ମିଥ୍ୟା ଶପଥ ପାଠ ମାମଲା : କାରା ଖେଣ୍ଡରା ସରପଞ୍ଚ ଅଯୋଗ୍ୟ ଘୋଷିତ

0

ବଡବିଲ (ଶାସକ ପ୍ରଶାସକ): ୧୯୯୫ ନିର୍ବାଚନ ନିୟମ ଅନୁଯାୟୀ ୨ରୁ ଉର୍ଦ୍ଧ୍ବ ସନ୍ତାନ ଥିବା ପୁରୁଷ କିମ୍ବା ମହିଳା କୌଣସି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ । ତେବେ କାରାଖେଣ୍ଡରା ଗ୍ରାମ ପଞ୍ଚାୟତର ସରପଞ୍ଚ ୪ଟି ସନ୍ତାନର ପିତା ହୋଇଥିବା ଅଭିଯୋଗ ହେବା ପରେ ମାନ୍ୟବର ହାଇକୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷିତ କରିଥିବା ଜଣାଯାଇଛି।
ପ୍ରକାଶ ଥାଉ କି ଗତ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଅନ୍ତର୍ଗତ କାରାଖେଣ୍ଡରା ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବୀ ନିମନ୍ତେ ଉଲିବୁରୁ ଗ୍ରାମର କାହ୍ନୁ ଚରଣ ମୁଣ୍ଡା ଏବଂ ସୁବାସ ସିତାରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା ଏବଂ କାହ୍ନୁ ଚରଣ ମୁଣ୍ଡା ୧୨ ଭୋଟରେ ସୁବାସ ସିତାରୀଙ୍କ ଠାରୁ ପରାଜିତ ହୋଇଥିଲେ। ନିର୍ବାଚନ ଜିତିବା ପରେ ସୁବାସଙ୍କ ଶପଥପାଠ ଅନୁଯାୟୀ ତାଙ୍କର ଗୋଟିଏ କନ୍ୟାସନ୍ତାନ ଓ ୨ ଜାଆଁଳ ପୁତ୍ର ସନ୍ତାନ ଥିବା ଦର୍ଶାଇଥିବାବେଳେ କାହ୍ନୁ ମୁଣ୍ଡା, ସୁବାସଙ୍କ ୪ ସନ୍ତାନ ଥିବା ଏବଂ ସେ ମିଥ୍ୟା ଶପଥପାଠ ଦାଖଲ କରିଥିବା ଅଭିଯୋଗ କରିଥିଲେ ହେଁ ପ୍ରମାଣ ଅଭାବରୁ ଅଭିଯୋଗ ଗ୍ରହଣ କରାଯାଇନଥିଲା । ପରେ ସୂଚନା ଅଧିକାର ଆଇନ ଯୋଗେ ସୁବାସଙ୍କ ୪ଟି ସନ୍ତାନ ଥିବା ଜାଣିବାକୁ ପାଇ କାହ୍ନୁ ମୁଣ୍ଡା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟ ମାମଲାର ବିଚାର କରି ସୁବାସ ସିତାରୀଙ୍କୁ ଅଯୋଗ୍ୟ ଘୋଷିତ କରିଥିବାବେଳେ ହାଇକୋର୍ଟଙ୍କ ନିର୍ଦ୍ଧେଶ କ୍ରମେ କେନ୍ଦୁଝର ଜିଲ୍ଲାପାଳ ଗତ ୩୦ ତାରିଖରେ ଏନେଇ ସରପଞ୍ଚ ସୁବାସ ସିତାରୀଙ୍କୁ ନୋଟିସ ଜାରି କରିଥିବା ଜଣାଯାଇଛି।

Leave A Reply

Your email address will not be published.