚାରିଝିଅ ବେସାହାରା ହୋଇପଡ଼ିଥିଲେ । ଏହି ଖବର ଗଣମାଧ୍ୟମରୁ ଜାଣିବା ପରେ ଶ୍ରୀ ସାମନ୍ତ ପିତୃମାତୃହରା ଚାରି ଭଉଣୀଙ୍କୁ କିସ୍ ଫାଉଣ୍ଡେସନ୍ ପକ୍ଷରୁ ସେମାନଙ୍କ ଚଳିବା ଓ ପାଠ ପଢ଼ା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେଇଥିଲେ। ଏବେ ବଡ଼ ଭଉଣୀ ରମାମଣୀ ସ୍ନାତକୋତ୍ତର ହୋଇଥିବା ବେଳେ ମଝିଆ ଦୁଇ ଭଉଣୀ ସ୍ନାତକ ଡ୍ରିଗ୍ରୀ ହାସଲ କରିଛନ୍ତି। ସବା ସାନ ଭଉଣୀ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଛି ।
ଶ୍ରୀ ସାମନ୍ତ ମଝିରେ ମଝିରେ ସେମାନଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବିଷୟରେ ପଚାରି ବୁଝୁଥିଲେ। ସେମାନଙ୍କୁ ଧୈର୍ଯ୍ୟ ଧରିବା ସହ ପାଠ ପଢ଼ାରେ ମନୋନିବେଶ କରିବାକୁ ଶ୍ରୀ ସାମନ୍ତ ବୁଝାଇ ଆସୁଥିଲେ। ସେମାନଙ୍କ ରହିବା ପାଇଁ ଘରଟିଏ ନ ଥିଲା। ରମାମଣୀ ନିଜ ପ୍ରଚେଷ୍ଟାରେ ସରକାରୀ ଯୋଜନାରେ ଘରଟିଏ କରିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇ ପାରି ନଥିଲା। ଏହା ଜାଣିବା ପରେ ଘର ସମ୍ପୂର୍ଣ୍ଣ କରିବା ପାଇଁ ମଧ୍ୟ ଶ୍ରୀ ସାମନ୍ତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହା ସହ ପାଠ ପଢ଼ା ସରିଲେ ସେମାନଙ୍କୁ କିଟ୍ ଓ କିସରେ ନିଯୁକ୍ତି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଆଜି ୩ ଭଉଣୀ ଶ୍ରୀ ସାମନ୍ତଙ୍କୁ ଭେଟି ନିଯୁକ୍ତି ପତ୍ର ଗ୍ରହଣ କରିଥିଲେ। କିଟ୍ ଓ କିସରେ ନିଯୁକ୍ତି ପାଇଥିବାରୁ ରମାମଣୀ ଓ ତାଙ୍କ ଦୁଇ ଭଉଣୀ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନିକଟରେ କୃତଜ୍ଞତା ଜଣାଇବା ସହ କିସ୍ ଫାଉଣ୍ଡେସନ୍ ଯୋଗୁଁ ଆମେ ଆଜି ଏତେ ବାଟରେ ପହଞ୍ଚି ପାରିଛୁ ବୋଲି କହିଥିଲେ । କିସ୍ ଫାଉଣ୍ଡେସନ୍ ଓ ଅଚ୍ୟୁତ ସାମନ୍ତଙ୍କ ଏଭଳି ମହତ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି।
Sign in
Sign in
Recover your password.
A password will be e-mailed to you.