ଗୁରୁ ଦିବସ ପାଳନ

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ:  ପୂଜ୍ୟପୂଜା ପରମ୍ପରା ତଥା ଗୁରୁଶିଶ୍ୟ ଅତୁଟ ସମ୍ପର୍କର ଦିନଟିଏ ଗୁରୁ ଦିବସ । ଆଜି ଏଥିପାଇଁ ପଲ୍ଲୀ ଠାରୁ ସହର ସବୁ ଶିକ୍ଷାନୁଷ୍ଠାନରେ ପାଳିତ ହେଉଛି ଗୁରୁ ଦିବସ । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ମହାସମାରୋହ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥିବା ବେଳେ ଏରସମା ବ୍ଲକ କୁଞ୍ଜକୋଠୀ ପଞ୍ଚାୟତ ଖୁରାଣ୍ଟସ୍ଥିତ ବିଦ୍ୟାଳୟ ସମୁହରେ ନିଆରା ଢଙ୍ଗରେ ଗୁରୁ ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।ଖୁରାଣ୍ଟସ୍ଥିତ ଅନନ୍ତକିଶୋର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ବାଲୁଙ୍କେଶ୍ୱର ହାଇସ୍କୁଲ ଛାତ୍ରଛାତ୍ରୀମାନେ ମିଳିତଭାବେ ଗୁରୁ ଦିବସ ଉତ୍ସବ ପାଳନ କରିଥିଲେ।ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ପାରମ୍ପରିକ ଭାବେ ଗୁରୁ ଓ ଗୁରୁମାଆ ମାନଙ୍କ ପଦପ୍ରକ୍ଷାଳନ କରି ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ପୂଜାର୍ଚ୍ଚନା କରିଥିଲେ।ସୁସଜ୍ଜିତ ଆସନରେ ବସାଇ ଗୁରୁ ଓ ଗୁରୁମାଆ ମାନଙ୍କୁ ସୁସ୍ୱାଦୁ ବ୍ୟଞ୍ଜନରେ ଆପ୍ରାୟିତ କରି ଗୁରୁ ବନ୍ଦନା ଗାନ କରିଥିଲେ।ଗୁରୁ ଦିବସ ଅବସରରେ ଆୟୋଜିତ ଉତ୍ସବରେ ଅନନ୍ତକିଶୋର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ସାହୁ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ସର୍ବଶ୍ରୀ ଶ୍ରୀକାନ୍ତ ରାଉତ,ବିବେକାନନ୍ଦ ନାୟକ,ଭାଗବତ ପ୍ରସାଦ ରାଉତ,ଦିଲ୍ଲୀପ କୁମାର ନାୟକ,ମୁରଲୀଧର ସାମନ୍ତ, ଶିକ୍ଷୟିତ୍ରୀ କନକଲତା ବିଶ୍ୱାଳ,ପ୍ରତିଭା ନାୟକ,ସଂଧ୍ୟାରାଣୀ ପାତ୍ର ଓ ସ୍ୱର୍ଣ୍ଣଲତା ନାୟକ ପ୍ରମୁଖ ଯୋଗଦେଇ ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ। ବାଲୁଙ୍କେଶ୍ୱର ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଦାସ ଏକଲବ୍ୟ ଉପାଖ୍ୟାନ ଦେଇ ଛାତ୍ରଛାତ୍ରୀମାନେ କେବଳ ଗୁରୁ ଦିବସ ପାଳନ କଲେ ଚଳିବ ନାହିଁ।ଛାତ୍ରଛାତ୍ରୀମାନେ ପୂଜ୍ୟପୂଜା ପରମ୍ପରାରେ ବ୍ରତୀ ହେବା ସହ ନିଜର ଏକାଗ୍ରତା ଓ ସାଧ୍ୟନା ଦ୍ୱାରା ନିଜର ଶ୍ରେଷ୍ଟତ୍ଵ ପ୍ରତିପାଦନ କରିପାରିବ ବୋଲି ଉଭୟ ବିଦ୍ୟାଳୟର ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.