ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଲଗାଣ ବର୍ଷା ଯୋଗୁଁ ପାହାଡରୁ ଖସିଲା ମାଟି ଅତଡ଼ା । ଏଥିରୁ ଅଳ୍ପକେ ବର୍ତ୍ତୀ ଯାଇଛି ଗାଁ ଲୋକଙ୍କ ଜୀବନ , ଏଭଳି ଘଟଣା ଦେଖା ଦେଇଛି ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ କଳାକୋଟ ପଞ୍ଚାୟତର ପାହାଡ଼ ଘେରା ଜଙ୍ଗଜଙ୍ଗଲ ଗ୍ରାମରେ।
ଗତକାଲି (ଶନିବାର ଦିନ) ଠାରୁ ଏ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଏମିତିକି ଆଜି ସକାଳ ପର୍ଯ୍ୟନ୍ତ ଏହି ବର୍ଷାର ପରିମାଣ କମି ନ ଥିଲା।
ଏହି ଲଗାଣ ବର୍ଷା ଫଳରେ ମଧ୍ୟରାତ୍ରୀ ୩ଟା ୩୦ ମିନିଟ ସମୟରେ ନିକଟସ୍ଥ ପାହାଡ଼ରୁ ମାଟି ଅତଡ଼ା ଧସି ସମ୍ପୃକ୍ତ ଗ୍ରାମ ମୁହାଁ ହୋଇଛି। ଏଥିରେ କୌଣସି ଜୀବନ ହାନି ହୋଇ ନ ଥିଲେ ମଧ୍ୟ ଅନେକ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଜଣାଯାଇଛି।
ପାହାଡ଼ ଅତଡ଼ା ଧସିବା ବେଳେ ଏଥିରେ ପାହାଡ଼ ଉପରୁ ମାଟି , ପଥର , ଗଛ , ଗୋଡି କାଦୁଆ ପାଣି ସବୁ ଧୋଇ ହୋଇ ସବୁ ଝରଣା ଭଳି ପ୍ରବଳ ସୁଅରେ ଗ୍ରାମ ମୁହାଁ ହୋଇ ବିଭିନ୍ନ ଅଞ୍ଚଳକୁ ପ୍ରଭାବିତ କରିଥିଲା।
ଗ୍ରାମର ବିଭିନ୍ନ ଘରକୁ ପାହାଡ଼ ଅତଡ଼ାର କାଦୁଆ ପାଣି ଘର ଭିତରେ ପସିଥିବା କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଗ୍ରାମ ଭିତରର ସ୍ଥାନେ ସ୍ଥାନେ ଅତଡ଼ାର ବର୍ଷା କାଦୁଆ ପାଣିର ସୁଅ ଛୁଟି ଚାଲିଛି। ଏଥିରେ ଗ୍ରାମବାସୀଙ୍କ ଚାଷଜମି ମଧ୍ୟ ପ୍ରଭାବିତ ହୋଇଥିବା ଜଣାଯାଇଛି।
ଗ୍ରାମବାସୀ ବର୍ତ୍ତମାନ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏଥିରେ ଏକାଧିକ ଘର ଭାଙ୍ଗି ନଷ୍ଟ ହୋଇ ଯାଇଥିବା ବେଳେ ଗୋଟିଏ ବାଇକ ମଧ୍ୟ ଅତଡ଼ା ସୁଅରେ ଭାସି ନଷ୍ଟ ହୋଇ ଯାଇଥିବା ଏବଂ ଗ୍ରାମକୁ ଯିବା ରାସ୍ତା ମଧ୍ୟ ନଷ୍ଟ ହୋଇ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିବା ଜଣାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତହସିଲଦାର , ସରପଞ୍ଚ , ଗ୍ରାମସେବକଙ୍କ ସମେତ ପୋଲିସ ଓ ଅଗ୍ନିଶମ ଦଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ଉଦ୍ଧାର କାର୍ଯ୍ୟ ଓ ପରିସ୍ଥିତି ସ୍ୱାଭାବିକ ପାଇଁ ପୋଲିସ ଓ ଅଗ୍ନିଶମ ଦଳ ପ୍ରୟାସ ଜାରୀ ରଖିଥିବା ଜଣାଯାଇଛି।
Sign in
Sign in
Recover your password.
A password will be e-mailed to you.