ଭୁବନେଶ୍ୱର, ୧୭/୦୩ : କୃଷକମାନଙ୍କୁ ଜଳବାୟୁ ପରିବର୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ନୂତନ ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଥିବା ୬୦ ଟି ଷ୍ଟାର୍ଟଅପ୍ ଶନିବାର ଠାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ହେବାକୁ ଥିବା ଏକ ଦୁଇ ଦିନିଆ କନ୍କ୍ଲେଭ୍ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହି କନ୍କ୍ଲେଭଟି ସାମାଜିକ ଉଦ୍ୟୋଗ ଲାଇଭ୍ଲିହୁଡ୍ ଅଲ୍ଟରନେଟିଭ୍ସ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ମ୍ୟାନେଜମେଂଟ ଆନନ୍ଦ (ଇର୍ମା) -ଆଇସିଡ ଫାଉଣ୍ଡେସନ୍, ପେସ୍ ଫାଉଣ୍ଡେସନ୍ ଏବଂ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି ।
ଏକ ଖସଡ଼ା ମାଧ୍ୟମରେ ବିଚାରଧାରା, ଜ୍ଞାନକୌଶଳ ଏବଂ ବିଭିନ୍ନ ପ୍ରକ୍ରିୟା ସମ୍ବଳିତ ସାମାଜିକ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ରୁ ଉତ୍ପନ୍ନ ପଦ୍ଧତିଗୁଡ଼ିକୁ ସମ୍ମୁଖକୁ ଆଣିବା ଏହି କନ୍କ୍ଲେଭ୍ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଲାଇଭ୍ଲିହୁଡ୍ ଅଲ୍ଟରନେଟିଭ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମ୍ବିତ ତ୍ରିପାଠୀ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏହା ଦ୍ୱାରା ଓଡ଼ିଶାର କୃଷକ ଏବଂ ଗ୍ରାମାଂଚଳରେ କାର୍ଯ୍ୟରତ ବ୍ୟକ୍ତିମାନେ ବିଶ୍ୱର ନୂତନ ଚିନ୍ତାଧାରା, ଜ୍ଞାନକୌଶଳ ଏବଂ ଉଦ୍ଭାବନ ସମ୍ପର୍କରେ ଅବଗତ ହୋଇପାରିବେ । ଏହି କନ୍କ୍ଲେଭ୍ରେ ସମାନ୍ତରାଳ ଭାବେ ଦୁଇଟି ପ୍ଲାଟ୍ଫର୍ମରେ କାର୍ଯ୍ୟ କରିବ । ଗୋଟିଏ ପଟେ ଷ୍ଟାର୍ଟଅପ୍ଗୁଡ଼ିକ ଉପସ୍ଥିତ କୃଷକଙ୍କୁ ନିଜ ଚିନ୍ତାଧାରା ଓ ଜ୍ଞାନକୌଶଳ ସମ୍ପର୍କରେ ଅବଗତ କରାଇବେ ଏବଂ ଅନ୍ୟ ପଟେ ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀ ମଧ୍ୟ କରାଯିବ ।
ଏହି କନ୍କ୍ଲେଭ୍ ଦ୍ୱାରା ଷ୍ଟାର୍ଟଅପ୍ଗୁଡ଼ିକ ବଜାର ସହିତ ଯୋଡି ହୋଇପାରିବେ ଏବଂ ଓଡ଼ିଶାର କୃଷକମାନେ ନୂତନ ଜ୍ଞାନକୌଶଳ ଏବଂ ବ୍ୟବସାୟର ମଡେଲ୍କୁ ଆପଣାଇ ନିଜର ଆୟ ବଢ଼ାଇପାରିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଓଡ଼ିଶାର ୬୫ଟି ବ୍ଲକ୍ରୁ ପ୍ରାୟ ୩୦୦ କୃଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ଭାରତର ବିଭିନ୍ନ ଅଂଚଳରୁ ପ୍ରାୟ ୬୦ଟି ଷ୍ଟାର୍ଟଅପ୍ ଏଥିରେ ଯୋଗ ଦେଉଥିବା ବେଳେ କେବଳ ଓଡ଼ିଶାରୁ ୧୦ଟି ଷ୍ଟାର୍ଟଅପ୍ ଏହି କନ୍କ୍ଲେଭ୍ରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଷ୍ଟାର୍ଟଅପ୍ଗୁଡ଼ିକ ମଧ୍ୟରେ ଆଇ-ହବ୍ ଗୁଜୁରାଟ, ଇର୍ମା-ଆଇସିଡ୍ ଫାଉଣ୍ଡେସନ୍ସ, କିଟ୍-ଟିବିଆଇ, ସୋସିଆଲ୍ ଆଲ୍ଫା ଏବଂ ଇନ୍ଷ୍ଟିୁଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଏହି ଅବସରରେ ଏକ ହାକାଥନ୍ର ଆୟୋଜନ କରାଯିବ ଯେଉଁଥିରେ କି ବିଭିନ୍ନ ଷ୍ଟାର୍ଟଅପ୍ଗୁଡ଼ିକ ବିଭିନ୍ନ ମଡେଲକୁ ନେଇ ନିଜ ଭିତରେ ପ୍ରତିଯୋଗିତା କରିବେ ।
ଏହି ସାମ୍ବାଦିକ ସମ୍ମିଳନୀରେ ସୋଆର ଆଡିସ୍ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଓ ଆଇସିଡ୍ର ଚେୟାର ଡକ୍ଟର ରାକେଶ ଆରାୱାଟିଆ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.