ଭୁବନେଶ୍ୱର : ସାଧାରଣତଃ ଶରୀର ତାପମାତ୍ରାକୁ ଥର୍ମୋମିଟରରେ ମପା ଯାଇଥାଏ। ସେହିପରି ପରୀକ୍ଷା ଦ୍ୱାରା ରକ୍ତରେ ହିମୋଗ୍ଲୋବିନ ମାତ୍ରା କିମ୍ବା ଅନ୍ୟାନ୍ୟ ବିକାରଗତ ପରିମାପ ପରୀକ୍ଷାଗାରରେ ହୋଇପାରିଥାଏ। କିନ୍ତୁ ଶରୀରରେ ଅନୁଭୂତ ହେଉଥିବା ଯନ୍ତ୍ରଣାକୁ ସଠିକ୍ ଆକଳନ କରିବା ଅସମ୍ଭବ। ଏଭଳି ଅସମ୍ଭବକୁ ସମ୍ଭବ କରିବାକୁ ପ୍ରୟାସ ଜାରି ରଖିଛନ୍ତି କିମ୍ସ ଭୁବନେଶ୍ୱରର ନିଶ୍ଚେତକ ବିଭାଗର ଡ଼ାକ୍ତରମାନେ। କିମ୍ସ ନିଶ୍ଚେତକ ବିଭାଗର ବିଶେଷଜ୍ଞ ପ୍ରଫେସର ଡ଼ାକ୍ତର ଅମିତ ପ୍ରଧାନ ଏବଂ ଡ଼ାକ୍ତର ଅଶୋକ କୁମାର ବଡ଼ମାଳିଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ନିଶ୍ଚେତକ ବିଭାଗର ସ୍ନାତକୋତ୍ତର ଛାତ୍ରୀ ଶୈଳଜା ସୁକନ୍ୟା ଏକ ଅଭିନବ ଯନ୍ତ୍ରଣାମାପକ ପଦ୍ଧତି- ଅବଜେକ୍ଟିଭ୍ ପେନ୍ ସ୍କୋର ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି।
ସାଧାରଣତଃ ଯନ୍ତ୍ରଣା ମାପିବା ପାଇଁ ନ୍ୟୁମେରିକାଲ୍ ରେଟିଂ ସ୍କେଲ୍ (ଏନ୍ଆରଏସ୍), ଭର୍ବାଲ୍ ରେଟିଂ ସ୍କେଲ୍ (ଭିଆରଏସ୍) ଏବଂ ଭିଜୁଆଲ୍ ଆନାଲଗ ସ୍କେଲ୍ (ଭିଏଏସ୍) ଆଦି ପଦ୍ଧତି ବ୍ୟବହୃତ ହୋଇଥାଏ। ତେବେ ଏହି ସମସ୍ତ ପଦ୍ଧତି ଯନ୍ତ୍ରଣା ଅନୁଭବ କରୁଥିବା ବ୍ୟକ୍ତିଙ୍କ ନିଜସ୍ଵ ପ୍ରତିକ୍ରିୟାରୁ ହିଁ ଜଣାପଡିଥାଏ। ତେବେ ସବୁଠାରୁ ଅଧିକ ଆଦ୍ରୁତ ଭି.ଏ.ଏସ ପଦ୍ଧତି ମଧ୍ୟ ରୋଗୀର ବ୍ୟକ୍ତିଗତ ଅନୁଭବ ଆଧାରରେ ଯନ୍ତ୍ରଣା ଆକଳନ କରୁଥିବାରୁ, ତାହା ଯନ୍ତ୍ରଣାର ସଠିକ୍ ପରିମାପକ ନୁହେଁ। ଯଦିଓ ହୃଦସ୍ପନ୍ଦନ ଏବଂ ରକ୍ତଚାପ ହାର ଆଧାରରେ ଯନ୍ତ୍ରଣାର ମାତ୍ରା ଆକଳନ କରାଯାଏ, ତଥାପି ଯନ୍ତ୍ରଣାର ବସ୍ତୁନିଷ୍ଠ ମୂଲ୍ୟାୟନ ନିମନ୍ତେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଏହି ଗବେଷଣା ଦ୍ୱାରା ଯେଉଁ ଆକଳନ ପଦ୍ଧତି ଅବଜେକ୍ଟିଭ୍ ପେନ୍ ସ୍କୋରିଂ ସିଷ୍ଟମ (ଓପିଏସ୍) ପ୍ରସ୍ତୁତ କରାଯାଇଛି ତାହା ଭବିଷ୍ୟତରେ ରୋଗୀର ଯନ୍ତ୍ରଣା ନାଶକ ଯନ୍ତ୍ର ତିଆରି କରିବାରେ ସହାୟକ ହୋଇପାରିବ।
ଏହି ଗବେଷଣା ଉପରେ ପର୍ଯ୍ୟବସିତ “ଡେଭଲପମେଣ୍ଟ ଆଣ୍ଡ ଭାଲିଡେସନ୍ ଅଫ ଆନ୍ ଅବଜେକ୍ଟିଭ୍ ପେନ୍ ସ୍କୋରିଂ ସିଷ୍ଟମ (ଓପିଏସ୍) ଆଣ୍ଡ ଇଟ୍ସ କୋରିଲେସନ୍ ଉଇଥ୍ ଭିଜୁଆଲ୍ ଆନାଲଗ୍ ସ୍କେଲ୍ (ଭିଏଏସ୍) ଫର ଇଭାଲ୍ୟୁସନ୍ ଅଫ ପୋଷ୍ଟ ଅପରେଟିଭ୍ ପେନ୍ ଇନ୍ ପେସେଣ୍ଟସ୍ ଅଣ୍ଡରଗୋଇଂ କାର୍ଡିଆକ୍ ସର୍ଜରୀ” ଶୀର୍ଷକ ସନ୍ଦର୍ଭ ଡା. ଶୈଳଜାଙ୍କ ଦ୍ୱାରା ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ ଆଇଏସ୍ଏସ୍ପିସିଓଏନ୍- ୨୦୨୨ ଜାତୀୟ ପେନ୍ କନଫରେନ୍ସରେ ଉପସ୍ଥାପିତ ହୋଇଥିଲା, ଯାହା ବିଚାରକ ଏବଂ ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.