ଭୁବନେଶ୍ୱର: ବିଦ୍ୟୁତ୍ ଗ୍ରାହକଙ୍କ ବିରୋଧରେ ଘଟୁଥିବା ସାଇବର ଠକାମିର ବର୍ଦ୍ଧିତ ସଂଖ୍ୟାକୁ ବିଚାରକୁ ନେଇ ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏଭଳି ଅସାଧୁ ତତ୍ୱଙ୍କ ବିରୋଧରେ ପୁଣି ଥରେ ପରାମର୍ଶବଳୀ ଜାରି କରାଯାଇଛି । ଏହି ଅସାଧୁ ତତ୍ୱମାନେ ଏସ୍ଏମ୍ଏସ୍ ଜରିଆରେ ବିଦ୍ୟୁତ୍ ସଂଯୋଗ କାଟିବା (ବିଚ୍ଛିନ୍ନ କରିବା) ଲାଗି ଧମକ ଦେଇ ଗ୍ରାହକମାନଙ୍କୁ ନିଜର ଠକାମି ଜାଲରେ ଫସାଇବାକୁ ଉଦ୍ୟମ କରୁଛନ୍ତି । ବିଦ୍ୟୁତ୍ ଯୋଗାଣ କିମ୍ବା ବିଚ୍ଛିନ୍ନକୁ ନେଇ କୌଣସି ସ୍ପଷ୍ଟୀକରଣ ଦରକାର ଥିଲେ ୨୪ ଘଂଟିଆ ଦେୟମୁକ୍ତ ଗ୍ରାହକ ସେବା ନମ୍ବର ୧୯୧୨/ ୧୮୦୦୩୪୫୭୧୨୨ରେ ଯୋଗାଯୋଗ କରିବାକୁୁ ଡିସ୍କମ୍ ଏହାର ସମସ୍ତ ଗ୍ରାହକଙ୍କୁ ଅନୁରୋଧ କରିଛି ।
ଏହି ସାଇବର୍ ଠକମାନେ ପୂର୍ବ ମାସ ବିଦ୍ୟୁତ୍ ଦେୟ ପଇଠ ହୋଇନଥିବା ବାହାନା କରି ସେହିଦିନ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ କରିବା ଲାଗି ଧମକ ଦେଇ ଗ୍ରାହକଙ୍କ ପାଖକୁ ମେସେଜ୍ ପଠାଉଛନ୍ତି ଏବଂ ତୁରନ୍ତ ସେହି ଦିଆଯାଇଥିବା ଏକ ନମ୍ବରରେ କଲ୍ ବ୍ୟାକ୍ କରିବା ଲାଗି ଗ୍ରାହକଙ୍କୁ କହୁଛନ୍ତି । ଥରେ ଗ୍ରାହକ କଲ୍ କରିବା ପରେ, ଅପରେଟର ଜଣକ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନକୁ ରୋକିବା ଲାଗି ଅନଲାଇନ୍ ପେମେଂଟ୍ କରିବା ନିମନ୍ତେ ଏକ ଲିଙ୍କ୍ ପଠାଉଛି । ଯେଉଁ ଗ୍ରାହକମାନେ ସେହି ଲିଙ୍କ୍ ବ୍ୟବହାର କରୁଛନ୍ତି ସେମାନେ ଠକାମିର ଶିକାର ହେଉଛନ୍ତି । ଗତ ମେ’ ମାସରେ କେୱାଇସି ଅପ୍ଡେଟ୍ କରିବା ସମ୍ପର୍କିତ ସମାନ ଧରଣର ମେସେଜ୍ ଗ୍ରାହକମାନେ ପାଇଥିଲେ । ନିକଟରେ ବିଭିନ୍ନ ପ୍ରକାରର ମେସେଜ୍ ପଠାଇ ଗ୍ରାହକମାନଙ୍କୁ ଜାଲରେ ଫସାଇବାକୁ ଏହି ଠକମାନେ ଉଦ୍ୟମ କରୁଛନ୍ତି ।
ଏଭଳି ଠକାମି ମେସେଜ୍ ସହିତ ଯୋଡ଼ିନହେବା ଓ ଏସ୍ଏମ୍ଏସ୍ ମାଧ୍ୟମରେ ଦିଆଯାଇଥିବା ନମ୍ବର ସହ ଯୋଗାଯୋଗ ନକରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ଏହାର ଗ୍ରାହକମାନଙ୍କୁ ଆହ୍ୱାନ ଦିଆଯାଉଛି । ଡିସ୍କମ୍ ପକ୍ଷରୁ ଏହାର ଗ୍ରାହକମାନଙ୍କୁ ସ୍ପଷ୍ଟ କରାଯାଇଛି ଯେ ଫୋନ୍ରେ କିମ୍ବା ପ୍ରତ୍ୟକ୍ଷ ଭାବେ ଏହାର କୌଣସି ଏକ୍ଜିକ୍ୟୁଟିଭ୍ଙ୍କୁ ପାସ୍ୱାର୍ଡ, ଓଟିପି, ବ୍ୟାଙ୍କ୍ ବିବରଣୀ ଦେବାକୁ କିମ୍ବା ଲାପ୍ଟପ୍/ ମୋବାଇଲ୍ ସ୍କ୍ରିନ୍ ସେୟାର୍ କରିବାକୁ ଏହାର କୌଣସି ଗ୍ରାହକଙ୍କୁ କେବେବି କୁହାଯାଏ ନାହିଁ । ଏହା ବ୍ୟତୀତ ଗ୍ରାହକମାନେ ସବୁ ପ୍ରକାର ବିଲ୍କୁ କେବଳ ସ୍ୱୀକୃତିପ୍ରାପ୍ତ ପେମେଂଟ୍ ମାଧ୍ୟମରେ ପ୍ରଦାନ କରନ୍ତୁ । ଗତ କିଛି ମାସ ଭିତରେ ପାରମ୍ପରିକ ଗଣମାଧ୍ୟମ, ନିୟମିତ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ପୋଷ୍ଟ୍, ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ପରାମର୍ଶବଳୀ ଓ ଗ୍ରାହକମାନଙ୍କୁ ସେମାନଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବର୍ ଜରିଆରେ ସିଧାସଳଖ ଏସ୍ଏମ୍ଏସ୍ ପଠାଇ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି କଂପାନି ନିରନ୍ତର ଉଦ୍ୟମ ଜାରି ରଖିଛି ।
Sign in
Sign in
Recover your password.
A password will be e-mailed to you.