“ପ୍ରଚ୍ଛଦ ପଟର ଘଟଣାବଳୀରୁ ଜଳଜଳ ପ୍ରମାଣିତ ହୋଇଯାଉଛି ଅସଲ ଉଦ୍ଦେଶ୍ୟ ”: କଂଗ୍ରେସ
ମୁଁ ମୋର ଦେଶବାସୀଙ୍କ ପାଇଁ ସବୁସ୍ତରରେ ସ୍ୱର ଉଠାଇବି । ଏଥିପାଇଁ ମୁଁ ସବୁକିଛି ସହ୍ୟ ଓ ତ୍ୟାଗ କରିବାପାଇଁ ପ୍ରସ୍ତୁତ ଅଛି : ରାହୁଲ
ନୂଆଦିଲ୍ଲୀ :” ରାହୁଲ ଗାନ୍ଧୀଙ୍କର ସାସଂଦ ପଦ ରଦ୍ଦ ନାଟକ କେବଳ ରଚାଯାଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁରକ୍ଷା ଦେବାପାଇଁ | ଏକ ସରଳ ପ୍ରଶ୍ନ ଯାହାକି ଶ୍ରୀ ରାହୁଲ ଗାନ୍ଧୀ ସଂସଦରେ ପଚାରିଥିଲେ ଯେ ବିଦେଶରେ ଥିବା ଆଦାନୀ ସେଲ କମ୍ପାନୀ ମାନଙ୍କ ପାଖକୁ ଯେଉଁ ୨୦ ହଜାର କୋଟି ଟଙ୍କା ଯାଇଛି ଏ ଟଙ୍କା କାହାର । ଏ ମାମଲାର ଘଟଣା କ୍ରମକୁ ଲକ୍ଷ କଲେ ସ୍ପଷ୍ଟ ଅନୁମେୟ ଯେ ରାହୁଲ ଗାନ୍ଧୀ କେବଳ ଏକ ଲକ୍ଷ୍ୟ, ପ୍ରକୃତ ଉଦ୍ଦେଶ୍ୟ ହେଉଛି ଆଦାନୀଙ୍କୁ ବଞ୍ଚାଇବା” ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି |

କଂଗ୍ରେସ ପକ୍ଷରୁ କୁହାଯାଇଛିଯେ “ସଂସଦରେ ରାହୁଲ ଗାନ୍ଧୀଙ୍କ ଆଦାନୀ ଭାଷଣର ଠିକ୍ ୯ ଦିନ ପରେ ବିଜେପି ବିଧାୟକ ଏହି ମାମଲାକୁ ପୁନର୍ଜୀବିତ କରିଥିଲେ। ସଂସଦରେ ତାଙ୍କର ଏବଂ ଖାର୍ଗେଙ୍କ ଭାଷଣ ବହିଷ୍କାର କରାଯାଇଥିଲା ଏବଂ ଆଦାନୀଙ୍କ ଉପରେ ଅଧିକ ଆଲୋଚନା ନହେବା କିମ୍ବା ଜେପିସି ଦାବି ଉପରେ ଆଲୋଚନା ନହେବା ପାଇଁ ବିଜେପି ମନଇଚ୍ଛା ସଂସଦକୁ ବାଧା ଦେଇଥିଲା। ରାହୁଲ ଗାନ୍ଧୀଙ୍କୁ ବିଜେପି ମନ୍ତ୍ରୀମାନେ ଆକ୍ରମଣ କରିଥିଲେ ଏବଂ ବାଚସ୍ପତିଙ୍କୁ ତିନୋଟି ଲିଖିତ ଅନୁରୋଧ ସତ୍ତ୍ବେ ସଂସଦରେ କହିବାର ସୁଯୋଗକୁ ବାରଣ କରିଥିଲେ। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ମୋଦୀ ତାଙ୍କ ଆଦାନୀଙ୍କ ସହ ସମ୍ପର୍କ କୁ ଅଧିକ ପ୍ରକାଶ କରିବାକୁ ଚାହୁଁନାହାଁନ୍ତି।”
