ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିକାଶ ପାଇଁ ସରକାରଙ୍କ ମାଳମାଳ ଯୋଜନା। ହେଲେ ଏବେବି ଏମିତି ଗାଁ ରହିଛି ଯେଉଁଠି ରାସ୍ତା ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ପହଞ୍ଚାଇବାରେ ଯେମିତି ଅସମର୍ଥ ପ୍ରଶାସନ। ସେଭଳି କିଛି ଗାଁ ରହିଛି ଗଜପତି ଜିଲ୍ଲା ମୋହନା ବ୍ଲକରେ।
ଗୋଟିଏ ପଟେ ଦୁର୍ଗମ ରାସ୍ତା ଅନ୍ୟ ପଟେ ପାନୀୟ ଜଳର ଉତ୍କଟ ଅବ୍ୟବସ୍ଥା। ରାସ୍ତା ସାରା ଖାଲଖମା ହୋଇଥିବା ବେଳେ କେଉଁଠି ବାହାରି ରହିଛି ବଡ଼ଵୟବଡ଼ ପଥର ତ ରାସ୍ତାର ଉଭୟ ପାର୍ଶ୍ଵରେ ଲଟାବୁଦା ମାଡି ଗଲାଣି।
ଅନ୍ୟ ପଟେ ମହିଳା ମାନେ ଚହଲା ପାଣିକୁ ଛାଣି ଆଣୁଛନ୍ତି। ଏହା ହେଉଛି ମୋହନା ବ୍ଲକର ସୁବ୍ଯବସ୍ଥା। ଆମ ଗାଁ ଆମ ବିକାଶ , ଗାଁ କୁ କାମ ମାକୁ ସମ୍ମାନ ନାରା ଆଉ ବସୁଧା ଜଳ ଯୋଗାଣ ଯୋଜନାର ବିକଳ ଚିତ୍ର।
ଏହା ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଡରାବ ଗାଁ ଶବରସାହିର ଦୃଶ୍ୟ। ଏଠାରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାରର ୧୫୦ରୁ ଅଧିକ ଜନସାଧାରଣ ଚାଷ ବେଉସା କରି ଜୀବନ ଯାପନ କରନ୍ତି। ହେଲେ ଏହି ଗାଁର ବିକାଶ କରିବାକୁ ଯେମିତି ବ୍ଲକ ପ୍ରଶାସନ ଭୁଲି ଯାଇଛି। ଯାହାଫଳରେ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ସଂଯୋଗ ହୋଇ ପାରିନି ଭଲରାସ୍ତା କି ଗାଁରେ ନାହିଁ ଗୋଟିଏ ନଳକୂପ । ଗାଁରେ ଯେଉଁ କୂଅଟି ଅଛି ତାହା ମଧ୍ୟ ଗାଁ ଲୋକଙ୍କ ମିଳିତ ଉଦ୍ୟମରେ।
ଗାଁ ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ ଚନ୍ଦ୍ରଗିରି ଡାକ୍ତରଖାନା ଓ ପ୍ରାଥମିକ ଶିକ୍ଷା ପାଇଁ ଛାତ୍ର ଛାତ୍ରୀମାନେ ଡରାବ ଗାଁ ଏବଂ ବଜାରବାଟ ଏବଂ ଚାଉଳ , କିରୋସିନି ପାଇଁ ଜିରାଙ୍ଗ ପଞ୍ଚାୟତ ଉପରେ ନିର୍ଭର କରନ୍ତି। ଖରାଦିନେ ଯେନତେନ ପ୍ରକାରେ ଲୋକେ ଯାତାୟତ କରନ୍ତି। କିନ୍ତୁ ବର୍ଷା ଦିନେ ଏହି ରାସ୍ତାରେ ଚାଲି ଚାଲି ଯିବା ମଧ୍ୟ କଷ୍ଟ ସାଧ୍ଯ। ଗାଁ ରାସ୍ତାକୁ ପକ୍କା ସଡ଼କ ନିର୍ମାଣ କରାଯାଉନଥିବାରୁ ବର୍ଷା ସମୟରେ ଗାଁରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ। ଯାହାଫଳରେ ଜରୁରୀକାଳୀନ ଚିକିତ୍ସା ପାଇଁ ଗାଁର ଅସୁସ୍ଥ ରୋଗୀଙ୍କୁ ଖଟିଆରେ କିମ୍ଵା ଦୋଳା କରି ବୋହି ନେବା ପାଇଁ ଲୋକେ ବାଧ୍ୟ ହେଉଛନ୍ତି । ଏମିତି କି ରାସ୍ତା ସମସ୍ୟା ଯୋଗୁଁ ଲୋକେ ଶିକ୍ଷା , ସ୍ୱାସ୍ଥ୍ୟ ଭଳି ମୌଳିକ ସେବା ପାଇବାରୁ ବଞ୍ଚିତ ହୁଅନ୍ତି । ଲୋକେ ରାସ୍ତା ଓ ପାନୀୟ ଜଳର ସୁବିଧା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ନେତା ଓ ସରକାରୀ ବାବୁଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସେମାନେ କେବଳ ପ୍ରତିଶୃତି ଦେଇ ଚାଲି ଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଅନ୍ୟପଟେ ଗାଁରେ ଅଦ୍ୟାବଧି ସରକାରଙ୍କ ପକ୍ଷରୁ ନଳକୂପଟିଏ ମଧ୍ୟ ଖନନ କରାଯାଇନଥିବାରୁ ଗାଁ ଲୋକେ ନିଜ ଉଦ୍ୟମରେ ଗୋଟିଏ କୂଅ ନିର୍ମାଣ କରିଥିବା କଥା କହିଛନ୍ତି। କିନ୍ତୁ ତାହାବି ଭଗ୍ନ ଅବସ୍ଥାକୁ ଆସିଲାଣି।
ସେହି କୂଅରେ ଅରଟ ଖଣ୍ଡିଏ ମଧ୍ୟ ନାହିଁ। ଅରଟ ସ୍ଥାନରେ ବ୍ୟବହାର ହେଉଛି ତିନି ଖଣ୍ଡ କାଠ। ସେହି କୂଅର ଦୂଷିତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରନ୍ତି ଗ୍ରାମବାସୀ। ହେଲେ ତାହା ବି ଗାଁ ପାଇଁ ନିଅଣ୍ଟ। ତେଣୁ ଲୋକେ ଆବଶ୍ୟକ ସ୍ଥଳେ ଗାଁ ନିକଟରେ ଥିବା ଚୁଆଁର ଚହଲା ପାଣିକୁ ଛାଣି ଆଣି ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି। ଫଳରେ ଲୋକେ ପେଟ ଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା କହିଛନ୍ତି ଗ୍ରାମର ମହିଳା ।କିନ୍ତୁ ପାନୀୟ ଜଳ ଓ ରାସ୍ତାର ସୁବିଧା ପାଇଁ ସରକାରଙ୍କୁ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମର ରାଜେଶ୍ଵରୀ ଶବର , କୌଶଲ୍ୟା ଶବର , ରାମୁଲୁ ଶବର , ଗଣେଶ ଶବର ଓ ଗ୍ରାମବାସୀ।
ଏନେଇ ଜିରାଙ୍ଗ ପଞ୍ଚାୟତ ସରପଞ୍ଚ ପଦ୍ମିନୀ ଶବର କହିଛନ୍ତି ଏହି ଆର୍ଥିକ ବର୍ଷରେ ଶବରସାହି ପାଇଁ ପାନୀୟ ଜଳ ଓ ରାସ୍ତାନିର୍ମାଣ ପାଇଁ ଏକ୍ସନ୍ ପ୍ଲାନ୍ ରଖାଯାଇଛି ଡିସେମ୍ବର ମାସ ସୁଦ୍ଧା କାର୍ଯ୍ୟ ଆରମ୍ଭ କରାଯିବ।
Sign in
Sign in
Recover your password.
A password will be e-mailed to you.
Next Post