ଭୁବନେଶ୍ୱର ତା-16.03.2023: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଓଡ଼ିଶୀ ସଂଗୀତ ଜଗତର ପ୍ରଖ୍ୟାତ ଏବଂ ପ୍ରବୀଣ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ଉତ୍କଳ ରଙ୍ଗ ମଂଚରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ପ୍ରଥମେ ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ ବରିଷ୍ଠ ଓଡିଶୀ ସଂଗୀତ ଗାୟିକା ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଯିଏ କି ତାଙ୍କର ବାଲ୍ୟ ଜୀବନରେ ସ୍ୱର୍ଗତ ଶ୍ୟାମସୁନ୍ଦର କରଙ୍କ ଠାରୁ ସଂଗୀତ ଶିକ୍ଷା ଗ୍ରହଣ କରିଥିଲେ । ପରେ ପରେ ଗୁରୁ କେଶବ ଚନ୍ଦ୍ର ରାଉତ ଏବଂ ଗୁରୁ ଅଚ୍ୟୁତ ମହାରଣା ଓଡ଼ିଶୀସଂଗୀତ ପରିବେଷଣ କରିଥିଲେ । ଶେଷରେ ଶ୍ରୀଜଗନ୍ନାଥ ମର୍ଦଳ ପ୍ରତିଷ୍ଠାନ ,ପୁରୀର ଛାତ୍ରୀମାନେ ସମୂହ ଓଡ଼ିଶୀ ମର୍ଦ୍ଦଳ ପରିବେଷଣ କରିଥିଲେ । ଉକ୍ତ ସଂଗୀତଭିତ୍ତିକ କାର୍ଯ୍ୟକ୍ରମଟି ଖୁବ୍ ଚିତ୍ତାକର୍ଷକ ଏବଂ ଦର୍ଶକଙ୍କ ମହଲରେ ଖୁବ୍ ଆଦୃତ ହୋଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ, ବରିଷ୍ଠ ଓଡ଼ିଶୀ ସଂଗୀତ ଗବେଷକ ଡକ୍ଟର କୀର୍ତ୍ତନ ନାରାୟଣ ପାଢୀ, ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ,ଓଡ଼ିଶୀ ଗବେଷଣା କେନ୍ଦ୍ର ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଓଡିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୂଜା ତାରିଣୀ ମିଶ୍ରଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଶ୍ରୀ ବିଶ୍ରଜିତ୍ ବଳିଆର ସିଂ ସଂଯୋଜନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.