ଭୁବନେଶ୍ୱର , ୫ ଏପ୍ରିଲ୍ : ସ୍ମାର୍ଟ ଟେକ୍ନୋଲୋଜିର ଉଦ୍ଭାବନ ପୃଥିବୀ ପୃଷ୍ଠରେ ଅନେକ ବୈପ୍ଳବିକ ପରିବର୍ତନ ଆଣିଛି । କିନ୍ତୁ ମଣିଷ ଉପରେ ଏହାର ଦୀର୍ଘ ମିଆଦୀ ପ୍ରଭାବ ଉପରେ ଅନୁଶୀଳନ କରିବାର ଆବଶ୍ୟକତା ରହିଛି ବୋଲି ବୁଧବାର ୟୁନିଭର୍ସିଟି ଗ୍ରାଂଟ୍ସ କମିଶନ (ୟୁଜିସି)ର ଭାଇସ୍ ଚେୟାରମ୍ୟାନ ପ୍ରଫେସର ଦୀପକ କୁମାର ଶ୍ରୀବାସ୍ତବ କହିଛନ୍ତି ।
ଟେକ୍ନୋଲୋଜିର ବ୍ୟବହାର ମଣିଷର ମସ୍ତିଷ୍କ ଉପରେ ଅନେକ ପ୍ରଭାବ ପକାଉଛି । ଚିନ୍ତା କରିବାର, କାର୍ଯ୍ୟ କରିବାର, ବିଶ୍ଳେଷଣ କରିବାର ଶକ୍ତି ମଣିଷ କ୍ରମେ ହରାଇ ବସୁଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ରୌପ୍ୟ ଜୟନ୍ତୀ ବକ୍ତୃତା ପ୍ରଦାନ କରିବା ଅବସରରେ ଏହା କହିଛନ୍ତି ପ୍ରଫେସର ଶ୍ରୀବାସ୍ତବ ।
ପ୍ରଫେସର ଶ୍ରୀବାସ୍ତବ କହିଥିଲେ ଯେ ଆମକୁ ଅତୀତକୁ ଫେରିଯିବାର କିମ୍ବା ସ୍ମାର୍ଟ ଟେକ୍ନୋଲୋଜିକୁ ପରିହାର କରିବାର ମଧ୍ୟ ଆବଶ୍ୟକତା ନାହିଁ । କିନ୍ତୁ ଟେକ୍ନୋଲୋଜିକୁ ବିକଳ୍ପ ଭାବେ ବ୍ୟବହାର କରିବା ନିମନ୍ତେ ଅଧିକ ମାତ୍ରାରେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ଟେକ୍ନୋଲୋଜିର ବ୍ୟବହାର ସହିତ ଏଥିରୁ କିପରି ବାହାରି ହେବ ପୁଣି ଥରେ ଏଥିରେ ନିଜକୁ ଯୋଡି ହେବ ସେ ଦିଗରେ ଅଧିକ ବିଶ୍ଳେଷଣ କରିବାର ଆବଶ୍ୟକତା ରହିଛି ବୋଲି “ବାଲାନ୍ସିଂ ସ୍ମାର୍ଟ ଟେକ୍ନୋଲୋଜି ୱିଥ୍ ହ୍ୟୁମାନ୍ ଏଲିମେଂଟ ଫର୍ ଆନ୍ ଏନ୍ଲାଇଟେଣ୍ଡ ଫ୍ୟୁଚର” ଶୀର୍ଷକ ଆଲୋଚନା ପ୍ରସଙ୍ଗରେ ଏହା କହିଛନ୍ତି ପ୍ରଫେସର ଶ୍ରୀବାସ୍ତବ ।
ଚାଟ୍ ଜିପିଟି ଭଳି ଏକ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ଚାର୍ଟବଟ ଭଳି ନୂତନ ଉଦ୍ଭାବନର ଉଦାହରଣ ଦେଇ ପ୍ରଫେସର ଶ୍ରୀବାସ୍ତବ କହିଥିଲେ ଯେ ଏଭଳି ଟେକ୍ନୋଲୋଜି ଯଦିଓ ଆବଶ୍ୟକ କିନ୍ତୁ ଏହାକୁ ନିୟନ୍ତ୍ରଣ ମଧ୍ୟରେ ରଖି ବ୍ୟବହାର କରିବା ଦରକାର ।
ସ୍ମାର୍ଟ ୱାଚ୍, ସ୍ମାର୍ଟ ଟିଭି, ସ୍ମାର୍ଟ ଫୋନ୍, ସ୍ମାର୍ଟ କାଲ୍କୁଲେଟର ଓ ସ୍ମାର୍ଟ ଅଟୋମୋବାଇଲର ଉଦ୍ଭାବନ ପରେ ବିଶ୍ୱ ୫ମ ଶିଳ୍ପ ବିପ୍ଳବର ଦ୍ୱାରଦେଶରେ ପହଂଚିଛି । ଏହା ମଣିଷ ଓ ମେସିନ୍ ମଧ୍ୟରେ ଏକ ସୌହାଦ୍ଦ୍ୟପୂର୍ଣ୍ଣ ସଂପର୍କ ସୃଷ୍ଟି କରିଛି ବୋଲି ସେ କହିଥିଲେ ।
