ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟରେ କଣ୍ଢେଇ ଯାତ୍ରା ପର୍ବ ୨୧ ଦିନ ଧରି ପାଳିତ ହୋଇଯାଇଛି। ମାର୍ଗଶିର ମାସର ପ୍ରଥମ ଗୁରୁବାର ଦିନ ଏହି କଣ୍ଢେଇ ଯାତ୍ରା ଆରମ୍ଭ ହୁଏ। ରୀତିନୀତି ଅନୁସାରେ ପୁରୁଣା ପରମ୍ପରାକୁ ନେଇ ହୋଇ ଆସୁଛି କଣ୍ଢେଇ ଯାତ୍ରା।
ପୂର୍ବ ପୁରୁଷରୁ ଏହାକୁ ମହାସମାରୋହକୁ ଗ୍ରାମବାସୀ ପାଳନ କରି ଆସୁଛନ୍ତି। ଏହି ଯାତ୍ରା ପାଳନ କଲେ ଗାଁ ଲୋକଙ୍କୁ କୌଣସି ରୋଗ ବ୍ୟାଧି ହେବ ନାହିଁ , ବର୍ଷା ଭଲ ହେବ , ଭଲ ଫସଲ ଓ ଅମଳ ଭଲ ହେବ ବୋଲି ଲୋକେ ବିଶ୍ୱାସ କରନ୍ତି। ପ୍ରଥମ ଦିନରେ ବ୍ରହ୍ମା, ବିଷ୍ଣୁ , ମହେଶ୍ୱରକୁ ପୂଜା ଅର୍ଚ୍ଚନା ଓ ଆରାଧନା କରି ବାଉଁଶ କୁଞ୍ଜାରେ ମାଟି ଧରି ଗାଁକୁ ଅଣାଯାଇଥାଏ। ସେହି ମାଟିରେ ବିଭିନ୍ନ ପ୍ରକାର ଦେବା ଦେବୀଙ୍କ ମୂର୍ତ୍ତି କରିଥାନ୍ତି ଗାଁର ଯୁବକ ଓ ବୟୋଜ୍ୟଷ୍ଠମାନେ।
୨୧ ଦିନ ଧରି ନିଷ୍ଠାର ସହ ପାଳନ କରିଥାନ୍ତି ଗ୍ରାମବାସୀ। ତୃତୀୟ ଦିନରେ ଯୁଧିଷ୍ଠିର , ଭୀମ , ଅର୍ଜୁନ , ନକୁଳ , ସହଦେବକୁ ଆଣି ପୂଜା ଅର୍ଚ୍ଚନା କରାଯାଏ। ଏହା ପରେ ଠାକୁରଙ୍କୁ ଗାଁର ପ୍ରତ୍ୟେକ ସାହି ପରିକ୍ରମା କରି ଗାଁ ଦାଣ୍ଡର କଣ୍ଢେଇ କୁଡ଼ିଆ ଘରେ ରଖାଯାଏ। ୨୦ ଦିନରେ ଜଙ୍ଗଲକୁ ଯାଇ ପୂଜା ଅର୍ଚ୍ଚନା ଓ ଆରାଧନା କରି ଦାରୁବ୍ରହ୍ମ ବା ଶାଳଗଛକୁ ଅଣାଯାଇ ଗାଁ ଦାଣ୍ଡରେ ପୋତା ଯାଏ। ମହାଭାରତ ଯୁଦ୍ଧର ବେଲାଳସେନ ମୂର୍ତ୍ତିକୁ ଖମ୍ବ ଉପରେ ରଖି ଦୁଇ ପାର୍ଶ୍ଵରେ କୌରବ ଓ ପଞ୍ଚୁ ପାଣ୍ଡବ ଯୁଦ୍ଧ ଭଳି ସାଜସଜ୍ଜା କରାଯାଇଥାଏ। ଏହି ପର୍ବକୁ କୁଣ୍ଢେଇ ଯାତ୍ରା ପର୍ବ ବୋଲି କୁହାଯାଏ। ଏହି ଯାତ୍ରା ଦେଖିବାକୁ ପାଖଆଖ ଅଞ୍ଚଳର ଶହ ଶହ ସଂଖ୍ୟାରେ ଲୋକେ ଜମା ହୋଇଥାନ୍ତି।
Sign in
Sign in
Recover your password.
A password will be e-mailed to you.