ଛୁଆ ଜନ୍ମ କରି ରାସ୍ତାକଡ଼ରେ ଛାଡ଼ିଲାପରି ଉଦ୍ଘାଟନ କରି ମେଡିକାଲ କଲେଜ କଥା ଭୁଲି ଯାଇଛନ୍ତି ସରକାର

0

ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆନ୍ତର୍ଜାତୀୟ ମାନର ଅନୁଷ୍ଠାନ ବାଟ ହୁଡ଼ିଛି 

ଫୋନ କଲେ ଆସୁ ନାହିଁ  ଆମ୍ବୁଲାନ୍ସ, ମିଳିପାରୁ ନାହିଁ ସ୍ୱାସ୍ଥ୍ୟ ସେବା

 ଅଭିଯୋଗ ପରେ ମଧ୍ୟ ମିଳିପାରୁ ନାହିଁ ନ୍ୟାୟ

 

ବାରିପଦା/dillip mohanty – ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାମାନଙ୍କ ଶାସନ ଅମଳରେ ପ୍ରଜାମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବାରିପଦା ପୌରପରିଷଦରେ ପ୍ରତିଷ୍ଠା  କରିଥିଲେ ଏକ ଡ଼ାକ୍ତରଖାନା । ମହାରାଜାଙ୍କ ସହିତ ରାଜ ପରିବାରର ସମସ୍ତ ସଦସ୍ୟମାନଙ୍କର ରୋଗବୈରାଗ୍ୟ ହେଲେ ଏହି ଡ଼ାକ୍ତରଖାନାରେ ଚିକିତ୍ସା ହେଉଥିଲେ । ୧୯୩୩ ମସିହାରେ ଏହି ଚିକିତ୍ସାଳୟ ଜେନାନା ହସପିଟାଲରେ ପରିଣତ କରାଇଥିଲେ । କେବଳ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ନୁହେଁ ପଡେ଼ାଶୀ ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସହିତ ଓଡ଼ିଶାର ବିଭିନ୍ନ ଜିଲାରୁ ରୋଗୀ ଏଠାକୁ ଚିକିତ୍ସା ନିମନ୍ତେ ଛୁଟି ଆସୁଥିଲେ । ମାତ୍ର ୧୯୪୯ ଜାନୁଆରୀରେ ଗଡ଼ଜାତ ରାଜ୍ୟର ବିଲୟ ହୋଇ ମୟୂରଭଞ୍ଜ ଓଡ଼ିଶା ପ୍ରଦେଶର ଏକ ସ୍ୱତନ୍ତ୍ର ଜିଲା ଭାବେ ଶାସିତ ହେବାର ପରବର୍ତ୍ତି ସମୟରେ ବାରିପଦା ମୁଖ୍ୟ ଚିକିତ୍ସାଳୟର ପୂର୍ବ ସୁନାମ କଳାଦାଗ ଲାଗିବା ଆରମ୍ଭ ହେଲା । ଚିକିତ୍ସା ଅବହେଳାରେ ରୋଗୀର ମୃତ୍ୟୁ , ମୃତ ରୋଗୀକୁ ସେଲାଇନ ଇଞ୍ଜେକସନ ଆଦି ଦେବା, ଘରୋଇ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ରୋଗୀଙ୍କୁ ପ୍ରଭାବିତ କରାଇବା, ଡ଼ାକ୍ତର ଓ ନର୍ସମାନଙ୍କର ଦାଦାଗିରି ଆଦି ବିଭିନ୍ନ ପ୍ରକାରର ଅଭିଯୋଗ ଆସିବା ଆରମ୍ଭ ହୋଇ ଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସହିତ ରାଜ୍ୟ ସରକାର କୌଣସି କାରଣରୁ ଜନସାଧାରଣଙ୍କ ଅଭିଯୋଗକୁ ଅଣଦେଖା ପ୍ରଦର୍ଶନ କରିଆସୁଛନ୍ତି । ଅଧିକନ୍ତୁ ଜନସାଧାରଣଙ୍କ ପଇସାରେ ଦରମା ପାଉଥିବା ଡ଼ାକ୍ତରଙ୍କୁ ସୁରକ୍ଷା ଦେବାକୁ ଯାଇ ରାଜ୍ୟ ସରକାର ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଆଇନ ପ୍ରଣୟନ କଲେ । ଯାହାଫଳରେ ଡ଼ାକ୍ତରମାନେ ସୁରକ୍ଷିତ ହୋଇ ମେରୀ ରାୟରେ କାର୍ଯ୍ୟ କରିବାର ସାହାସ ପାଇ ପାରିଲେ । 

