ନୟାଗଡ଼(ଲକ୍ଷ୍ମୀଧର ସାହୁ):ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଆଜି ସଚିବାଳୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କୁ ସାକ୍ଷାତ କରି ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ପ୍ରଦାନ ପାଇଁ ଆବଶ୍ୟକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୪ତାରିଖରେ ବିଧାୟକ ଡ ସାହୁ ଚିଠି ନଂ-୧୦୬/ଏମଏଲଏଏନ ରେ ଛେନାପୋଡ଼କୁ ଭୌଗଳିକ ମାନ୍ୟତା ପାଇଁ ଚିଠି ଲେଖିଥିଲେ।ଏହା ପରେ ନୟାଗଡ଼ ଜିଲାପାଳ ଗତ ୨୦ ତାରିଖରେ ଚିଠି ନଂ-୬୩୭/୨୦.୦୩.୨୦୨୩ ମାଧ୍ୟମରେ ନିବନ୍ଧକ, ଭୌଗଳିକ ସଂକେତ ରେଜିଷ୍ଟ୍ରି ଅଫିସ,ଚେନ୍ନାଇଙ୍କୁ ଆବଶ୍ୟକ ଦସ୍ତାବିଜ ସହିତ ଛେନାପୋଡ଼ର ଜିଆଇ ଟ୍ୟାଗ ନିମନ୍ତେ ଆବେଦନ କରିଥିଲେ। ତେବେ ନୟାଗଡ଼ ଜିଲ୍ଲା ତଥା ରାଜ୍ୟର ଗର୍ଵ ଓ ଗୌରବ ବୃଦ୍ଧି ତଥା ସ୍ୱାଦିଷ୍ଟ ଛେନାପୋଡ଼ର ଜିଆଇ ଟ୍ୟାଗ ଭୌଗଳିକ ପରିଚୟ ମିଳି ପାରିବ ବୋଲି ବିଧାୟକ ଡ଼ ସାହୁ ତାଙ୍କ ଦାବିପତ୍ରରେ ଉଲେଖ କରିଛନ୍ତି।
ସ୍ବାଦିଷ୍ଟ ଛେନାପୋଡ଼-ପରିଚୟ ଦେଇଛି ନୟାଗଡ଼ । ଛେନାପୋଡ଼ ଏହି ଶବ୍ଦଟି ଶୁଣିଲେ ପ୍ରଥମେ ମନକୁ ଆସେ ନୟାଗଡ଼ କଥା । ଯେଉଁ ଛେନାପୋଡ଼ ଆମର ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଭୋଗ ଲଗାଯାଏ, ତାହା ଅବା କେମିତି ସ୍ଵାଦିଷ୍ଟ ନ ହୋଇଥିବ । ଏପରିକି ବିଭିନ୍ନ ପର୍ବପର୍ବାଣିଠୁ ଆରମ୍ଭ କରି ଅତିଥିଙ୍କ ପ୍ରଥମ ପସନ୍ଦ ଥାଏ ଛେନାପୋଡ଼ । ଏହି ଛେନାପୋଡ଼ର ପ୍ରଥମେ ନୟାଗଡ଼ ଜିଲ୍ଲାରୁ ହିଁ ଆରମ୍ଭହୋଇଥିଲା । ନୟାଗଡ଼ ଛେନାପୋଡ଼ ସାରା ବିଶ୍ବରେ ପ୍ରସିଦ୍ଧ । ଛେନାପୋଡ଼କୁ ଜିଆଇ ଟ୍ୟାଗର ମାନ୍ୟତା ଦେବା ପାଇଁ ନୟାଗଡ଼ ଜିଲ୍ଲାବାସୀ ବହୁ ଦିନରୁ ଦାବି କରିଆସୁଛନ୍ତି । ଜିଲ୍ଲା ପ୍ରଶାସନ ଜିଆଇ ଟ୍ୟାଗ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଛନ୍ତି । ଏହି କିମିଟି ଜିଆଇ ଟ୍ୟାଗ ମାନ୍ୟତା ମିଳିବାରେ ଉଦ୍ୟମ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଜିଆଇ ଟ୍ୟାଗ ନେଇ ତତ୍କାଳୀନ MSME ମନ୍ତ୍ରୀ ୨୦୧୯ ମସିହାରେ ଓଡିଶା ବିଧାନସଭାର ପବିତ୍ର ଗୃହରେ ନୟାଗଡ ଛେନାପୋଡକୁ ଜିଆଇ ଟ୍ୟାଗ`ପାଇଁ ସରକାରଙ୍କ ତରଫରୁ ସମସ୍ତ ଚେଷ୍ଟା କରାଯିବ ବୋଲି ବିବୃତି ରଖିଥିଲେ । ସେଥିପାଇଁ ଅଧିକ ତତ୍ପରତା ପ୍ରକାଶ କରିବା ଉଚିତ୍ । ଜିଆଇ ଟ୍ୟାଗ ମିଳିବା ଦ୍ଵାରା ଉତ୍ପାଦିତ ଦ୍ରବ୍ୟର ଉତ୍ପତିସ୍ଥଳ ସଠିକ ରୂପେ ନିରୂପଣ କରାଯାଇପାରେ । ଦ୍ରବ୍ୟର ସଠିକ ମାନ ନିର୍ଦ୍ଧାରଣ ସହିତ ସ୍ଥାନୀୟ ଅଂଚଳର ଅଭିବୃଦ୍ଧି ଘଟିଥାଏ । ଯାହାକି ସଂସ୍ଥା ସହିତ ଜଡିତ ଲୋକମାନେ ଲାଭବାନ ହୋଇ ପାରିଥାଆନ୍ତି । ଜିଆଇ ଟ୍ୟାଗ୍ ଫଳରେ ବେଶରେ ହେଉ ବା ଆନ୍ତର୍ଜାତିୟ ସ୍ତରରେ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରିପାଇଁ ପ୍ରକୃଷ୍ଣ କ୍ଷେତ୍ର ମିଳିଥାଏ ।
