ଭୁବନେଶ୍ୱର, ୮ ।୧୦- ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ଅନୁଷ୍ଠାନ କିସରେ ଉପଯୁକ୍ତ ଯତ୍ନ ଓ ଶୈକ୍ଷିକ ପରିବେଶ ପାଇଁ ଏହାର ଛାତ୍ରଛାତ୍ରୀମାନେ ସର୍ବଦା ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଆସୁଛନ୍ତି । ଚଳିତ ଶିକ୍ଷାବର୍ଷରେ କିସ୍ର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ଶୈକ୍ଷିକ ପ୍ରଦର୍ଶନ କରିପାରିଛନ୍ତି । ଚଳିତବର୍ଷ କିସ୍ର ୪ଜଣ ଛାତ୍ରଛାତ୍ରୀ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ହେଲେ ରାଇମାତ ଟୁଡୁ, ମଣ୍ଟୁ ଖମାରୀ, ହେମନ୍ତ ପୁଟା ଓ ନୀଳମାଧବ ପାତ୍ର । ରାଇମାତ ଟୁଡୁ ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ବେଳେ ମଣ୍ଟୁ ଓ ହେମନ୍ତ ବଲାଙ୍ଗୀର ଜିଲ୍ଲା ଓ ନୀଳମାଧବ କଳାହାଣ୍ଡି ଜିଲ୍ଲାରୁ ଆସି କିସ୍ରେ ପଢ଼ୁଥିଲେ । ଚଳିତବର୍ଷ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ମୋଟ ୩୯୨ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେଥିରେ କିସ୍ର ୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଏହା ବ୍ୟତୀତ କିସ୍ର ୨୫ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ନ୍ୟାସ୍ନାଲ୍ ଫେଲୋସିପ୍ ଫର ସିଡ୍ୟୁଲ୍ଡ ଟ୍ରାଇବ (ଏନ୍ଏଫ୍ଏସ୍ଟି) ମେଧାବୃତ୍ତି ପାଇ ପିଏଚ୍ଡି କରୁଛନ୍ତି । ଆସନ୍ତା ୫ବର୍ଷ ପାଇଁ ପିଏଚ୍ଡି କରିବା ସମୟରେ ଏହି ଛାତ୍ରଛାତ୍ରୀମାନେ କେନ୍ଦ୍ର ସରକାରଙ୍କଠାରୁ ମାସକୁ ୩୫ ହଜାର ଲେଖାଏଁ ଟଙ୍କା ମେଧାବୃତ୍ତି ପାଇବେ। ସେହିପରି କିସ୍ର ୧୭ ଜଣ ଛାତ୍ରଛାତ୍ରୀ ନ୍ୟାସ୍ନାଲ୍ ଇଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍)ରେ ସଫଳତା ପାଇଥିବା ବେଳେ ଜେଇଇ ଆଡ୍ଭାନ୍ସରେ ମଧ୍ୟ ୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । କିସ୍ରେ ଛାତ୍ରଛାତ୍ରୀମାନେ କିଭଳି ଗୁଣାତ୍ମକ ଶିକ୍ଷା ଲାଭ କରିପାରିବେ ସେ ନେଇ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସର୍ବଦା ପ୍ରୟାସ ଜାରି ରଖି ଆସିଛନ୍ତି। ସମୟକୁ ସମୟ ଶ୍ରୀ ସାମନ୍ତଙ୍କ ପରାମର୍ଶ କ୍ରମେ ଏହି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ନିମନ୍ତେ ତାଲିମ୍ ଓ ଉପଯୁକ୍ତ କୋଚିଂ ଦିଆଯାଇଥାଏ। ଫଳରେ ଶିକ୍ଷା ସହ କ୍ରୀଡ଼ା ଓ ନିଯୁକ୍ତି କ୍ଷେତ୍ରରେ ଏହି ଛାତ୍ରଛାତ୍ରୀମାନେ କ୍ରମାଗତ ସଫଳତା ହାସଲ କରିଆସୁଛନ୍ତି । ଚଳିତବର୍ଷ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀମାନେ କିସ୍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେବା ସହ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ସଫଳତା କେବଳ କିସ୍ର ନୁହେଁ ବରଂ ସମସ୍ତ ଜନଜାତି ସମାଜର ବିକାଶ ବୋଲି ଶ୍ରୀ ସାମନ୍ତ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.