                 ଗତ ରବିବାର ରାତି ପ୍ରାୟ ୮ଟା ପାଖାପାଖି ସଦର ମହକୁମା ବାରିପଦା ସହରଠାରୁ ମାତ୍ର ଷ୍ଣ କିଲୋମିଟର ଦୂର ବାରିପଦା ଦେଓଳି ରାସ୍ତାର କ୍ଷେତ୍ରପାଟଣା ପୋଲ ଉପରେ ଏକ ଗର୍ଭବତୀ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେଲା । ଉକ୍ତ ରାସ୍ତା ଦେଇ ଗାଡ଼ି ମୋଟର ଚଳାଚଳ ବିଶେଷ ନ ଥିବାରୁ ପ୍ରସୂତୀ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ତାର ସ୍ୱାମୀ ଚାନ୍ଦୁଆ ଥାନା ପଦୁଗିରିଶୋଳ ଗ୍ରାମର ଦୁର୍ଗା ଧଳ  ଅସହାୟ ଅବସ୍ଥାରେ ସ୍ତ୍ରୀ ପ୍ରମିଳା ସିଙ୍କୁ ସେଠାରେ ଛାଡ଼ି ଗାଡ଼ି ବ୍ୟବସ୍ଥା କରିବା ନିମନ୍ତେ ଚାଲି ଆସିଥିଲା । ଠିକ୍ ଏହି ସମୟରେ ସ୍ଥାନୀୟ ଜନସାଧାରଣ ଏକ ମହିଳା ଯନ୍ତ୍ରଣାରେ  କ୍ଷେତ୍ରପାଟଣା ପୋଲ ଉପରେ ଚିକ୍ରାର କରୁଥିବାର ଖବର ପାଇ ଘଟଣାସ୍ଥଳରେ ଅନୁପମ ସୋର(ଯୀଶୁ), ଶୁଳିଆପଦା ଅଂଚଳର ଦେବୁ ଦାସ, ଗରୀବ ଜନସାଧାରଣଙ୍କର ଦୁଃଖସୁଖରେ ଭାଗିଦାର ହେଉଥିବା ସମାଜସେବୀ ସରୋଜ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ହୋଇ ପ୍ରସୂତୀକୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଆମ୍ବୁଲାନ୍ସ ପଠାଇବାକୁ ସିଡ଼ିଏମଓଙ୍କୁ ଫୋନ କରିଥିଲେ ମଧ୍ୟ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା ପରେ ଆମ୍ବୁଲାନ୍ସ ପହଁଞ୍ଚି ନଥିଲା । ଏହି ସମୟରେ ପ୍ରସୂତୀ ପ୍ରମିଳା ସେହି ପୋଲ ଉପରେ ଖୋଲା ଆକାଶ ତଳେ ଜନ୍ମ ଦେଇଥିଲା ଏକ କନ୍ୟା ସନ୍ତାନ । ଜନ୍ଦା ପିମ୍ପୁଡ଼ି ଆଦି ମାଡ଼ି ଆସୁଥିବା ସାଂଗକୁ ଶୀତରେ ଖାଲି ଦେହରେ ସଦ୍ୟ ଜନ୍ମ ନେଇଥିବା ପିଲା ଓ ମା’ର ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶଃ ଖରାପ ଦିଗରେ ଗତି କରୁଥିବାର ଦେଖି ସରୋଜ ଖୁଣ୍ଟିଆ ନିଜ ଖର୍ଚ୍ଚରେ ଏକ ଘରୋଇ ଆମ୍ବୁଲାନ୍ସରେ ଏମାନଙ୍କୁ ଧରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ପହଁଞ୍ଚାଇ ଥିଲେ । ମାତ୍ର ପ୍ରସୂତୀ ଓ ସଦ୍ୟ ଜନ୍ମୀତ କନ୍ୟା ସନ୍ତାନକୁ ତୁରନ୍ତ  ଚିକିତ୍ସା ମିଳିପାରି ନ ଥିଲା । ଉପସ୍ଥିତ ଜନସାଧାରଣ ଜରୁରୀକାଳୀନ କଲ ମାଧ୍ୟମରେ ଡ଼ାକ୍ତର ଡ଼କାଇବାକୁ ଆକୁଳ ନିବେଦନ କରିଥିଲେ ମଧ୍ୟ ଏହାକୁ ସେହି ସମୟରେ ଡ଼ିଉଟିରେ ରହିଥିବା ହସପିଟାଲର କର୍ମଚାରୀ କର୍ଣ୍ଣପାତ କରି ନ ଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଶୁଳିଆପଦାର ଦେବୁ ଦାସ । ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ବୋଲି କହି ଖଣ୍ଡନ କରିଥିଲେ ମେଡ଼ିକାଲ କଲେଜର ସହକାରୀ ସୁପାରିନଟେଣ୍ଡେଣ୍ଟ ଡ଼ା. ପ୍ରଣବ ଦାଶ । ଏଥି ସହିତ ମେଡ଼ିକାଲ କଲେଜ ପକ୍ଷରୁ ପ୍ରସୂତୀକୁ ଆଣିବା ପାଇଁ ଆମ୍ବୁଲାନ୍ସ ପଠାଇବା ସହିତ ତାର ଚିକିତ୍ସା ବ୍ୟବସ୍ଥା ନିମନ୍ତେ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଇଥିବାର ଡ଼ାକ୍ତର ଦାଶ କହିଥିଲେ ।