ଏହି. ଛେନାପୋଡ଼ ପ୍ରଥମେ ନୟାଗଡ ଜିଲ୍ଲା ଦଶପଲ୍ଲା ଅଂଚଳର ସୁଦର୍ଶନ ସାହୁ ପ୍ରସ୍ତୁତ କରିଥିଲେ । ସେ ନୟାଗଡ କଚେରି ନିକଟରେ ଏକ ଛୋଟିଆ ମିଠା ଦୋକାନଟିଏ କରିଥିଲେ । ଦିନେ ତାଙ୍କର କିଛି ଛେନା ବିକ୍ରି ନହୋଇ ବଳକା ରହିଯାଇଥିଲା । ଛେନା ନଷ୍ଟ ହୋଇଯିବ ଭାବି ସେଥିରେ କିଛି ସୁଜି ଓ ଚିନି ମିଶାଇ ଏକ ଭିନ୍ନ ଧରଣର ମିଠା ବନାଇବା ଲକ୍ଷ୍ୟରେ ତିଆରି କରିଥିଲେ ଛେନାପୋଡ଼ । ସେହି ଛେନାପୋଡକୁ ନୟାଗଡ ଅଂଚଳର କିଛି ଲୋକ ଖାଇବା ପରେ ସେମାନଙ୍କୁ ଭାରି ସ୍ବାଦିଷ୍ଟ ଲାଗିଥିଲା । ତା’ପରେ ସୁଦର୍ଶନ ଭିନ୍ନ ଧରଣର ମିଠାକୁ ସବୁଦିନ ତିଆରି କରିବା ଆରମ୍ଭ କରିଦେଇଥିଲେ । ଏହି ଛେନା ପୋଡ ନୟାଗଡ ଅଂଚଳରେ ପ୍ରସିଦ୍ଧ ଲାଭ କରିବା ସଂଙ୍ଗେ ସଂଙ୍ଗେ ସାରା ରାଜ୍ୟରେ ମିଠା କ୍ଷେତ୍ରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଦୈନିକ ଜିଲ୍ଲାରୁ ଶହ ଶହ କୁଇଂଟାଲ ଛେନାପୋଡ଼ ସାରା ରାଜ୍ୟକୁ ପଠାଯାଇଛି । ହଜାର ହଜାର ପରିବାର ଏହି ବ୍ୟବସାୟ ମାଧ୍ୟମରେ ପରିବାର ଭରଣ ପୋଷଣ କରିପାରୁଛନ୍ତି । ଏପରିକି ଜିଲ୍ଲାର ଗୋପାଳନ ଚାଷୀମାନେ ପରୋକ୍ଷରେ ଲାଭାନ୍ବିତ ହୋଇପାରୁଛନ୍ତି । ଏବେ ସାରା ବେଶ ସହିତ ଆନ୍ତର୍ଜାତିୟ ସ୍ତରରେ ଏ ଛେନା ପୋଡକୁ ଲୋକେ ପସନ୍ଦ କରୁଛନ୍ତି । ଯାହାକି ଭିନ୍ନ ଭିନ୍ନ ସମୟରେ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଛେନାପୋଡ଼କୁ ସ୍ମରଣୀୟ କରିବା ପାଇଁ ଛେନାପୋଡ ନିର୍ମାତା ସୁଦର୍ଶନ ସାହୁଙ୍କ ଜୟନ୍ତୀ ଅବସରରେ ୨୦୨୨ ମସିହା ଏପ୍ରିଲ ୧୧ ତାରିଖରେ ସାରା ରାଜ୍ୟରେ ପ୍ରଥମ କରି “ବିଶ୍ୱ ଛେନାପୋଡ ଦିବସ” ଭାବରେ ପାଳନ କରାଯାଇଥିଲା । ଏହା ସହ ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ “ବିଶ୍ବ ଛେନାପୋଡ଼ ବିବସ” ଭାବେ ପାଳନ କରିବା ପାଇଁ ନିଷ୍ପତି କରାଯାଇଛି । ଏହି ଛେନାପୋଡକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଲେ ନୟାଗଡ଼ ଜିଲ୍ଲା ତଥା ରାଜ୍ୟର ଗୌରବ ବୃଦ୍ଧି ହେବା ସହିତ ସ୍ଵାଦିଷ୍ଟ ଛେନାପୋଡ଼ର ଭୌଗଳିକ ପରିଚୟ ମିଳିପାରିବ ବୋଲି ବିଧାୟକ ଡ଼ ସାହୁ ତାଙ୍କ ଦାବିପତ୍ରରେ ଉଲେଖ କରିଛନ୍ତି।