କଂଗ୍ରେସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି “ମାର୍ଚ୍ଚ ୨୨ ରେ, ଫାଇନାନସିଆଲ୍ ଟାଇମ୍ସ ରିପୋର୍ଟ କରିଛି ଯେ “ନିକଟ ଅତୀତରେ ଆଦାନୀଙ୍କ ସାମ୍ରାଜ୍ୟର ଅଧାରୁ ଅଧିକ ବିଦେଶି ପୁଂଜି ନିବେଶ ତାଙ୍କ ପରିବାର ସହ ଜଡିତ ଅଫଶୋର ସଂସ୍ଥାଗୁଡ଼ିକରୁ ଆସିଥିଲା”। ଏହାର ପରିମାଣ ପ୍ରାୟ ୨.୮ ବିଲିୟନ ଡ଼ଲାର୍ ବା ପ୍ରାୟ ୨୩,୦୦୦ କୋଟି ଟଙ୍କା । ଏହା କାହାର ଟଙ୍କା ଥିଲା? ଏହା ଆଦାନୀଙ୍କ ହୋଇପାରିବ ନାହିଁ ବୋଲି ସେ ସଂସଦରେ କହିଥିଲେ ।

କଂଗ୍ରେସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, “ଯେଉଁମାନେ ପ୍ରଶ୍ନ କରନ୍ତି ସେମାନଙ୍କୁ ନୀରବ କରିବା ପାଇଁ ଏହା ବିଜେପିର ଦୀର୍ଘକାଳୀନ ଯୋଜନାର ଏକ ଅଂଶ । ସେମାନେ ବିରୋଧୀ ଦଳର ନେତା,ସାମାଜିକ କାର୍ୟ୍ୟକର୍ତ୍ତା ଓ ସାମ୍ବାଦିକ ମାନଙ୍କୁ, ଇଡି, ସିବିଆଇ,ମିଥ୍ୟା ଟଇଚଇ ମାମଲା, ବ୍ୟବହାର କରି ଟାର୍ଗେଟ କରୁଛନ୍ତି। ବିଜେପିର ବାର୍ତ୍ତା ହେଉଛି – ଯଦି ତୁମେ ଆମର ଭୁଲ୍ ଉପରେ ପ୍ରଶ୍ନ କର, ଆମେ ତୁମକୁ ଟାର୍ଗେଟ୍ କରିବୁ ଏଥି ସହିତ, ଯଦି ଆପଣ ବିଜେପିର ୱାଶିଂ ମେସିନରେ ଯୋଗ ଦିଅନ୍ତି ତେବେ ସମସ୍ତ ମାମଲା ଅଦୃଶ୍ୟ ହୋଇଯାଏ । ସେମାନଙ୍କର କାର୍ୟ୍ୟକଳାପର ନିତି ହେଲା ଯେ କୌଣସି ଭାବରେ ଜନ ସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବା ଓ ସତ୍ୟରୁ ଧ୍ୟାନ ହଟାଇବା । ପ୍ରଶ୍ନ କର୍ଣ୍ଣାଟକର ସେିଦିନର ଭାଷଣରେ ଏହାଥିଲା କି ଯେ କାଁହିକି କିଛି ଚୋର ଙ୍କର ନାମ ହେଲା ମୋଦି, ଏହା ନୁହେଁ କି ସବୁ ମୋଦି ଚୋର । କୌଣସି ନିର୍ଦ୍ଧିଷ୍ଟ ବର୍ଗ କୁ ଆମେ ଆକ୍ଷେପ କରୁନାହୁଁ ବା କରିନାହୁଁ । ସମ୍ପ୍ରଦାୟକୁ ଅପମାନିତ କରାଯାଇଛି ବୋଲି ଅଭିଯୋଗ କରିବା ଏକ ବିଭ୍ରାନ୍ତିକର ଯୋଜନା ଯାହକୁ ବିଜେପି ସର୍ବପ୍ରଥମେ, ପ୍ରଚାର କରୁଛି । ଏହି ବିବୃତ୍ତିରେ ପଚରାଯାଇଥିଲା ଯେ କାହିଁକି କେତେକ ଚୋରଙ୍କର ସମାନ ସାଇଙ୍ଗା (ନିରବ ମୋଦୀ, ଲଲିତ ମୋଦୀ ଏବଂ ନରେନ୍ଦ୍ର ମୋଦୀ) କିନ୍ତୁ ଯେ କେହି ମୋଦି ନାମଧାରୀ ଚୋର ବୋଲି କୁହାଯାଇ ନାହିଁ । ଦ୍ୱିତୀୟତ, ନିରବ ମୋଦୀ କିମ୍ବା ଲଲିତ ମୋଦୀ ଓବିସି ନୁହଁନ୍ତି । ସେମାନଙ୍କର ଜାତି ଯାହା ହେଉ, ସେମାନେ ଠକାମି କରିନାହାଁନ୍ତି କି? ବିଜେପି କାହିଁକି ଠକମାନଙ୍କୁ ସୁରକ୍ଷା ଦେଉଛି?” ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି |
