ନବ ଦାସ ହତ୍ୟାକାଣ୍ଡକୁ ନେଇ ଅବାନ୍ତର ମନ୍ତବ୍ୟ ଦେଉଛନ୍ତି ବିଜେପି ନେତା: ବିଜେଡି

0
  •  ଏଭଳି ହୀନ ମନ୍ତବ୍ୟ ଦେବା ପୂର୍ବରୁ ଲଜ୍ଜା ଲାଗିବା କଥା
  •  ରାଜନୀତିରେ ମର୍ଯ୍ୟାଦା ରକ୍ଷା ନକଲେ ବାରମ୍ବାର ପ୍ରତ୍ୟାଖ୍ୟାତ ହେବେ

ଭୁବନେଶ୍ୱର, ୦୮/୦୪/୨୦୨୩: ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଭଳି ସ୍ପର୍ଶକାତର ବିଷୟକୁ ନେଇ ପୁଣିଥରେ ଜଣେ ବିଜେପି ନେତା ଅରୁଚିକର, ଅବାନ୍ତର ଏବଂ ଦାୟିତ୍ଵହୀନ ମନ୍ତବ୍ୟ ଦେଇଛନ୍ତି। ଜୀବନରେ ଥରେ କାଉନସିଲର ଭୋଟରେ ବି ଜିତି ନଥିବା ଏହି ବିଜେପି ନେତାଙ୍କୁ ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ଲଜ୍ଜା ଲାଗିବା କଥା। ଆଜି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମରେ ଦେଇଥିବା ବିବୃତିର ଜବାବ ଦେବାକୁ ଯାଇ ଏଭଳି ତୀବ୍ର ସମାଲୋଚନା କରିଛି ବିଜେଡି।
ଏହି ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଇସ୍ପିତା ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ପୂର୍ବରୁ ବିଜେପି ଦଳରେ ଥିବା କିଛି ଅଭ୍ୟାସଗତ ଅପରାଧୀ ନେତା ନବ ଦାସ ହତ୍ୟାକାଣ୍ଡକୁ ନେଇ ଅନେକ ବାର ପାଗଳଙ୍କ ଭଳି ପ୍ରଳାପ କରିଛନ୍ତି ଏବଂ ଅପମାନିତ ହୋଇଛନ୍ତି। ଏବେ ଆଉ ଜଣେ ବିଜେପି ନେତା ମଧ୍ୟ ଏଭଳି ଅରୁଚିକର ଓ ଦାୟିତ୍ୱହୀନ ମନ୍ତବ୍ୟ ଦେଇ ନିଜ ହୀନମନ୍ୟତାର ପରିଚୟ ଦେଇଛନ୍ତି। କାହା ବିରୋଧରେ ଗଣମାଧ୍ୟମରେ କିଛି ବିବୃତି ଦେବା ପୂର୍ବରୁ ଏହି ବିଜେପି ନେତା ଜଣକ ମନେ ରଖିବା ଉଚିତ ଯେ ଏହା ଅନ୍ୟ ରାଜ୍ୟରେ ବେପାର କରି କୋଟି କୋଟି ଟଙ୍କା ହରିଲୁଟ କରିବା ଭଳି ବିଷୟ ନୁହେଁ।
ରାଜନୀତିରେ ସର୍ବନିମ୍ନ ମୂଲ୍ୟବୋଧ ଓ ମର୍ଯ୍ୟାଦା ରକ୍ଷା କରିବା ଜରୁରୀ। ଯେଉଁମାନେ ଏହାର ସୀମା ଲଂଘନ କରି ଶସ୍ତା ଓ ହୀନ ଉଦ୍ଦେଶ୍ୟ ପ୍ରଣୋଦିତ ବିବୃତି ଦେଉଥିବେ, ଲୋକେ ସେମାନଙ୍କୁ ବାରମ୍ଵାର ପ୍ରତ୍ୟାଖ୍ୟାନ କରୁଥିବେ ବୋଲି ସୁଶ୍ରୀ ସାହୁ କହିଛନ୍ତି।

Leave A Reply

Your email address will not be published.