ଭୁବନେଶ୍ୱର: ଓଡିଶା ସଚିବାଳୟ ସେବା ସଂଘ ତରଫରୁ ଲୋକସେବା ଭବନ ପରସରରେ ଏକ ବିକ୍ଷୋଭ ସମାବେଶ ଆୟୋଜନ କରଯାଇଥିଲା । ଏଥିରେ ଶହ ଶହ ସଂଖ୍ୟାରେ ଓଡିଶା ସଚିବାଳୟ ସେବା ବର୍ଗ (O.S.S.) ଅଧିକାରୀମାନେ ଯୋଗ ଦେଇଥିଲେ । ମଧ୍ୟାହ୍ନ ବିରତି ହେବା ମାତ୍ରେ ନିଜ ନିଜର ଆସନ ପରିତ୍ୟାଗ କରି ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, କୃଷି ଭବନ, ସଂଚାର ଭବନ, ପର୍ଯ୍ୟଟନ ଭବନ ଏବଂ ସଚିବାଳୟ ପ୍ରଶିକ୍ଷଣ ପ୍ରତିଷ୍ଠାନରୁ ଅଧିକାରୀମାନେ ପ୍ରଚଣ୍ଡ ଖରାକୁ ଖାତିର ନ କରି ଦଳ ଦଳ ହୋଇ ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ନିକଟସ୍ଥ ପଡିଆକୁ ଯାଉଥିବାର ଦେଖାଯାଉଥିଲା । ଖରାର ପ୍ରକୋପକୁ ତୁଚ୍ଛ ମନେ କରି ସମସ୍ତେ ସେଠାରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରକାଶ ଥାଉ କି, ନିକଟ ଅତୀତରେ ଉକ୍ତ ସେବା ବର୍ଗ (OSS Cadre) ରେ ଗ୍ରୁପ-“କ” ରେ ନୂତନ ପଦବୀ ସୃଷ୍ଟି କରାଯାଇଥିବାରୁ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରଯାଇଥିଲା । ମାତ୍ର A॰S॰O॰ (ସହକାରୀ ଉପବିଭାଗ ଅଧିକାରୀ) ପଦବୀ ସୃଷ୍ଟି ହେବାର ୧୫ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ସଂଘର ମୁଖ୍ୟଦାବି ଯାହା କି, କେନ୍ଦ୍ର ସଚିବାଳୟ ହାରରେ ଦରମା ସମୀକରଣକୁ ସରକାର ଅଣଦେଖା କରୁଥିବାରୁ ସଂଘର କର୍ମକର୍ତ୍ତା ମାନେ ଅଶାନ୍ତି ପ୍ରକଟ କରିଥିଲେ । କର୍ମକର୍ତ୍ତା ମାନେ ବାରମ୍ବାର ଏଥି ନିମନ୍ତେ ସମ୍ପୃକ୍ତ ଅଧିକାରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ ନ କରୁଥିବାର ଅଭିଯୋଗ କରଯାଇଥିଲା । ଏହି ଦାବୀ କନିଷ୍ଠ ଅଧିକାରୀମାନଙ୍କ ଠାରୁ ଆରମ୍ଭ କରି ଅବସର ନେବାକୁ ଯାଉଥିବା ବରିଷ୍ଠ ଅଧିକାରୀ ମାନଙ୍କର ମୁଖ୍ୟ ଦାବୀ । ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଦ୍ଵାରା ଉକ୍ତ ବର୍ଗ ଅଧିକାରୀମାନଙ୍କ ମନରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହା ଯେକୌଣସି ସମୟରେ ବିସ୍ଫୋରକ ରୂପ ଧାରଣ କରିପାରେ ଏବଂ ଏଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସଂଘର ମୁଖ୍ୟ ଦାବୀ “ଦରମା ଅସଙ୍ଗତି ଦୂରୀକରଣ ଓ ଯୁକ୍ତିଯୁକ୍ତ କ୍ୟାଡର ପୁନର୍ଗଠନ“ ପୂରଣ ନିମନ୍ତେ ସାଧାରଣ ସଭ୍ୟ/ସଭ୍ୟା ମାନଙ୍କର ଦସ୍ତଖତ ସମ୍ବଳିତ ଦରଖାସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରଯାଇଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପାଇଁ ନିବେଦନ କରଯାଇଥିଲା ।
ଉକ୍ତ ସଭାକୁ ସଂଘର ସଭାପତି ଶ୍ରୀ ଅଜୟ କୁମାର ସ୍ଵାଇଁ ପରିଚାଳନା କରିଥିଲେ ଓ ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରଯତ୍ନ ବରାଳ, ସଂଘର ଅଧ୍ୟକ୍ଷ ଶ୍ରୀ ଚିତ୍ତ ରଞ୍ଜନ ହୋତା, ଶ୍ରୀ ପ୍ରଦୀପ କୁମାର ରାଉତ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସଂଘର ଉପସଭାପତି ପ୍ରତ୍ୟୁଷ କୁମାର କଅଂର ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post