କଂଗ୍ରେସ ପକ୍ଷରୁ କୁହାଯାଇଛି ” ଯେବେଠୁ ରାହୁଲ ଗାନ୍ଧୀ ରାଜନୀତିରେ ଅଛନ୍ତି, ସେ ୨୦୧୩ ଜମି ଅଧିଗ୍ରହଣ ଆଇନ ଆଣିବାରେ ସାହାଯ୍ୟ କରି କୃଷକଙ୍କ ସ୍ୱର ଉତ୍ତୋଳନ କରିଛନ୍ତି । ଏହାଦ୍ୱାରା ଚାଷୀଙ୍କୁ ସୁୂରକ୍ଷା ଦିଆଯାଇଥିଲା । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ସମାନ ଜମି ଅଧିଗ୍ରହଣ ଆଇନରେ ସଂଶୋଧନ କରିବାକୁ ଚେଷ୍ଟା କଲେ, ସେତେବେଳେ ରାହୁଲ ଗାନ୍ଧୀ ଚାଷୀଙ୍କ ପାଇଁ ଛିଡ଼ା ହୋଇଥିଲେ ଏବଂ ତାଙ୍କୁ ଏପରି କରିବାକୁ ଅଟକାଇଲେ । ଏହି ଦେଶର କୃଷକ କିଏ? ଅଧିକାଂଶ କୃଷକ ହେଉଛନ୍ତି ଓବିସି, ଦଲିତ– ରାହୁଲ ଗାନ୍ଧୀ ତାଙ୍କ ପାଇଁ ଲଢ଼ିଥିଲେ । ମୋଦୀ ଚାଷୀଙ୍କ ବିରୋଧରେ ତିନୋଟି କଳା ଆଇନ ଆଣିଥିଲେ – ରାହୁଲ ଗାନ୍ଧୀ ଚାଷୀଙ୍କ ସହ ରାସ୍ତାରେ ଏବଂ ସଂସଦରେ ଠିଆ ହୋଇଥିଲେ। ରାହୁଲ ଗାନ୍ଧୀ ନିୟମଗିରିରେ ଆଦିବାସୀମାନଙ୍କର ଜଲ, ଜଙ୍ଗଲ ଏବଂ ଜମି ପାଇଁ ଠିଆ ହୋଇଥିଲେ। ଓଡିଶାର ତଥା ଦେଶର ପ୍ରତ୍ୟେକ ଆଦିବାସୀ ଜାଣନ୍ତି ଯେ ରାହୁଲ ଜୀ ଜଳ, ଜଙ୍ଗଲ ଏବଂ ଜମି ଅଧିକାରକୁ ସୁରକ୍ଷା ଦେଇଛନ୍ତି। ତେଣୁ ଜାତିଭିତ୍ତିକ ସମସ୍ତ ଅଭିଯୋଗ ସଂପୂର୍ଣ୍ଣ ମନଗଢ଼ା ମିଛ ନାଟକ ଏବଂ ନିରାଧାର । “
ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଭୟଭୀତ ହେବେ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛିଯେ ” ଭାରତ ଯୋଡ ଯାତ୍ରା ସମୟରେ ଆମେ ସିଧାସଳଖ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ର ସମସ୍ୟାକୁ ଶୁଣିଲୁ – ମୁଦ୍ରାସ୍ଫୀତି, ବେକାରୀ, ସାମାଜିକ ଧୃବିକରଣ ଏବଂ ଆଦାନୀ ଏବଂ ଅନ୍ୟ କେତେକ ପୁଞ୍ଜିପତିଙ୍କ ପାଇଁ ଲାଭଦାୟକ ଅନୁଷ୍ଠାନଗୁଡ଼ିକର କବଜା। ଆମେ ଲୋକମାନଙ୍କର ଏହି ସମସ୍ୟାଗୁଡିକୁ ଲଗାତର ଭାବରେ ଉଠାଇବା ଜାରି ରଖିବୁ । ଏବଂ ଆମର ବାର୍ତ୍ତା ସିଧାସଳଖ ଲୋକଙ୍କ ନିକଟକୁ ପଠାଇବା ଜାରି ରଖିବୁ । ଅପରାଧିକ ମାନହାନୀ ପାଇଁ ସର୍ବାଧିକ ଦୁଇ ବର୍ଷର ଦଣ୍ଡ ଶୁଣାଯାଇଥିବାର କୌଣସି ନଜୀର ନାହିଁ । ଯେଉଁଠାରେ ଏହା ଦିଆଯାଇଥିଲା, ବିଶେଷ କରି ଜଣେ ନିର୍ବାଚିତ ପ୍ରତିନିଧୀଙ୍କ ପାଇଁ ତାଙ୍କ ନାମରେ କେଉଁଠି ମାମଲା ଦାୟର କରାଯାଇଛି ତାହା ଖୋଜିପାଇବା କଷ୍ଟସାଧ୍ୟ ବ୍ୟାପାର । ଅନ୍ୟପକ୍ଷରେ, ବିଜେପି ନେତାଙ୍କ ବିରୋଧରେ ମାମଲା ଅତ୍ୟଧିକ ନମନୀୟତା ସହ ଚାଲିଛି। ଉତ୍ତରପ୍ରଦେଶର ବାନ୍ଦାର ବିଜେପି ସାଂସଦ ଆର.କେ ସିଂ ପଟେଲ ନଭେମ୍ବରରେ ଟ୍ରେନ୍ ଅଟକାଇବା, ସାଧାରଣ ରାସ୍ତା ଅବରୋଧ କରିବା ଏବଂ ପୋଲିସ୍ କର୍ମଚାରୀଙ୍କ ଉପରକୁ ପଥର ଫିଙ୍ଗିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ମାତ୍ର ୧ ବର୍ଷ ଜେଲ ଦଣ୍ଡ ପାଇଥିଲେ। ୨୦୧୭ ମସିହାରେ ରେ, ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଘୃଣା ଭାଷଣ ସମେତ ନିଜ ବିରୋଧରେ ଅନେକ ଅପରାଧିକ ମାମଲା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ!
ବ୍ରିଟିଶମାନେ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦଙ୍କୁ ଦେଶଦ୍ରୋହ କିମ୍ବା ଜେଲ ଦଣ୍ଡ ଦେଉଥିଲେ। ଶେଷରେ ବ୍ରିଟିଶ ବିପକ୍ଷରେ କଂଗ୍ରେସ ଜିତିଲା। ବର୍ତ୍ତମାନର ଚୋର ଏବଂ ଘୋଟାଲାକାରୀଙ୍କୁ ଖୁଲାସା ନକରିବା ପାଇଁ ମୋଦି ସରକାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରୁଛନ୍ତି। କଂଗ୍ରେସ ପୁଣି ଜିତିବ। ଅନ୍ୟାୟ ଅସତ୍ୟ ଓ ଅସତ୍ୟ ଉପରେ ସତ୍ୟର ବିଜୟ ହେବ ।
