ଭୁବନେଶ୍ୱର : କିଟ୍ର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର୧୬ରୁ ଦୀର୍ଘ ତିନିମାସ ଧରି ରୌପ୍ୟଜୟନ୍ତୀ ‘ସଏଲ୍ ଟୁ ସିଲଭର’ ପାଳନ ଅବସରରେ ଫେବୃଆରୀ ୧ ତାରିଖରୁ କିଟ୍ କାର୍ଣ୍ଣିଭାଲ୍ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ପରିପେକ୍ଷୀରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ଏକ ମେଗା ରକ୍ତଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଥିଲା। କିଟ୍ ଇନ୍ଡୋର ଷ୍ଟାଡିୟମରେ ଆୟୋଜିତ ଏହି ମେଗା ରକ୍ତଦାନ ଶିବିରକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କିମ୍ସ ଉପକୁଳପତି ପ୍ରଫେସର ଡା. ସିବିକେ ମହାନ୍ତି, କିମ୍ସ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡା ଅମ୍ବିକା ପ୍ରସାଦ ମହାନ୍ତି, କିଟ୍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଏବଂ କିମ୍ସ ମେଡିକାଲ୍ ଗ୍ରୁପ୍ ଡାଇରେକ୍ଟର ଦିଲିପ କୁମାର ପଣ୍ଡାଙ୍କ ସମେତ କିଟ୍ ଓ କିମ୍ସର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିରରେ ଏସ୍ସିବି ମେଡ଼ିକାଲ୍ କଲେଜ ହସ୍ପିଟାଲ ରକ୍ତ ଭଣ୍ଡାର, ଏମ୍କେସିଜି ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ରକ୍ତଭଣ୍ଡାର, କ୍ୟାପିଟାଲ୍ ହସ୍ପିଟାଲ୍, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ପୁରୀ ଏବଂ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଏବଂ କଟକସ୍ଥିତ ସେଣ୍ଟ୍ରାଲ ରେଡ଼୍କ୍ରସ ବ୍ଲଡ଼୍ ବ୍ୟାଙ୍କର ଟିମ୍ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ। ଏହି ରକ୍ତଦାନ ଶିବିର ବୁଧବାର ସକାଳୁ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା। ଏହି ରକ୍ତଦାନ ଶିବିରରେ କିଟ୍ ଅନୁଷ୍ଠାନ ସମୂହ ଓ କିସ୍ର ୪ହଜାର ୩0 ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ। ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ରକ୍ତଦାନ ହୋଇପାରିଛି। ସ୍ୱେଚ୍ଛାକୃତ ରକ୍ତଦାନକାରୀମାନେ ଯେପରି ଶୃଙ୍ଖଳିତର ସହ ରକ୍ତଦାନ କରିପାରିବେ ସେଥିପାଇଁ କିମ୍ସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ରୌପ୍ୟ ଜୟନ୍ତୀ ଅବସରରେ ଏହା ଏକ ମହତ କାର୍ଯ୍ୟ କରାଯାଇପାରିଛି ବୋଲି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post