            ମୟୂରଭଞ୍ଜ ଏକ ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲା ଭାବେ ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସଭାସମିତିରେ ମୟୂରଭଞ୍ଜବାସୀ ତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବାର ଭାଷଣ ଦେଇଆସୁଛନ୍ତି । ମୟୂରଭଞ୍ଜବାସୀଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ବାରିପଦା ସହରରେ ଏକ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା  କରିଥିବାର ନାଗରା ବଜାଇ ଚାଲିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ହସପିଟାଲକୁ ଏକ ଆନ୍ତର୍ଜାତୀୟ ମାନର ହସପିଟାଲରେ ପରିଣତ କରାଇବେ ବୋଲି ମେଡ଼ିକାଲ କଲେଜର ଉଦଘାଟନୀ ସମାରୋହରେ ବାହାସ୍ଫୋଟ ମାରିଥିଲେ । କିନ୍ତୁ ହସପିଟାଲରେ ଅତ୍ୟାଧୁନିକ ଚିକିତ୍ସା ମିଳିପାରିବା ଦୂରର ବିଷୟ ସାଧାରଣ ଚିକିତ୍ସା ରୋଗୀଙ୍କୁ ମିଳିବା ସ୍ୱପ୍ନ ହୋଇଯାଇଛି । ହସପିଟାଲରେ ସ୍ୱାସ୍ଥ୍ୟ ସେବା କୋମାକୁ ଚାଲିଯାଇଛି । ଏଠାରେ ମେଡ଼ିକାଲ କଲେଜ ଓ ସିଡ଼ିଏମଓ ଷ୍ଟାଫ ମଧ୍ୟରେ ସମନ୍ୱୟ ରହୁ ନାହିଁ । ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି । ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଚାଲିଥିବା ବେଳେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ମଝିରେ ରୋଗୀ ଅବହେଳା ଓ ହିନସ୍ତା ହେଉଛି । ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ଏହି ପ୍ରକାରର ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଓ ସରକାର ଆଖିରେ ଅନ୍ଧ ପୁଟଳି ବାନ୍ଧି ମେଡ଼ିକାଲ କଲେଜ ପ୍ରତିଷ୍ଠାକୁ ନେଇ ଶସ୍ତା ରାଜନୀତି ଚଳାଇଛି । ଯାହାଫଳରେ ଜିଲାରେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଗତ ଅଗଷ୍ଟ ମାସରେ ଏକ ରୋଗୀର ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ବିଭାଗୀୟ ଡ଼ାକ୍ତର ନ ଦେଇ ରୋଗୀର ପରିବାରକୁ ନାଲି ଆଖି ଦେଖାଇ ଫେରାଇ ଦେଇଥିବା ବିଷୟକୁ ନେଇ ମେଡ଼ିକାଲ କଲେଜର ସୁପାରିନଟେଣ୍ଡେଣ୍ଟ, ଜିଲାପାଳ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମାନବିକ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏଦିବରେ ସ୍ୱାସ୍ଥ୍ୟ ବିଭାଗ, ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇ ନ ଥିବା ବେଳେ ମାନବିକ ଅଧିକାର କମିଶନ ପକ୍ଷରୁ ୩କ ମାମଲା ରୁଜୁ କରାଯାଇଥିବାର ଜଣାପଡ଼ିଛି । 

 

Leave A Reply

Your email address will not be published.