ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ତଥା ପାରଳା ପୌରାଞ୍ଚଳରେ ସଫଳତାର ସହ କାର୍ଯ୍ୟକାରୀ ହେଉଛି , ଲୋକପ୍ରିୟ କେନ୍ଦ୍ରୀୟ ଯୋଜନା “ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା “।
ସାରା ଦେଶରେ କରୋନା ସଂକ୍ରମଣ ସ୍ଥିତି ଚିନ୍ତା ଲାଗି ରହିଥିବା ବେଳେ ଏଭଳି ପରିସ୍ଥିତିରେ କାମଧନ୍ଦା ହରାଉଥିବା ଉଠା ଓ ବୁଲା ବିକାଳି ଦୋକାନୀ ମାନଙ୍କ ପାଇଁ ବରଦାନ ସଦୃଶ୍ୟ କେନ୍ଦ୍ର ସରକାର ଆରମ୍ଭ କରିଥିଲେ “ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା”।
ଏହି କେନ୍ଦ୍ରୀୟ ଯୋଜନା ଦ୍ୱାରା ପାରଳାଖେମୁଣ୍ଡି ସହରାଞ୍ଚଳରେ ଶତାଧିକ ଉଠା ଦୋକାନୀ ମାନଙ୍କୁ ମିଳୁଛି ଆର୍ଥିକ ଋଣ ସହାୟତା।
ଦେଶରେ କରୋନା ସଂକ୍ରମଣର ପ୍ରାଦୁର୍ଭାବ ଆରମ୍ଭ ହେବା ପରେ ସରକାରଙ୍କ ପକ୍ଷରୁ ଲକଡାଉନ ଜାରୀ ହୋଇଥିଲା। ଏଥିରେ ସବୁଠାରୁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲେ ବୁଲା ବିକାଳି ଓ ଉଠା ଦୋକାନୀ ମାନେ। ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଦୁର୍ବିସହ ହୋଇ ପଡିବା ସହ କାମଧନ୍ଦା ଅଭାବରୁ ଜୀବିକା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ପଡିଥିଲା ଠିକ୍ ଏହି ସମୟରେ ସାହାଯ୍ୟ ସହଯୋଗର ହାତ ବଢ଼ାଇଲେ କେନ୍ଦ୍ର ସରକାର। ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା। ଏବେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ସେମାନଙ୍କ ପାଇଁ ଏକ ସଂଜୀବନୀ ସଦୃଶ୍ୟ ପାଲଟିଯାଇ ସେମାନଙ୍କ ଜୀବନ ଜୀବିକାରେ ଆସିଛି ଅନେକ ସୁଧାର।
ଦେଶର ଗରିବ ଓ ଅଭାବି ବ୍ୟକ୍ତି ଯେଭଳି ଭୋକିଲା ରହିବେ ନାହିଁ , ଏହାକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରୀୟ ଯୋଜନା ଆରମ୍ଭ କରାଯାଇଥିଲା।
ଉଠା ଓ ବୁଲା ବିକାଳି ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଋଣ ଆକାରରେ ଯୋଗାଇ ଦେବା ଲକ୍ଷ ନେଇ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ପାଇଁ ୨୦୨୦ ଜୁଲାଇ ୨ ତାରିଖରୁ ଏହାର ପୋର୍ଟାଲରେ ଦରଖାସ୍ତ ଆହ୍ବାନ କରାଯାଇଥିଲା।
କେନ୍ଦ୍ର ସରକାରଙ୍କ ଏହି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଏହା ନିଶ୍ଚିତ ଭାବେ ଭାବେ ପ୍ରଶଂସନୀୟ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏଥିରେ ଜଣେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଟଙ୍କା ପାଇ ପାରିବେ ଏବଂ ଏହି ଋଣ ଟଙ୍କା ଶୁଝିବା ପରେ ନିଜ ବ୍ୟବସାୟକୁ ବଢ଼ାଇବା ପାଇଁ ପୁଣି ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଟଙ୍କା ପାଇପାରିବେ।
ପାରଳାଖେମୁଣ୍ଡି ସହରରେ କେନ୍ଦ୍ର ସରକାରଙ୍କ ଏହି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅନ୍ତର୍ଗତରେ ମୋଟ ୫୨୩ ଜଣ ଆର୍ଥିକ ଋଣ ସହାୟତା ପାଇଁ ଦରଖାସ୍ତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୩୨୭ ଜଣଙ୍କୁ ଏହି ଆର୍ଥିକ ସହାୟତା ପୌର ପରିଷଦ ପକ୍ଷରୁ ଯୋଗାଇ ଦିଆଯାଇଛି।
ପାରଳାଖେମୁଣ୍ଡି ସହରର ବଡଦାଣ୍ଡ ଓ ପାଲେସ ସାମନାରେ ଉଠା ବିକାଳି ଭାବେ ବେପାର ବ୍ୟବସାୟ କରୁଥିବା ହୋଟେଲ ବାଲା ଶ୍ରୀ ଉମା ଶଙ୍କର ପାଢ଼ୀ , ଫଳ ଦୋକାନୀ ଶ୍ରୀମତୀ କେ.ଲକ୍ଷ୍ମୀ , ଚା ଦୋକାନୀ ଶ୍ରୀ ସତ୍ୟ ନାୟକ ଓ ପରିବା ବିକାଳୀ ଶ୍ରୀ ପି. ଶଙ୍କର ରାଓ ପ୍ରମୁଖ କହିଛନ୍ତି ଯେ , ଏହି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଆର୍ଥିକ ଋଣ ସହାୟତା ପାଇ ଆମେ , ଆମର ବ୍ୟବସାୟ ଉନ୍ନତି କରିବାରେ ବେଶ ଉପକୃତ ହୋଇ ପାରିଛୁ , ଏଥିପାଇଁ ଆମେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post