ବ୍ରହ୍ମପୁର, ୧୨।୪: ରାଜ୍ଯ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ବ୍ରହ୍ମପୁରସ୍ଥିତ ଏମକେସିଜି ନୂତନ ସମ୍ମିଳନୀ କକ୍ଷରେ ସହରାଞ୍ଚଳ ରୂପାନ୍ତରଣର କ୍ଲଷ୍ଟରସ୍ତରୀୟ କର୍ମଶାଳା ହୋଇଯାଇଛି । ଦ୍ଵିତୀୟ ତଥା ଉଦ୍ଯାପନୀ ଦିବସରେ ଗଞ୍ଜାମ, ରାୟଗଡା, ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାର ୨୭ଟି ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ର ନିର୍ବାହୀ ଅଧିକାରୀ, ପୌର ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଏସ୍ବିଏମ୍ ଓ ସାନିଟେସନ୍ କର୍ମଚାରୀ ମାନେ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଜି ମାଥି ଭାଥନନ୍ ଅର୍ବାନ୍ ଗଭର୍ଣ୍ଣାନ୍ସ୍ ଭିଜନ୍ ୨୦୨୩-୨୪ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଏଥିରେ ସେ ସହରାଞ୍ଚଳ ରୂପାନ୍ତରଣ ଠାରୁ ଆରମ୍ଭ କରି ୱାର୍ଡ ଅଫିସ କାର୍ଯ୍ୟକ୍ଷମ, କଲ୍ୟାଣମଣ୍ଡପ ନିର୍ମାଣ, ରୋଡ, ଡ୍ରେନ୍, ଭେଣ୍ଡିଂ ଜୋନ୍, ମୁକ୍ତା ୨.୦, ଜାଗା ମିଶନ୍ ୨.୦, ପାନୀୟ ଜଳ ୨.୦, କଠିନ ଓ ତରଳ ବର୍ଜ୍ୟ ପରିଚାଳନା, ଗାରିମା ଆଦି ସମସ୍ତ ଯୋଜନା ବିଷୟରେ ପ୍ରକାଶ କରିଥିଲେ ।
ରାଜ୍ୟର ସମସ୍ତ ସହରାଞ୍ଚଳକୁ ଶ୍ରେଷ୍ଠ ବାସପଯୋଗୀ ସ୍ଥଳ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖୁଛନ୍ତି । ସେଥିପାଇଁ ପ୍ରତି ୱାର୍ଡରେ ୱାର୍ଡ ଅଫିସ ସ୍ଥାପନ କରି ମୁଖ୍ୟ ଅଫିସ୍ର ବୋଝ କମାଇବାକୁ ଗୁରୁତ୍ବ ଦେଇଛନ୍ତି। ୱାର୍ଡ ଅଫିସ୍ଗୁଡ଼ିକର ପରିଚାଳନା ଦାୟିତ୍ଵ ମିଶନ୍ ଶକ୍ତି ଗ୍ରୁପ୍ ହାତରେ ଦେଇ ଯଥାଶୀଘ୍ର ଲୋକଙ୍କୁ ନିଜ ୱାର୍ଡରେ ସମସ୍ତ ସେବା ଓ ସୁବିଧା
ଚୟନ କରି କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ । ସେହିପରି କଂକ୍ରିହୀନ ଜଳାଶୟ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ସମସ୍ତ ସିସି ରୋଡ୍କୁ ପେଭର୍ ବ୍ଲକ୍ରେ ରୂପାନ୍ତରଣ, ଜାଗା ମିଶନ୍ରେ ଜଙ୍ଗଲ ଓ ଅନ୍ୟାନ୍ୟ କିସମର ଜମି ହସ୍ତାନ୍ତରଣ, କଚ୍ଚା ଡ୍ରେନ୍ ଓ ରାସ୍ତାକୁ ପକ୍କା କରିବା, ଖୋଲା ଡ୍ରେନ୍କୁ ଆଚ୍ଛାଦିତ କରିବା, ସାମାଜିକ କାର୍ଯ୍ୟକ୍ରମ ପାଇଁ ଏନ୍ଏସି, ପୌରପାଳିକା ଓ ମହାନଗର ନିଗମରେ ଯଥାକ୍ରମେ ୨, ୪ ଓ ୧୦ଟି ଲେଖାଏଁ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ଲକ୍ଷ୍ୟ ନେଇ କାମ ଜୋରଦାର କରିବାକୁ ଶ୍ରୀ ମାଥି ଭାଥନନ କହିଥିଲେ।
ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଲା ଠିକାଦାର କେନ୍ଦ୍ରିତ ବିକାଶ ଧାରା ଏବେ ଗୋଷ୍ଠୀ କେନ୍ଦ୍ରିତ ଉନ୍ନୟନ ମଡେଲ୍ରେ ରୂପାନ୍ତରିତ ହୋଇଛି । ମିଶନ୍ ଶକ୍ତି ଗୋଷ୍ଠୀ ଓ ବସ୍ତି ବାସିନ୍ଦା ସଂଘମାନେ ପୌରସଂସ୍ଥାର ପ୍ରମୁଖ ସହଯୋଗୀ ହୋଇପାରିଛନ୍ତି। ତେଣୁ ପ୍ରତ୍ୟେକ ଯୋଜନାର ସମ୍ପ୍ରସାରଣ ବେଳେ ସେମାନଙ୍କୁ ଗୁରୁତ୍ବ ଦେଇ କାର୍ଯ୍ୟରେ ନିୟୋଜିତ କରିବା, ସେମାନଙ୍କ ପାଉଣା ଠିକଣା ସମୟରେ ପୈଠ କରିବାକୁ ପରାମର୍ଶ ଦେଇଥିଲେ। ଏହା ଦ୍ବାରା ସହରର ନିରବଚ୍ଛତନ୍ନ ବିକାଶ ସହ ଆର୍ଥିକ ଦୁର୍ବଳ ଶ୍ରେଣୀକୁ କର୍ମସଂସ୍ଥାନ ଉପଲବ୍ଧ କରାଇବାରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ସଫଳ ହୋଇପାରିବ। ଏହା ସହ ମୁକ୍ତା ଯୋଜନାରେ ଅଧିକରୁ ଅଧିକ ମିଶନ୍ ଶକ୍ତି ଗ୍ରୁପ୍କୁ ସାମିଲ୍ କରିବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟପଟେ ମିଶନ୍ ଶକ୍ତି ଗ୍ରୁପ୍ ହଇରାଣ ହରକତ କରିବା, ବ୍ୟାଟିଂ କରିବା ଓ ବିଲ୍ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମାଥି ସତର୍କ କରିଦେଇଥିଲେ। ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ କର୍ମଶାଳାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କର୍ମଶାଳାରେ ବିଭାଗୀୟ ଯୁଗ୍ମ ଶାସନ ସଚିବ ତଥା ନିର୍ଦ୍ଦେଶକ ସୁଡା ସାରଦା ପ୍ରସାଦ ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍, ବିଏମ୍ସି କମିଶନର ଜେ.ସୋନାଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post