କୌରବଙ୍କର ମଧ୍ୟ ବହୁତ ଶକ୍ତି, ଅର୍ଥ, ସୌନ୍ୟ ସାମନ୍ତ ଥିଲେ କିନ୍ତୁ ତାଙ୍କ ପାଖରେ ଧର୍ମ ଓ ସତ୍ୟତା ନଥିଲା । ଆଜି ତୁମର ଅହଂକାର ଏବଂ ଅନ୍ୟାୟ ତୁମମାନଙ୍କ ଆଖିକୁ ବନ୍ଦ କରିଦେଇଛି । ଆଜି ଦେଶର ଲୋକମାନେ ଏହା ଦେଖୁଛନ୍ତି। ଦେଶର ସମ୍ପୂର୍ଣ୍ଣ ବିରୋଧୀ ଏହା ଉପରେ ନଜର ରଖିଛନ୍ତି। ଆଜି ଦେଶର ସମଗ୍ର ବିରୋଧୀ ମୋଦୀଙ୍କ ଏକଛତ୍ରବାଦୀ ଶାସନକୁ ବିରୋଧ କରୁଛନ୍ତି। ବିରୋଧୀ ଦଳର ପ୍ରତ୍ୟେକ ଦଳ ପାଇଁ ମୋର ଅନୁରୋଧ ଯେ ବିଜେପି ଏବଂ ମୋଦୀ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ଯଦି ଗଣତନ୍ତ୍ର ବଂଚିବ ତେବେ କେବଳ ଦେଶ ବଞ୍ଚିବ। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମକୁ ଆଗକୁ ଆସିବାକୁ ହେବ । ଭାରତରେ ଦୁର୍ନୀତି ଏବଂ ଲୁଟ୍ ବନ୍ଦ କରିବାକୁ ଏକାଠି ହେବାକୁ ପଡିବ।”
କଂଗ୍ରେସ ପକ୍ଷରୁ କୁହାଯାଇଛିଯେ ” ଯେଉଁ ବ୍ୟକ୍ତିଙ୍କ ବିରୁଦ୍ଧରେ ମନ୍ତବ୍ୟ ଦିଆଯାଇଥିଲା, ସେହି ବ୍ୟକ୍ତିଙ୍କ ଦ୍ୱାରା ଅପରାଧିକ ମାନହାନି ମକଦ୍ଦମା ଦାୟର କରାଯିବା ଉଚିତ, ଯିଏ ବ୍ୟକ୍ତିଗତ ଭାବରେ କିପରି ଆହତ ହୋଇଛି ତାହା ମଧ୍ୟ ପ୍ରମାଣ କରିବା ଉଚିତ୍। ଏହି ମାମଲାରେ ନାମିତ ବ୍ୟକ୍ତିମାନେ ମାମଲା ଦାୟର କରିନଥିଲେ ଏବଂ ମାମଲା ଦାଖଲ କରିଥିବା ବ୍ୟକ୍ତିଙ୍କ ନାମ ନିଆଯାଇନଥିଲା । ଏକ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଆଧାରରେ ଅପରାଧିକ ମାନହାନୀ ଅଭିଯୋଗ ସଫଳ ହୋଇପାରିବ ନାହିଁ – ଟିପ୍ପଣୀ ଏକ ନିର୍ଦ୍ଦିଷ୍ଟ, ଚିହ୍ନଟ ଯୋଗ୍ୟ ଗୋଷ୍ଠୀକୁ ସୂଚିତ କରିବା ଆବଶ୍ୟକ ୨୦୧୦ ମସିହାରେ ଖୁସବୋଙ୍କ ମାମଲାରେ ସୁପ୍ରିମକୋର୍ଟ ଯେପରି ବ୍ୟାଖ୍ୟା କରିଥିଲେ, ଏହା ନିଶ୍ଚିତ ଭାବରେ “ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଗୋଷ୍ଠୀ ବା ବ୍ୟକ୍ତି ଯାହାକଙ୍କର ମାନହାନି ଘଟିଛି” କିନ୍ତୁ ଏହି ଦାୟର ହୋଇଥିବା ଅଭିଯୋଗ ଏଭଳି କିଛି ସତ୍ୟତା ନଥିଲା । କର୍ଣ୍ଣାଟକର କୋଲାରରେ ନିର୍ବାଚନୀ ଭାଷଣ ପ୍ରସଙ୍ଗ ସୁରଟର ଟ୍ରାଏଲ କୋର୍ଟରେ ଦାଖଲ ହେବା ଧାରା ୨୦୨ ସିଆରପିସିର ନିୟମର ଉଲ୍ଲଙ୍ଘନ କରାଯାଇଛି । ଏହି ନିୟମରେ ସ୍ପଷ୍ଟଭାବରେ ଉଲ୍ଲେଖ ଅଛି ଏକ ବିଚାରବିଭାଗୀୟ ମାଜିଷ୍ଟେଟଙ୍କ ଦ୍ୱାରା ପ୍ରାଥମିକ ତଦନ୍ତ ହେବା ଦରକାର ଯେ ସେ ଅଭିଯୋଗକୁ ତାଙ୍କର ଶୁଣାଣୀ କରିବାର ଜୁରିଡିକ୍ସନ ଅଛିକି ନାହିଁ । କିନ୍ତୁ ଏହି ଘଟଣାରେ ଆଇନର ଥିବା ନିଦେ୍ର୍ଧଶାବଳୀ ଅନୁସାରେ କୌଣସି ଇନକ୍ୱାରୀ କରାଯାଇନଥିଲା ।
ମାନହାନୀ ପାଇଁ କୁତ୍ସିତ ଓ ମନ୍ଦ ଉଦ୍ଦେଶ୍ୟ ଏକ ପ୍ର୍ରାଥମିକ କାରଣ ହେବା କଥା । ଏହି ଭାଷଣ କର୍ଣ୍ଣାଟକର କୋଲାରରେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ଦରଦାମ ବୃଦ୍ଧି, ବେରୋଜଗାରୀ ଏବଂ ଭାରତବର୍ଷର ବ୍ୟାଙ୍କ ମାନଙ୍କର ଲୁଟ କରି ପଳାଇଯାଇଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଥିଲା । ମୂଳ ଉଦ୍ଦେଶ୍ୟ ଥିଲା ଜନଜାଗରଣ ପାଇଁ, ଦୁର୍ନୀତି ବିରୋଧରେ ସ୍ୱର ଉତୋଳନ କରିବା ଏବଂ ଲୋକଙ୍କର ମଙ୍ଗଳ ଚିନ୍ତା କରିବା । “
ରାହୁଲ ଗାନ୍ଧୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ “ମୁଁ ମୋର ଦେଶବାସୀଙ୍କ ପାଇଁ ସବୁସ୍ତରରେ ସ୍ୱର ଉଠାଇବି । ଏଥିପାଇଁ ମୁଁ ସବୁକିଛି ସହ୍ୟ ଓ ତ୍ୟାଗ କରିବାପାଇଁ ପ୍ରସ୍ତୁତ ଅଛି । ମୁଁ ମୋଦିଜୀ ଏବଂ ଆଦାନୀଜୀଙ୍କ ମଧ୍ୟରେ ଥିବା ସଂପର୍କର ପ୍ରଶ୍ନକୁ ବାରମ୍ବାର ପଚାରିବି । ସଂସଦରେ ମୋର ଆଦାନୀ ସଂପର୍କିତ ଦ୍ୱିତୀୟ ଅଭିଭାଷଣକୁ ପ୍ରଧାନମନ୍ତ୍ରୀ ସଂପୂର୍ଣ୍ଣରୂପେ ଭୟ ପାଇଯାଇଛନ୍ତି । ଏବଂ ଏହା ମଧ୍ୟ ମୁଁ ତାଙ୍କ ଭାବଭଙ୍ଗି ଓ ଆଖିରୁ ବୁଝିପାରୁଛି । ସେଥିପାଇଁ ସେ ମୂଳ ପ୍ରଶ୍ନରୁ ନଜର ହଟାଇବା ପାଇଁ ସଂସଦରେ ମିଛ ନାଟକ ରଚିଥିଲେ । ଏବଂ ଠିକ ତା ପରେ ପରେ ସଂସଦରେ ମୋର ସଭ୍ୟପଦ ରଦ୍ଧ କରିଦିଆଗଲା । “
