ନଭେମ୍ବର ୭ ରୁ ୯ ପର୍ଯ୍ୟନ୍ତ ଲଣ୍ଡନରେ ଅନୁଷ୍ଠିତ ହେବ ବିଶ୍ୱ ଟ୍ରାଭେଲ ବଜାର

0

ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ନେତୃତ୍ୱରେ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ଲଣ୍ଡନ ଗସ୍ତ ।

ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ସୁବିଧା ସୁଯୋଗ ସଂପର୍କରେ ବିଦେଶରେ ରାଜ୍ୟକୁ ଉପସ୍ଥାପନ କରିବାର ସୁଯୋଗ।

ଭୁବନେଶ୍ୱର: ଚଳିତ ନଭେମ୍ବର ମାସ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଲଣ୍ଡନ ସହରରେ ଅନୁଷ୍ଠିତ ହେବ ବିଶ୍ୱ ଟ୍ରାଭେଲ ବଜାର । ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂପୃକ୍ତ ସମସ୍ତଙ୍କ ପାଇଁ ଏହା ଏକ ସୁଯୋଗ । ଓଡିଶା ଏହି ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ପ୍ରତିବର୍ଷ ଅଂଶଗ୍ରହଣ କରିଆସୁଛି । ଶେଷ ଥର ଓଡିଶା ୨୦୧୯ ରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା । କିନ୍ତୁ ଗତ ୨ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ଚଳିତ ବର୍ଷ ପୁନଶ୍ଚ ଏହା ଆରମ୍ଭ ହୋଇଛି । ଏବେ ଏହି ଅନ୍ତର୍ଜାତୀୟ ବଜାର ଖୋଲାଯାଇଛି । ଟ୍ରାଭେଲ ଓ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ସମସ୍ତ ଅଂଶୀଦାରୀଙ୍କ ପାଇଁ ଏହି ବିଶ୍ୱ ଟ୍ରାଭେଲ ବଜାରର ଆବଶ୍ୟକତା ରହିଛି ।
ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ନେତୃତ୍ୱରେ ଓଡିଶାରୁ ଏକ ପ୍ରତିନିଧି ଦଳ ବିଶ୍ୱ ଟ୍ରାଭେଲ ବଜାରରେ ଯୋଗଦାନ ପାଇଁ ଲଣ୍ଡନ ଗସ୍ତ କରିଛନ୍ତି । ତାଙ୍କ ସହିତ ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ ରାଉତରାୟଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ଏହି ଗସ୍ତରେ ଯାଇଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଏହି ଟ୍ରାଭେଲ ବଜାରର ପ୍ରଦର୍ଶନୀ ସ୍ଥଳରେ ଓଡିଶାର ପର୍ଯ୍ୟଟନକୁ ବିଶ୍ୱ ସମୁଦାୟଙ୍କ ନିକଟରେ ଉପସ୍ଥାପନ କରିବା ନିମନ୍ତେ ଏକ ମଣ୍ଡପ ଖୋଲାଯାଇଛି ,ଯେଉଁଠାରେ କି ଏହି ପ୍ରତିନିଧିମାନେ ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ତଥା ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ନିବେଶକଙ୍କ ସହିତ ଆଲୋଚନା କରିବେ । ଏହି ପଦକ୍ଷେପ,ଆମ ଓଡିଶାରେ ବର୍ତ୍ତମାନ ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ବିଭିନ୍ନ ସୁବିଧା ସୁଯୋଗସଂପର୍କରେ ଉପସ୍ଥାପନ କରାଇବା ସହିତ ଅନ୍ୟଦେଶର ପର୍ଯ୍ୟଟକମାନେ କିପରି ଏହାକୁ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ କରିପାରିବେ, ସେ ସଂପର୍କରେ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସୁଯୋଗ ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.