ପ୍ରଫେସର ଶ୍ରୀବାସ୍ତବ କହିଥିଲେ କିଛି ନୀତି ନିର୍ଦ୍ଧାରଣକାରୀ ଓ କେତେକ ଦେଶର ସରକାର ବିଭିନ୍ନ ବୟସର ଲୋକମାନଙ୍କୁ ଟେକ୍ନୋଲୋଜି ସହ ପରିଚିତ କରାଇବା ବିଷୟରେ ବେଶ ସଚେତନ ଅଛନ୍ତି । ଯେପରିକି ୟୁନାଇଟେଡ୍ କିଙ୍ଗ୍ଡମ୍, ସ୍କଟଲ୍ୟାଣ୍ଡ ଏବଂ ସିଙ୍ଗାପୁରର ସରକାର ସ୍ମୁଲ୍ରେ କାଲ୍କୁଲେଟର ବ୍ୟବହାର ନିଷେଧ କରିବା ସହ ପିଲାମାନଙ୍କର ବୌଦ୍ଧିକ ଶକ୍ତିକୁ ଉନ୍ନତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ।
ସେହିପରି ଗଭୀର ଚିନ୍ତା ଓ ସମସ୍ୟା ସମାଧାନ କରିବାର କୌଶଳକୁ ବୃଦ୍ଧି କରାଇବା ନିମନ୍ତେ ନ୍ୟୁୟର୍କର ସ୍କୁଲଗୁଡ଼ିକରେ ଚାଟ୍ ଜିପିଟି ଭଳି ନୂତନ ଟେକ୍ନୋଲୋଜିର ବ୍ୟବହାରକୁ ବନ୍ଦ କରିଦିଆଯାଇଛି । ତେବେ ବିଶ୍ୱର ଅନେକ ସ୍ଥାନରେ ଚାଟ୍ ଜିପିଟିର ପ୍ରଭାବ ସମ୍ପର୍କରେ ଚିନ୍ତା କରାଯାଉଥିବା ବେଳେ ଏହାକୁ କିପରି ବ୍ୟବହାର କରାଯିବା ଆବଶ୍ୟକ ତାହା ନୀତି ନିର୍ଦ୍ଧାରଣକାରୀମାନଙ୍କ ନିମନ୍ତେ ଚିନ୍ତାର ବିଷୟ ।
ଭାରତରେ ଶିକ୍ଷା ବ୍ୟବସ୍ଥାରେ ଟେକ୍ନୋଲେଜିର ବ୍ୟବହାର ନେଇ ସରକାର ଅଧିକ ସଚେତନ ଅଛନ୍ତି । ଜାତୀୟ ଶିକ୍ଷାନୀତି ପିଲାମାନଙ୍କର ଶାରୀରିକ, ସାମାଜିକ ମାନସିକ, ସାଂସ୍କୃତିକ, କଳାତ୍ମକ, ସାକ୍ଷରତା, ବୌଦ୍ଧିକ ଜ୍ଞାନ ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ସରକାର ଏନ୍ସିଇଆର୍ଟି ଦ୍ୱାରା “ବିଦ୍ୟା ପ୍ରବେଶ” ଭଳି ଏକ ପ୍ରି ସ୍କୁଲ୍ ମୋଡ୍ୟୁଲ୍ ପ୍ରସ୍ତୁତ କରିଛନ୍ତି ଯାହାକି ପିଲାମାନଙ୍କୁ ପ୍ରଥମ ଶ୍ରେଣୀରେ ପ୍ରବେଶ କରାଇବାରେ ସାହାଯ୍ୟ କରିବ ।
୨୦୪୭ ସୁଦ୍ଧା ଭାରତ ବିକଶିତ ହେବାର ରାସ୍ତାରେ ଅଛି ବୋଲି କହିବା ସହ ପ୍ରଫେସର ଶ୍ରୀବାସ୍ତବ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାରତୀୟ ଭାବେ ନିଜକୁ ଗର୍ବିତ ହେବାର ମନୋବୃତି ସୃଷ୍ଟି କରାଇବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଉପକୁଳପତି ତଥା ରେଜିଷ୍ଟ୍ରାର୍ ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଓ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ । ଆଇଟିଇଆର୍ର ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ୍ସ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post