କଂଗ୍ରେସ ସଭାପତି ମଲ୍ଲିକାଜ୍ଜୁନ ଖଡ଼ଗେ କହିଛନ୍ତି ଯେ, “ମୋଦି ସରକାର ରାହୁଲ ଗାନ୍ଧୀ ଓ କଂଗ୍ରେସ ପାର୍ଟିକୁ ନେଇ ଅତ୍ୟନ୍ତ ଭୟଭିତ । ଗଣତନ୍ତ୍ରକୁ କ୍ଷତବିକ୍ଷତ କରିବାପାଇଁ ସେମାନେ ରାହୁଲ ଗାନ୍ଧୀଙ୍କର ଲୋକସଭା ସଭ୍ୟପଦକୁ ରଦ୍ଧ କଲେ । ଯେଉଁମାନେ ସତ୍ୟ କହୁଛନ୍ତି ସେମାନଙ୍କ ମୁହଁକୁ ବନ୍ଦ କରିଦିଆଉଛି । ଭାରତ ବର୍ଷର ଜନସାଧାରଣ ଏକ ଛତ୍ରବାଦ ଶାସନକୁ ଗ୍ରହଣ କରିବେ ନାହିଁ । ଗଣତନ୍ତ୍ରକୁ ବଂଚାଇରଖିବା ପାଇଁ ଆମେ ସମସ୍ତେ ଜେଲ ଯିବାକୁ ପ୍ରସ୍ତୁତ ଅଛୁ । ଏ ପ୍ରଶ୍ନ କୌଣସି ପଛୁଆବର୍ଗ ବା ଆଗଧାଡ଼ି ବର୍ଗରେ ନଥିଲା । ଏହାଥିଲା ଯେଉଁମାନେ ଭାରତବର୍ଷର ବ୍ୟାଙ୍କକୁ ଲୁଟ କରି ଦେଶଛାଡ଼ି ପଳାୟନ କଲେ । ଯଥା ନୀରବ ମୋଦି, ଲଳିତ ମୋଦି,ଏବଂ ବିଜୟ ମାଲ୍ୟା ଏମାନେ ସମସ୍ତେ କ’ଣ ପଛୁଆ ବର୍ଗର ଅର୍ନ୍ତଭୁକ୍ତ କି? ସେମାନେ ଭାବୁଛନ୍ତି ରାହୁଲ ଗାନ୍ଧୀଙ୍କ ସଂସଦରେ ବାହାର କରିଦେଲେ ଏ ସବୁ ସମ୍ୟାର ସମାଧାନ ହୋଇଯିବ । କିନ୍ତୁ ଏ ସମସ୍ୟାର ଶେଷ କେବେ ହେବ ନାହିଁ । “
ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ” ବିଜେପି ଦଳର ମୁଖପାତ୍ର, ସାଂସଦ, ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ସବୁବେଳେ ମୋର ପରିବାର, ମୋର ସ୍ୱର୍ଗତ ପିତା, ମୋର ଜୀବିତ ମାତା, ଇନ୍ଦିରାଜୀ, ପଣ୍ଡିତ ନେହେରୁ ଜୀ ଏ ସମସ୍ତଙ୍କୁ ଅସ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି ଏବଂ କରିଚାଲିଛନ୍ତି । ଏ ସମସ୍ତ ଘଟଣା ଏ ସାରା ଦେଶ ଜାଣିଛି । କିନ୍ତୁ ଏହା ସ୍ୱତେ ଏମାନଙ୍କ ମଧ୍ୟରୁ କାହାକୁ ଦୁଇବର୍ଷ ଜେଲ ଦଣ୍ଡ ହୋଇଛି କି । ମୋ ଭାଇ କ’ଣ କରିଛନ୍ତି ସଂସଦରେ ସେ ଆଦାନୀ ସଂପର୍କିତ ଘଟଣାକୁ ଉଠାଇଛନ୍ତି । ଏଥିପାଇଁ ଏତେ ଭୟ କାହଁକି?
ନରେନ୍ଦ୍ର ମୋଦିଜୀ ଆପଣଙ୍କ ଦଳର ନେତା, ମନ୍ତ୍ରୀ, ସାଂସଦ, ମୁଖପାତ୍ର, ବିଧାୟକ ଯେଉଁ ପ୍ରଧାନମନ୍ତ୍ରୀ ଦେଶପାଇଁ ଜୀବନ ବଳିଦାନ ଦେଇଛନ୍ତି ତାଙ୍କ ପୁଅକୁ ଆପଣ ବିଶ୍ୱାସଘାତକ, ମିର୍ଜାଫର ଏବଂ ଦେଶଦ୍ରୋହୀ ବୋଲି କହିଛନ୍ତି । ଆପଣଙ୍କ ଦଳର ଜଣେ ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀଙ୍କର ବାପା କିଏ ବୋଲି ପ୍ରଶ୍ନ ପଚାରିଛନ୍ତି ।”