ଜଙ୍ଗଲ ଭିତରେ ଚାଲିଛି ଗ୍ରାମ ଉନ୍ନୟନ ବିଭାଗ ରାସ୍ତା କାର୍ଯ୍ୟ

0

ଠିକାଦାର ଓ ଯନ୍ତ୍ରୀଙ୍କ ସଲା ସୁତୁରାରେ ହରିଲୁଟ ଉଦ୍ୟମ

ଓଡ଼ଗାଁ,୨୨।୧୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ୍ ବୁଢାବୁଢିଆଣି ଡ୍ୟାମ ପାଖଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାରୁ ଭୋବସର ଗ୍ରାମ ପର୍ଯ୍ୟନ୍ତ ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ କରାଯାଉଥିବା ୩ କିଲୋମିଟର ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ମମାନର ହେଉଥିବା ଦେଖାଯାଇଛି । ନିଛାଟିଆ ଜଙ୍ଗଲ ରାସ୍ତାରେ ଯାହିତାହି ଭାବେ ଚାଲିଥିବା ଏହି ରାସ୍ତାକାମକୁ ଦେଖିଲେ ଠିକାଦାରର ଅର୍ଥ ଆତ୍ମସାତ୍ କରିବା ଉପାୟ ଅବଲମ୍ବନ କରୁଥିବା ଆପେ ଆପେ ବାରିହୋଇ ପଡୁଛି । ଜଙ୍ଗଲ ଭିତରେ ରାସ୍ତା କାମ ଚାଲିଥିବାରୁ ଯନ୍ତ୍ରୀ କିମ୍ବା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ରହୁନଥିବା ପରି ମନେହେଉଛି । ଏଥିସହିତ ବିନା ନାମ ଫଳକରେ ଭୁତ ନାମରେ ରାସ୍ତା ନିର୍ମାଣ ଚାଲିଥିବା ନେଇ ଚର୍ଚ୍ଚା ହେଉଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଏଭଳି ନିତିକୁ ସ୍ଥାନୀୟ ଅଂଚଳବାସୀ ନାପସନ୍ଦ କରିଥିବା ବେଳେ ଏହାର ତଦନ୍ତ ଦାବୀ କରିଛନ୍ତି। ସୂଚନା ଅନୁସାରେ ବହୁ ବର୍ଷ ପରେ ଦୁର୍ଗମ ବନ ଅଂଚଳରେ ଥିବା ଭୋବସର ଗ୍ରାମକୁ ରାସ୍ତା ନିର୍ମାଣ ହେଉଥିବାରୁ ଗ୍ରାମବାସୀଙ୍କ ଆନନ୍ଦ କହିଲେ ନସରେ । ଗାଁକୁ ସୁବିଧାରେ ଯାନବାହାନ ଯିବା ଆସିବା କରିବା ସହିତ ଏହି ଦୁର୍ଗମ ଅଞ୍ଚଳକୁ ଗମନାଗମନ ସୁଗମ ହୋଇପାରିବ । ଗ୍ରାମବାସୀମାନେ ଏନେଇ ଅନେକ ଭାବନା ମଧ୍ୟରେ ବୁଡ଼ି ରହିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଠିକାଦାରର ମଧୁଚନ୍ଦ୍ରିକା କାରଣରୁ ସବୁକିଛି ଫସର ଫାଟିବା ପରି ମନେ ହେଉଛି । ତେବେ ରାସ୍ତା ନିର୍ମାଣ ପୂର୍ବରୁ କେତେ କିଲୋମିଟର ରାସ୍ତା ନିର୍ମାଣ କରାଯିବ, ରାସ୍ତା ପାଇଁ ବ୍ୟୟ ଅଟକଳ କେତେ ଏବଂ କେଉଁ ଅବଧୀ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ରହିଛି ତାହା ବୋର୍ଡ଼ ମାଧ୍ୟମରେ ଉଲ୍ଲେଖ କରିବା କଥା। ଏହା ସହିତ ରାସ୍ତାରେ କେତେ ମେଟାଲ୍, ବଜୁରି, ପିଚୁ, ବାଲି ଲାଗିବ ତାହା ବୋର୍ଡ଼ରେ ଦର୍ଶାଇବା କଥା କିନ୍ତୁ ଏଠାରେ ନା ବୋର୍ଡ଼ ଅଛି ନାଁ ଲେଖାଯାଇଛି। ସରକାରଙ୍କ ନୀୟମକୁ ଉଲ୍ଲଙ୍ଘନ କରି ରାସ୍ତା କାମ ଚାଲିଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଅନେକ ସ୍ଥାନରେ ରାସ୍ତା ଅଣ ଓସାରିଆ ହୋଇଥିବା ବେଳେ ରାସ୍ତା ପାର୍ଶ୍ବରେ ମରମ ବଦଳରେ ମାଟି ପକାଇ ଚାଲିଛି ରାସ୍ତା ନିର୍ମାଣ । ଏପରିକି ରାସ୍ତାରେ ପଡ଼ିଥିବା ମେଟାଲକୁ ସଠିକ୍ ଭାବେ ରୋଲିଂ କରାନଯାଇ ପିଚୁ ପକାଇବା ଆରମ୍ଭ ହୋଇଯାଇଛି । କେବଳ କାର୍ଯ୍ୟ ସାରିବା ପାଇଁ ତରବରିଆ ଭାବେ ଆବଡା ଖାବଡା ରାସ୍ତା ଉପରେ ପିଚୁ ପକା ଚାଲିଛି । ଘଟଣାର ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.